ବନ୍ଦ, ହରତାଳ, ବିକ୍ଷୋଭ ବେଳେ ହିଂସାତ୍ମକ କାର୍ଯ୍ୟକଳାପ ଓ ସଂପତ୍ତି ନଷ୍ଟ ପ୍ରସଂଗ : ରାଜ୍ୟ ସରକାରଙ୍କଠାରୁ ହାଇକୋର୍ଟଙ୍କ ଜବାବ ତଲବ

କଟକ : ବନ୍ଦ, ହରତାଳ ଓ ବିକ୍ଷୋଭ ସମୟରେ ହିଂସାତ୍ମକ କାର୍ଯ୍ୟକଳାପ ଓ ସରକାରୀ ତଥା ଘରୋଇ ସଂପତ୍ତିର ନଷ୍ଟ ପ୍ରସଂଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ ମାର୍ଚ୍ଚ ୧୬ରୁ ୨୦୧୯ ଡିସେମ୍ବର ୩୧ ସୁଦ୍ଧା କେତେ ସଂଖ୍ୟକ ବିକ୍ଷୋଭ, ହରତାଳ ଓ ବନ୍ଦ ରାଜ୍ୟରେ ଅନୁଷ୍ଠିତ ହୋଇଛି ଓ କେତେ ସଂଖ୍ୟକ ଏପରି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଥିଲା ସେ ନେଇ ରାଜ୍ୟ ସରକାର ସବିଶେଷ ତଥ୍ୟ ଦାଖଲ କରିବେ।

ସୂଚନା ଅନୁସାରେ, ଏଭଳି କେତେ ସଂଖ୍ୟକ ବିକ୍ଷୋଭ, ହରତାଳ ଓ ବନ୍ଦ ହିଂସାତ୍ମକ ରୁପ ନେଇଥିଲା ଓ ସର୍ବସାଧାରଣ ତଥା ଘରୋଇ ସଂପତ୍ତି ନଷ୍ଟ ହୋଇଥିଲା, ଏଭଳି ଘଟଣାରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପ୍ରିଭେନସନ୍ ଅଫ୍ ଡ୍ୟାମେଜ ଟୁ ପବ୍ଲିକ୍ ପ୍ରପର୍ଟି ଆକ୍ଟ-୧୯୮୪ରେ ସଂଶୋଧନ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ରାଜ୍ୟ ସରକାର ହାଇକୋର୍ଟରେ ପକ୍ଷ ରଖିବେ। ଏଥିସହିତ ଗତ ଡିସେମ୍ବର ୨୬ ତାରିଖରେ ଭୁବନେଶ୍ବରରେ ବିଜେଡି ଦଳ କର୍ମୀଙ୍କ ପକ୍ଷରୁ କରାଯାଇଥିବା ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଗା‌ଡ଼ିଚାଳକଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିବା ପ୍ରସଂଗରେ ମଧ୍ୟ ସରକାର ଜବାବ ରଖିବେ। ଶୋଭାଯାତ୍ରାରେ ହେଲମେଟ୍ ନ ପିନ୍ଧି ଗାଡି ଚଳାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବଦଳରେ ସୁରକ୍ଷା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ସାଧାରଣ ବାଇକ ଚାଳକ ହେଲମେଟ ନ ପିନ୍ଧି ଗାଡି ଚଳାଉଥିବା ଧରାପଡ଼ିଲେ ଜରିମାନା ଦେଉଛନ୍ତି। ପୁଲିସ ଲକ୍ଷାଧିକ ଟଙ୍କା ସାଧାରଣ ଜନସାଧରଣଙ୍କ ନିକଟରୁ ଏଭଳି ତ୍ରୁଟି ପାଇଁ ଆଦାୟ କରୁଛି। ପୁଲିସର ଏଭଳି ପକ୍ଷପାତିତା ଆଚରଣରେ ସଂସ୍କାର ଆବଶ୍ୟକ ବୋଲି ଆମିକସ୍ କ୍ୟୁରୀଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ବେଳେ ଏହା ଉପରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୦ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ମୋହିତ ଅଗ୍ରୱାଲ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର