କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ କଟକଣା

କଟକ : ‘କରୋନା’କୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଆଜି (୨୩ ତାରିଖ) ପାଇଁ ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିବା ମାମଲାଗୁଡ଼ିକର ଶୁଣାଣି ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏଥିସହିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅତି ଜରୁରୀ ମାମଲା ସଂପର୍କରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ହ୍ବାଟ୍ସଆପ୍ ମେସେଜ୍ ଓ ଭିଡିଓ କଲ୍ ମାଧ୍ୟମରେ ଅବଗତ କରାଯାଇ ପାରିବ ବୋଲି ଆଜି ହାଇକୋର୍ଟ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡା, ଅନୁଗୁଳ ଜିଲ୍ଲା ସହିତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ଯାଜପୁର, ଯାଜପୁର ରୋଡ୍, ଭଦ୍ରକ ସହର ମାର୍ଚ୍ଚ ୨୨ ତାରିଖ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ ପାଇଁ ମାର୍ଚ୍ଚ ୨୧ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ମାର୍ଚ୍ଚ ୧୬ର ଏ ସଂପର୍କିତ ବିଜ୍ଞପ୍ତିର ଏହା କ୍ରମାନବୃତ୍ତି ନିର୍ଦ୍ଦେଶାବଳୀ ବୋଲି ଆଜି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସବୁ ସମୟ‌ରେ (୨୪x୭) ଗୋଟିଏ ଗାଡ଼ି, ଜଣେ ଡାକ୍ତରଙ୍କ ସହିତ ଦଳ ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କୁ ରୋଟେସନ୍ ଭିତ୍ତିରେ ନିୟୋଜିତ କରିବା ପାଇଁ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଜି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରେ କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ କେବଳ ଜରୁରୀ ମାମଲାଗୁଡିକର ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯେଉଁ ମାମଲାଗୁଡିକ ଜରୁରୀ ଓ ଆଉ ଅପେକ୍ଷା କରି ହେବ ନାହିଁ, ସେଗୁଡିକ ସଂପର୍କରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ଅବଗତ କରାଯିବ। ହାଇକୋର୍ଟରେ ପକ୍ଷଙ୍କ ବ୍ୟକ୍ତିଗତ ହାଜିରା ଯଦି ଅନିବାର୍ଯ୍ୟ ନଥିବ ତେବେ ଏଥିପାଇଁ ବାଧ୍ୟ କରାଯିବ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ଯଦି କୌଣସି କୌଣସି ଆଇନଜୀବୀ କିମ୍ବା ମହକିଲ ଅନୁପସ୍ଥିତ ରହନ୍ତି ତେବେ ତାଙ୍କ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର