ପ୍ରବାସୀ ଓଡ଼ିଆଙ୍କୁ ଅଟକାଅ: ହାଇକୋର୍ଟ

ସୀମାବର୍ତ୍ତୀ ଜିଲ୍ଲାରେ ରଖିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

କଟକ : ରାଜ୍ୟ ତଥା ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ। ସେମାନଙ୍କ ଗତିବିଧି, ପରିବହନ ଓ ମୌଳିକ ଆବଶ୍ୟକତା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ଏଭଳି ବ୍ୟକ୍ତିବିଶେଷଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚ‌ାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏଭଳି ଶ୍ରମିକ ଓ ବ୍ୟକ୍ତିବିଶେଷଙ୍କୁ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ରଖିବା ବ୍ୟବସ୍ଥା କରାଯିବା ସହିତ ଖାଦ୍ୟ ଯୋଗାଇ ଦେବାକୁ ‌ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ଆହୁରି କହିଛନ୍ତି ଯେ, ସ୍ବାସ୍ଥ୍ୟରକ୍ଷା ଓ ପରିମଳ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଭଳି ଶ୍ରମିକ ଓ ବ୍ୟକ୍ତିବିଶେଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ଏଭଳି ଶ୍ରମିକ ଓ ବ୍ୟକ୍ତିବିଶେଷଙ୍କୁ ରଖିବାରେ ସ୍ଥାନାଭାବ ଦେଖାଦିଏ , ବନ୍ଦ ଥିବା କଲେଜ ଓ ସ୍କୁଲ ପରିସରକୁ ଏଥି ପାଇଁ ବ୍ୟବହାର କରାଯିବ। ପରିସ୍ରାଗାର ଥିବା ଶିକ୍ଷାନୁଷ୍ଠାନକୁ ଏଥିପାଇଁ ବ୍ୟବହାର କରାଯିବ। ରାଜ୍ୟ ସରକାର ଏଥିପାଇଁ ସବୁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ସେହିଭଳି ଭାବେ ଜିଲ୍ଲାସ୍ତରରେ ଶ୍ରମିକ ଓ ବ୍ୟକ୍ତିବିଶେଷଙ୍କ ସ୍ଥାନାନ୍ତର ହେଉଥିଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ସମାନ ଧରଣର ବ୍ୟବସ୍ଥା କରିବେ। ଏଭଳି ବ୍ୟବସ୍ଥା ଅତି କମ୍‌ରେ ଲକ୍‌ଡାଉନ୍ ଉଠିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ନିଜ ଆଡୁ ଏହି ପ୍ରସଂଗକୁ ଶୁଣାଣି ପାଇଁ ଗ୍ରହଣ କରି ଆଜି ରବିବାର ଛୁଟି ଦିନରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଶ୍ରମିକ ଓ କର୍ମଜୀବୀ ଫେରୁଛନ୍ତି। ପଡୋଶୀ ରାଜ୍ୟରୁ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟ ଘରକୁ ଫେରୁଛନ୍ତି। ଏଭଳି ବ୍ୟକ୍ତିଙ୍କ ମଧ୍ୟରେ କିଏ କରୋନା ସଂକ୍ରମିତ ବୋଲି ଚିହ୍ନଟ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଭଳି ବୃହତ ଧରଣର ସ୍ଥାନାନ୍ତର କରୋନା ସଂକ୍ରମଣର କାରଣ ହୋଇପାରେ। ଏହି ପରିସ୍ଥିତିରେ ହଜାର ହଜାର ସ୍ଥାନରେ ଏଭଳି ବ୍ୟକ୍ତିଙ୍କ କଥା ବୁଝିବା କଷ୍ଟସାଧ୍ୟ। ଏଭଳି ବୃହତ ଧରଣର ସ୍ଥାନାନ୍ତର ଓ ଚଳାଚଳ ପାଇଁ ଗାଡି ଯୋଗାଇ ଦେବା ମଧ୍ୟ କଷ୍ଟକର। କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ସମୟରେ ଏଭଳି ବିଶାଳ ସଂଖ୍ୟାର ବ୍ୟକ୍ତିବିଶେଷଙ୍କ ଚଳାଚଳ/ସ୍ଥାନାନ୍ତର ଉପରେ ଅଙ୍କୁଶ ଆବଶ୍ୟକ ଥିବାବେଳେ ସରକାର ଶ୍ରମିକଙ୍କୁ ସେମାନେ ଏବେ ରହୁଥିବା ସ୍ଥାନରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ହାଇକୋର୍ଟ ନିଜ ଆଡୁ ଏହି ପ୍ରସଂଗକୁ ଜନସ୍ବାର୍ଥ ମାମଲା ଭାବେ ଗ୍ରହଣ କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ବୋଲି ପ୍ରକାଶିତ ରାୟରେ ଉ‌ଲ୍ଲେଖ କରାଯାଇଛି।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବାହାର ରାଜ୍ୟକୁ ବିଭିନ୍ନ ଭାବେ ହଇରାଣ ହୋଇ ଓଡ଼ିଶାକୁ ଫେରୁଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଖାଦ୍ୟ, ପାନୀୟ ଓ ସ୍ବାସ୍ଥ୍ୟସେବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ମିଳିପାରିବ। ଏଥିସହିତ ବିଭିନ୍ନ ଜିଲ୍ଲାରେ କାମ କରୁଥିବା ଶ୍ରମଜୀବୀମାନେ ମଧ୍ୟ ନିଜ ଜିଲ୍ଲାକୁ ଫେରିବାକୁ ଉଦ୍ୟମ କରିବେ ନାହିଁ। କାରଣ ସେମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର