୭୩ ବର୍ଷରେ ଓଡ଼ିଶା ହାଇକୋର୍ଟ

ଆଜି ପ୍ରତିଷ୍ଠା ଦିବସ; ପ୍ରଥମ ମୁଖ୍ୟ ବିଚାରପତିଙ୍କ ଶ୍ରାଦ୍ଧଦିବସ

କଟକ : ଓଡ଼ିଶା ହାଇକୋର୍ଟକୁ ୭୨ ବର୍ଷ ପୂରିଲା। ୧୯୪୮, ଜୁଲାଇ ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ହାଇକୋର୍ଟ। ଆଜି ହେଉଛି ପ୍ରତିଷ୍ଠା ଦିବସ। ଓଡ଼ିଶା ହାଇକୋର୍ଟ ଗଠନ ପଛରେ ରହିଛି ଏକ ସୁଦୀର୍ଘ ଇତିହାସ। ପରବର୍ତ୍ତୀ ସମୟରେ ବି ଦେଶର ଆଇନ କ୍ଷେତ୍ରରେ ଅନେକ ଇତିହାସ ସୃଷ୍ଟିକରିଛି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟର ଅନେକ ବିଚାରପତି ଦେଶର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦ ବି ଅଳଙ୍କୃତ କରିପାରିଛନ୍ତି।

ସେତେବେଳେ ବଙ୍ଗ ପ୍ରଦେଶ ଭିତରେ ଥିଲା ଓଡ଼ିଶା। ପ୍ରଶାସନିକ ଓ ସାମାଜିକ ଆବଶ୍ୟକତାକୁ ନେଇ ୧୯୧୨, ମାର୍ଚ୍ଚ ୨୨ରେ ବିହାର ଓ ଓଡ଼ିଶାକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ଜନ୍ମଲାଭ କରିଥିଲା। ମାତ୍ର ପ୍ରଦେଶର ବିଚାରବିଭାଗ ବ୍ୟବସ୍ଥା କଲିକତା ହାଇକୋର୍ଟ ଅଧୀନରେ ରହିଥିଲା। ୧୯୧୬, ଫେବ୍ରୁଆରି ୯ରେ ବ୍ରିଟିଶ ରାଣୀଙ୍କ ଦ୍ବାରା ଭାରତ ଶାସନ ଆଇନ ଅନୁସାରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ବଳରେ ପାଟନା ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା। ପାଟନା ହାଇକୋର୍ଟ ଅଧୀନରେ ଓଡ଼ିଶା ରହିଥିଲା। ୧୯୧୬, ମେ ୧୮ରେ କଟକରେ ପାଟନା ହାଇକୋର୍ଟର ପ୍ରଥମ ସର୍କିଟ୍ ବେଞ୍ଚ ବସିଥିଲା। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚେମିୟର ଓ ଜଷ୍ଟିସ୍ ସରାଫଉଦ୍ଦିନ ସର୍କିଟ୍ ବେଞ୍ଚରେ ବସି ଓଡ଼ିଶାର ବିଭିନ୍ନ ମାମଲା ବିଚାର କରିଥିଲେ। ତତ୍କାଳୀନ କଟକ ବାର୍ ଆସୋସିଏସନ୍ ସଭାପତି ଉତ୍କଳ ଗୌରବ ମଧୁସୂଦନ ଦାସ ସର୍କିଟ୍ କୋର୍ଟ ଭବିଷ୍ୟତରେ ସ୍ଥାୟୀ ହାଇକୋର୍ଟରେ ପରିଣତ ହେବ ବୋଲି ଆଶା ପ୍ରକାଶ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚେମିୟର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହି ସର୍କିଟ୍ କୋର୍ଟ ଭାରତ ବର୍ଷର ପ୍ରଥମ ସର୍କିଟ୍ କୋର୍ଟ।

୧୯୩୬ ଏପ୍ରିଲ ୧ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ପରେ ଓଡ଼ିଶା ପାଇଁ ଏକ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ଦାବି ଜୋର ଧରିଥିଲା। ୧୯୪୨, ଅଗଷ୍ଟ ୧୫ରେ ତତ୍କାଳୀନ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ମନ୍ତ୍ରିମଣ୍ଡଳରେ ଗୃହୀତ ପ୍ରସ୍ତାବ ଅନୁସାରେ ଏକ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠାର ଆବଶ୍ୟକତା ଅନୁଧ୍ୟାନ କରିବାକୁ ଏକ କମିଟି ଗଠିତ ହୋଇଥିଲା। ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ କମିଟି ଓଡ଼ିଶା ପାଇଁ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିଲା। ବହୁ ଘାତପ୍ରତିଘାତ ଭିତରେ ୧୯୪୮, ଏପ୍ରିଲ ୩୦ରେ ଓଡ଼ିଶା ହାଇକୋର୍ଟ ଅର୍ଡର, ୧୯୪୮ ଅନୁସାରେ ଓଡ଼ିଶା ହାଇକୋର୍ଟ ପ୍ରତି‌ଷ୍ଠା ପାଇଁ ଭାରତ ସରକାର ଘୋଷଣାନାମା ଜାରି କରିଥିଲେ। ୧୯୪୮, ଜୁଲାଇ ୫ରେ ଓଡ଼ିଶା ରାଜ୍ୟ ପାଇଁ ସ୍ବତନ୍ତ୍ର ହାଇକୋର୍ଟ ହେବ ବୋଲି ଘୋଷଣା କରାଯାଇଥିଲା। ଶେଷରେ ତାରିଖରେ ପରିବର୍ତ୍ତନ ହୋଇଥିଲା। ୧୯୪୮, ଜୁଲାଇ ୨୬ରେ ଓଡ଼ିଶା ହାଇକୋର୍ଟ ଆନୁଷ୍ଠାନିକ ଭାବେ ‌ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ସାର୍ ହରିଲାଲ ଜେ. କାନିଆଙ୍କ ଦ୍ବାରା ଓଡ଼ିଶାର ପ୍ରାଣକେନ୍ଦ୍ର କଟକ ସହରରେ ଉଦ୍‌ଘା‌ଟିତ ହୋଇଥିଲା।

Odisha News Insight

ଏହି ଉତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଆସିଫ ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ। ପଶ୍ଚିମବଙ୍ଗର ତତ୍କାଳୀନ ରାଜ୍ୟପାଳ ଡକ୍ଟର କୈଳାସନାଥ କାଟ୍‌ଜୁ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ ସୁଲତାନ ଅହମ୍ମଦ, ବଙ୍ଗଳାର ଆଡଭୋକେଟ ଜେନେରାଲ ସାର୍ ଏସ.ଏସ.ବୋଷ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ମୁଖ୍ୟବିଚାରପତି ଓ ବିଚାରପତି ପାଟନା ହାଇକୋର୍ଟର ଓଡ଼ିଆ ବିଚାରପତି ଥିବା ଜଷ୍ଟିସ୍ ବୀରକିଶୋର ରାୟ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ସହିତ ଜଷ୍ଟିସ୍ ବି.ଜଗନ୍ନାଥ ଦାସ, ଜଷ୍ଟିସ୍ ଲିଙ୍ଗରାଜ ପାଣିଗ୍ରାହୀ, ଜଷ୍ଟିସ୍ ଆର.ଏଲ.ନରସିଂହମ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ୍ ବୀରକିଶୋର ରାୟ ପାଟନା ହାଇକୋର୍ଟର ୧୯୪୫ରେ ବିଚାରପତି ହେବା ପୂର୍ବରୁ ସେଠାରେ ଓଡ଼ିଶା ସରକାରଙ୍କ ମହାଧିବକ୍ତା ଥିଲେ। ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଉତ୍କଳ ସାହିତ୍ୟ ସମାଜର ସଭାପତି ଥିଲେ। ତାଙ୍କ ପୁତ୍ର ଜଷ୍ଟିସ ସୁକାନ୍ତ କିଶୋର ରାୟ ମଧ୍ୟ ସମୟକ୍ରମେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।

ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ସହିତ ଜଷ୍ଟିସ ବି.ଜଗନ୍ନାଥ ଦାସ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଜଷ୍ଟିସ ଆର.ଏଲ.ନରସିଂହମଙ୍କୁ ନେଇ ଓଡ଼ିଶା ହାଇକୋର୍ଟ ଆରମ୍ଭ ହୋଇଥିଲା। ଓଡ଼ିଶା ହାଇକୋର୍ଟ ଆରମ୍ଭରୁ ବିଚାରପତି ଥିବା ଉପରୋକ୍ତ ତିନି ବିଚାରପତି ପରବର୍ତ୍ତୀ ସମୟରେ ମୁଖ୍ୟ ବିଚାରପତି ପଦ ଅଳଙ୍କୃତ କରିଥିଲେ। ଜଷ୍ଟିସ ଦାସ ୧୯୫୧, ଅକ୍ଟୋବର ୩୧‌ରେ ଓଡ଼ିଶା ହାଇକୋର୍ଟର ଦ୍ବିତୀୟ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେହିଭଳି ଜଷ୍ଟିସ ପାଣିଗ୍ରାହୀ ୧୯୫୩, ମାର୍ଚ୍ଚ ୪ରେ ଓ ଜଷ୍ଟିସ ନରସିଂହମ ୧୯୫୬, ମାର୍ଚ୍ଚ ୨୨ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପ୍ରଥମ ଓଡିଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ର ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ କି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିଥିଲେ। ସମୟକ୍ରମେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଜଷ୍ଟିସ୍ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିଛନ୍ତି। ସେହିଭଳି ଭାବେ ଜଷ୍ଟିସ ରାଧାଚରଣ ପଟ୍ଟନାୟକ, ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର, ଜଷ୍ଟିସ୍ ଅରିଜିତ ପଶାୟତ, ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟର ବିଚାରପତି ପଦ ମଣ୍ଡନ କରି ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି। ଏଥିସହିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ବି.ଏଲ.ହଂ‌ସାରିଆ, ଜଷ୍ଟିସ୍ ଜି.କେ.ନାନାବତି, ଜଷ୍ଟିସ୍ ଏସ.ଏନ.ଫୁକନ୍, ଜଷ୍ଟିସ୍ ବି.ଏନ.ଅଗ୍ରୱାଲ, ଜଷ୍ଟିସ୍ ପି.କେ.ଏ.ବାଳସୁବ୍ରମର୍ଣ୍ଣ୍ୟମ୍, ଜଷ୍ଟିସ୍ ଏ.କେ.ଗାଙ୍ଗୁଲି, ଜଷ୍ଟିସ୍ ବି.ଏସ.ଚୌହାନ, ଜଷ୍ଟିସ୍ ଭି.ଜି.ଗୋପାଳ ‌ଗୌଡା, ଜଷ୍ଟିସ୍ ସି.ନାଗାପ୍ପାନ୍, ଜଷ୍ଟିସ୍ ଏ.କେ.ଗୋଏଲ, ଜଷ୍ଟିସ୍ ଅମିତାଭ ରାୟ, ଜଷ୍ଟିସ୍ ଭିନିତ ସରଣ ପ୍ରମୁଖ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଗୌରବମୟ ପରଂପରା ଓଡ଼ିଶା ହାଇକୋର୍ଟ ତାର ଗୌରବାଜ୍ଜ୍ବଳ ବିଚାରବିଭାଗୀୟ ପରମ୍ପରା ବଜାୟ ରଖିଛି। ୧୯୧୬, ମେ ୧୮ରେ ଓଡ଼ିଶା ହାଇକୋର୍ଟ ସର୍କିଟ୍ ବେଞ୍ଚ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା। ୧୯୧୬ରେ ଦୁଇ ଜଣ ବିଚାରପତିଙ୍କୁ ନେଇ କଟକରେ ହାଇକୋର୍ଟ ସର୍କିଟ୍ ବେଞ୍ଚ ବସିଥିଲା।

ଏବେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ହେଉଛି ୨୭। ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ‌ଭାବେ ଜଷ୍ଟିସ୍ ମହମ୍ମଦ ରଫିକ୍ ଦାୟିତ୍ବ ନିର୍ବାହ କରୁଛନ୍ତି। ଏଥି ସହିତ ବିଚାରପତି ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ସଂଜୟ କୁମାର ମିଶ୍ର, ଜଷ୍ଟିସ୍ ଚିତ୍ତରଂଜନ ଦାଶ, ଜଷ୍ଟିସ ବିଶ୍ବଜିତ ମହାନ୍ତି, ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାଶ, ଜଷ୍ଟିସ ଶତ୍ରୁଘନ ପୂଜାହାରୀ, ଜଷ୍ଟିସ୍ ବିଶ୍ବନାଥ ରଥ, ଜଷ୍ଟିସ୍ ସଂଗମ କୁମାର ସାହୁ, ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଡକ୍ଟର ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ର, ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ, ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ୍ ସାବିତ୍ରୀ ରଥ ରହିଛନ୍ତି। ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ଏବେ ଦାୟିତ୍ବ ନିର୍ବାହ କରୁଛନ୍ତି। ୨୦୦୬, ମାର୍ଚ୍ଚ ୩୧ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ବଦଳି ପରେ ୨୦୧୮, ନଭେମ୍ବର ୧୪ରେ ସେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ୨୦୧୯, ଅକ୍ଟୋବର ୬ରେ ଶପଥ ଗ୍ରହଣ କରିଥିଲେ।

ସ୍ବାମୀ ବିଚିତ୍ରାନନ୍ଦ ଦାସ ଓଡ଼ିଶା ହାଇକୋର୍ଟର ପ୍ରଥମ ଆଡଭୋକେଟ ଜେନେରାଲ ହୋଇଥିଲେ। ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କୁହାଯାଏ। ଏବେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଆଡଭୋକୋଟ ଜେନେରାଲ ଅଛନ୍ତି। ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ପରଲୋକ ୧୯୫୮, ଜୁଲାଇ ୨୬ରେ ହୋଇଥିଲା। ଏହି କାରଣରୁ ଜୁଲାଇ ୨୬ ତାରିଖକୁ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଦିବସ ଓ ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି।

-ଦେବସ୍ନାନ ଦାସ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, ମୋ.୯୪୩୭୩୫୨୯୭୮

ସମ୍ବନ୍ଧିତ ଖବର