ସାଇବର ଅପରାଧ ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ‘ଟିକ୍‌ ଟକ୍‌’କୁ ନିୟନ୍ତ୍ରଣ କରାଯାଉ

ତଦନ୍ତକାରୀ ଅଧିକାରୀଙ୍କୁ ତାଲିମ ଉପରେ ଗୁରୁତ୍ବ

କଟକ : ‘ଟିକ୍ ଟକ୍‌’କୁ ଉପଯୁକ୍ତ ଭାବେ ନିୟନ୍ତ୍ରଣ କରାଯିବା ଉଚିତ। ଅନେକ ସମୟରେ ସଂସ୍କୃତି ଅବକ୍ଷୟର ସୂଚକ ହେଉଥିବା ତଥା ଯୌନଚିତ୍ର ପ୍ରସାରଣ ବୃଦ୍ଧି କରୁଥିବା ‘ଟିକ୍ ଟକ୍’ ମୋବାଇଲ ଆପ୍‌ର କିଶୋରଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାରୁ ରୋକିବା ପାଇଁ ଯଥାର୍ଥ ଭାବେ ଏହାକୁ ନିୟନ୍ତ୍ରିତ କରିବା ଉଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଟିକ୍ ଟକ୍ ଯୋଗୁଁ ଏକ ଆତ୍ମହତ୍ୟା ହୋଇଥିବା ଅଭିଯୋଗରେ ଗିରଫ ହୋଇଥିବା ମହିଳାଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ଦେଇଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଏଭଳି ଆପ୍ଲିକେସନ୍‌ଗୁଡିକୁ ପ୍ରସାର ଓ ବୃଦ୍ଧି କରୁଥିବା କମ୍ପାନିଗୁଡିକୁ ନିୟନ୍ତ୍ରଣ କରିବା ସରକାରଙ୍କ ସାମାଜିକ ଦାୟିତ୍ବ। ଏଭଳି ଅପରାଧିକ କାର୍ଯ୍ୟକାଳାପ ଉପରେ ଅଙ୍କୁଶ ପାଇଁ ଇନଫର୍ମେସନ୍ ଟେକ୍‌ନୋଲୋଜି ଆକ୍ଟ, ୨୦୦୦ର ବିଶେଷ କରି ଧାରା ୬୬କ, ୬୭ ଓ ୬୭କ ରହିଛି। ବ୍ୟକ୍ତିଗତ ଗୋପନ ତଥ୍ୟ ନିୟମ ଉଲ୍ଲଂଘନ, ପ୍ରଘଟ/ପ୍ରକାଶ ଓ ପ୍ରାସରଣ ପାଇଁ ଏଥିରେ ଦଣ୍ଡାଦେଶ ବ୍ୟବସ୍ଥା ରହିଛି। କିନ୍ତୁ ଏହି ବ୍ୟବସ୍ଥା ଯଥେଷ୍ଟ ନୁହେଁ। ସାଇବର ଧମକ (ସାଇବର ବୁଲିଂ) ଭଳି ଅପରାଧର ମୁକାବିଲା ପାଇଁ ଭାରତରେ ସ୍ବତନ୍ତ୍ର ଆଇନର ଅଭାବ ରହିଛି ବୋଲି ରାୟରେ ଉଲ୍ଲେଖ କରାଯାଇଛି। ମାମଲାରେ ଅଭିଯୁକ୍ତ ମହିଳାଙ୍କୁ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହି ରାୟ ମାମଲାର ଶୁଣାଣି (ଟ୍ରାଏଲ)କୁ କୌଣସି ଭାବେ ପ୍ରଭାବିତ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ପଦ୍ମଲୋଚନ ବାରିକଙ୍କ ବିବାହ ୨୦୧୯ ଫେବ୍ରୁଆରି ୨୧ରେ ଆବେଦନକାରୀ ମହିଳାଙ୍କ ସହିତ ହୋଇଥିଲା। ଜଣେ ପୂର୍ବ ପୁରୁଷ ବନ୍ଧୁଙ୍କ ସହିତ ଆବେଦନକାରୀଙ୍କ ବ୍ୟକ୍ତିଗତ ଟିକ୍‌ ଟକ୍‌ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା। ପୁରୁଷ ବନ୍ଧୁ ଉପେନ୍ଦ୍ର ମହାନନ୍ଦ ଏପରି ଭିଡିଓ ପଦ୍ମଲୋଚନଙ୍କ ନିକଟକୁ ମଧ୍ୟ ପଠାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପତ୍ନୀଙ୍କ ଟିକ୍ ଟକ୍ ଭିଡିଓ ଯୋଗୁଁ ମାନସିକ ଚାପର ବଶବର୍ତ୍ତୀ ହୋଇ ଶେଷରେ ପଦ୍ମଲୋଚନ ୨୦୧୯ ଜୁଲାଇ ୧୩ରେ ସିଲିଂ ଫ୍ୟାନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏ ନେଇ ଧନୁପାଲି ଥାନାରେ ଆଇପିସର ଧାରା ୩୦୬, ୩୪ରେ ମାମଲା ରୁଜୁ କରାଯାଇଥିଲା। ୨୦୨୦ ଜାନୁଆରି ୧୪ରେ ଆବେଦନକାରୀଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଟିକ୍ ଟକ୍ ଭିଡିଓକୁ ନେଇ ଏହି ଘଟଣା ଘଟିଥିବା ତଥ୍ୟ ପ୍ରମାଣରୁ ‌ସ୍ପଷ୍ଟ ହୋଇଥିବା ବେଳେ ଏହି ପ୍ରସଂଗକୁ କିନ୍ତୁ ତଦନ୍ତ ପ୍ରକ୍ରିୟାରେ ବିଶେଷ ଗୁରୁତ୍ବ ଦିଆଯାଇ ନଥିବା ଜଣାପଡ଼ିଥିଲା।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର