କଟକ : ଜାହାଜକୁ ଆରେଷ୍ଟ କରାଯିବ। କିନ୍ତୁ ଜାହାଜରେ ପରିବହନ କରାଯାଉଥିବା ମାଲ (କାର୍ଗୋ)କୁ ଆରେଷ୍ଟ କରାଯାଇ ପାରିବ ନାହିଁ। ଆଜି ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ଚୁକ୍ତି ଉଲ୍ଲଂଘନ ଅଭିଯୋଗ ନେଇ ପାନାମାର ଏକ ସଂସ୍ଥା ଦ୍ବାରା ପରିଚାଳିତ ଚାଇନିଜ୍ ଜାହାଜ ଏମ୍‌ଭି ଝେଙ୍ଗ ୟାଓ (୯୬୦୧୮୮୩) ବିରୋଧରେ ଅଭିଯୋଗ ହୋଇଥିଲା। ଏ ନେଇ କକେଟ ମେରାଇନ ଅଏଲ ଡିଏମସିସି ଏବଂ ଟର୍ମଅଏଲ ସଂସ୍ଥା ଦୁଇଟି ପୃଥକ ଆବେଦନ ଜାହଜ ଏମ୍‌ଭି ଝେଙ୍ଗ ୟାଓ ବିରୋଧରେ ହାଇକୋର୍ଟରେ ରୁଜୁ କରିଥିଲେ। ଏ ସଂପର୍କିତ ମାମଲାର ଶୁଣାଣି କରି ଜାହାଜକୁ ଆରେଷ୍ଟ କରିବା ପାଇଁ ନଭେମ୍ବର ୨୭ରେ ହାଇକୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା। ନିର୍ଦ୍ଦେଶରେ ସଂଶୋଧନ/ସ୍ପଷ୍ଟୀକରଣ ଲୋଡି ଜାହାଜ ଓ ଜାହାଜ ପରିଚାଳନା ଦାୟିତ୍ବରେ ଥିବା ଏମ୍‌ଭି ଝେଙ୍ଗ ୟାଓ ଗ୍ରୁପ୍ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ କେବଳ ଜାହାଜକୁ ଆରେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। କିନ୍ତୁ ପରିବହନ ହେଉଥିବା ମାଲକୁ ଜାହଜରୁ ଖଲାସ ପାଇଁ ଅନୁମତି ଦିଆଯାଉ। ଧାମରା ପୋର୍ଟରେ ଟ୍ରାଫିକ ସମସ୍ୟା ରହୁଥିବା ବେଳେ ଜାହାଜକୁ ଏଥି ପାଇଁ ସେଠାରେ ଅଟକାଇବା ଲାଗି ସୁଯୋଗ ନ ମିଳିପାରେ ବୋଲି ଜାହଜ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଥିଲା। ଜାହାଜରେ ଥିବା କାର୍ଗୋକୁ ଆରେ‌ଷ୍ଟ ସଂପର୍କରେ ପୂର୍ବ ନିର୍ଦ୍ଦେଶରେ କିଛି ଉଲ୍ଲେଖ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

Advertisment

publive-image

ହାଇକୋର୍ଟ ଜାହାଜ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି କେବଳ ଜାହାଜକୁ ଆରେଷ୍ଟ କରାଯାଇଛି, ଏଥିରେ ଥିବା ମାଲକୁ ନୁହେଁ, ବୋଲି ଅବଗତ କରିବା ପାଇଁ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ନ‌ିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜାହାଜକୁ ପୋର୍ଟରେ ଅଟକି ରହିବା ଲାଗି ଓ ପରିବାହିତ ହେଉଥିବା ମାଲ ଖଲାସ କରିବା ପାଇଁ ଅନୁମତି ନେଇ ଧାମରା ପୋର୍ଟ କର୍ତ୍ତୃପକ୍ଷ ଅନୁମତି ଦେଇ ପାରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଂଜୟ କୁମାର ମିଶ୍ର ଓ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ପ୍ରତିପକ୍ଷ ଜାହାଜ ଏମ୍‌ଭି ଝେଙ୍ଗ ୟାଓ ପକ୍ଷରୁ ଆଇନଜୀବୀ ସୁଦୀପ୍ତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।