ହାଇକୋର୍ଟ ପ୍ରତିଷ୍ଠା ଦିବସ ଓ ଜଷ୍ଟିସ୍‌ ବି.କେ ରାୟଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

କଟକ : ହାଇକୋର୍ଟର ପ୍ରତିଷ୍ଠା ଦିବସ ଓ ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଆଜି ପାଳିତ ହୋଇଛି। ୧୯୪୮, ଜୁଲାଇ ୨୬ ତାରିଖ ଦିନ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ହୋଇଥିବାବେଳେ ଆଜି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିସହିତ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବି.କେ ରାୟଙ୍କ ତିରୋଧାନ ଦିବସ ମଧ୍ୟ ପାଳନ କରାଯାଇଛି।

ହାଇକୋର୍ଟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍, ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଜଷ୍ଟିସ୍‌ ବି.କେ ରାୟ ସ୍ମୃତି କମିଟି ଉପ-ସଭାପତି ସନାତନ ଦାସ, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପଟେଲ, ନାଗରିକ କମିଟି ସଂପାଦକ ଅଭୟ କୁମାର ବଡ଼ଜେନା, ସଦସ୍ୟ ଆଇନଜୀବୀ ଅକ୍ଷୟ କୁମାର ଦାସ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସାମାଜିକ ଦୂରତ୍ବ ନିୟମ ରକ୍ଷା କରି ଆୟୋଜିତ କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀଙ୍କ ସହିତ କର୍ମଚାରୀମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଜଷ୍ଟିସ୍‌ ବି.କେ ରାୟ ସ୍ମୃତି କମିଟି ପକ୍ଷରୁ ଅପରାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଯୋଗଦେଇ କହିଥି‌ଲେ‌ ଯେ, ଜଷ୍ଟିସ ବୀରକିଶୋର ରାୟ ଜଣେ ମହାନ ବିଚାରପତି ଥିଲେ। ଯୁବ ଆଇନଜୀବୀମାନେ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଯୋଗଦେଇ ହାଇକୋର୍ଟ ପ୍ରତିଷ୍ଠାରେ ଜଷ୍ଟିସ ରାୟଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଯୋଗଦେଇ କହିଥିଲେ ଯେ, ଜଷ୍ଟିସ ରାୟ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଓ ସେ ଚିରସ୍ମରଣୀୟ ହୋଇ ରହିବେ।

ସ୍ମୃତି କମିଟି ଉପ-ସଭାପତି ସନାତନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ବିଜୟ କୁମାର ରଗଡ଼ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଲକ୍ଷ୍ମୀନାରାୟଣ ପଟେଲ ଧନ୍ୟବାଦ ଦେଇଥିଲେ। ଏହି ଭର୍ଚୁଆଲ ସଭାରେ ଅନ୍ୟମାନଙ୍କ ମଧ୍ୟରେ କ୍ୟାଟ୍‌ର ପୂର୍ବତନ ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ଆଇନଜୀବୀ ଭି. ନରସିଂହ, ଅମୀୟ ମିଶ୍ର, ଅଭୟ ଶର୍ମା, ତାପସ ପ୍ରହରାଜ, କବିର ଜେନା, ଗଙ୍ଗାଧର ସାମଲ, ଆଲୋକ ପଣ୍ଡା, ଦିଗମ୍ବର ସେଠୀ, ସରୋଜ ଆଚାର୍ଯ୍ୟ, ପ୍ରଣୟ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର