ହାଇକୋର୍ଟରେ ଜାରି ରହିବ କଟକଣା : ଭିଡିଓ କନଫରେନ୍ସିଂରେ ସାମିଲ ହେବେ ଆଇନଜୀବୀ

କଟକ : କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ କଟକଣା ମଧ୍ୟରେ କାର୍ଯ୍ୟ କରିବ। ହାଇକୋର୍ଟ ପକ୍ଷରୁ ଅଗଷ୍ଟ ୩ ତାରିଖରେ ଶୁଣାଣି ହେବାକୁ ଥିବା ମାମଲାର ତାଲିକା (କଜ୍ ଲିଷ୍ଟ) ସହିତ କୋର୍ଟ କାର୍ଯ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ବାଭାବିକ କୋର୍ଟ କାର୍ଯ୍ୟ ଆରମ୍ଭ ପର୍ଯ୍ୟନ୍ତ ଅପେକ୍ଷା କରି ପାରୁନଥିବା ଜରୁରୀ ମାମଲାଗୁଡିକର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ। ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରୁହନ୍ତି ତେବେ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିବେ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ।

ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍ ଦ୍ବାରା କରାଯିବ। ଯଦି ଇ-ଫାଇଲିଂ ଓ ଇ-ମେଲ୍ ବ୍ୟବସ୍ଥାରେ କିଛି ବୈଷୟିକ ସମସ୍ୟା ସୃଷ୍ଟି ହୁଏ ଓ ମାମଲା ଜରୁରୀ ଥାଏ, ହାଇକୋର୍ଟ ପରିସରରେ ଥିବା ଡ୍ରପ୍ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଜରୁରୀ ପ୍ରସଂଗ ସଂପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ। ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ୍ ବକ୍ସ ବ୍ୟବସ୍ଥା ରହିବ। ଡ୍ରପ୍ ବକ୍ସରେ ଆବେଦନ ଦାଖଲ କରିବା ସମୟରେ ଭିଡ଼ ନ କରିବାକୁ ଓ ସାମାଜିକ ଦୂରତ୍ବ ନିୟମ କଡ଼ା କଡ଼ି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଂଗରେ ଜରୁରୀ ସଂପର୍କିତ ସୂଚନା‌ ଥିବା ମେମୋ ଆଇନଜୀବୀ ଓ ପକ୍ଷମାନେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଇ-ଫାଇଲିଂ/ଅନ୍-ଲାଇନ/ଇ-ମେଲ୍ ମାଧ୍ୟମରେ ଆଗୁଆ ଦାଖଲ କରିବେ। ଏଥିସହିତ ଏ ସଂପର୍କରେ ସଂପୃକ୍ତ ମାମଲାର ପ୍ରତିପକ୍ଷଙ୍କୁ ଆଗୁଆ ଅବଗତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସେମାବାର ଦିନ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସହିତ ମୁଖ୍ୟ ବିଚାରପତି ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଷ୍ଟିସ୍ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ, ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଷ୍ଟିସ୍ ଡି.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜରୁରୀ ମାମଲାର ଶୁଣାଣି କରାଯିବ। ଏହାପରେ ୭ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଦୁଇଟି ଡିଭିଜନ୍ ବେଞ୍ଚ ଓ ଚାରୋଟି ସିଙ୍ଗିଲ ବେଞ୍ଚରେ ଜରୁରୀ ମାମଲା ଗୁଡିକର ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଶୁଣାଣି କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର