ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ାରେ ହାଇକୋର୍ଟଙ୍କ କଟକଣା : ନେଗେଟିଭ୍ ଥିଲେ ହିଁ ଫେରିବେ

କଟକ : ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ଭୂତାଣୁ ସଂକ୍ରମଣକୁ ନେଇ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରୁହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ। ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ନିଶ୍ଚିତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବେ। ପ୍ରବାସୀ ଓଡ଼ିଆଙ୍କ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଏହି ଗୁରୁତ୍ବପୂର୍ଣ୍ଣ ତଥା ଉଲ୍ଲେଖନୀୟ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ସମୟରେ ଏହି ମାମଲାରେ ଆବଶ୍ୟକ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନକାରୀ ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ଦର୍ଶାଇଥିଲେ ଯେ, କରୋନା ଭୂତାଣୁ ପାଇଁ କୌଣସି ଟିକା ବାହାରି ନଥିବାବେଳେ ଏହାର ସଂକ୍ରମଣ ‌ରୋକିବାକୁ ସାମାଜିକ ଦୂରତ୍ବ ଏକମାତ୍ର ବାଟ। କରୋନାର ଚେନ୍‌କୁ ଭାଙ୍ଗିବା ପାଇଁ ଦେଶସାରା ଲକ୍‌ଡାଉନ ଘୋଷଣା କରାଯାଇଛି ଓ ଯିଏ ଯେଉଁଠି ଅଛନ୍ତି ସେଠାରେ ଘ‌ରେ ରହିବାକୁ କୁହାଯାଇଛି। କିନ୍ତୁ ରାଜ୍ୟ ସରକାର ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଶ୍ରମଜୀବୀ ଓ ବିଦ୍ୟାର୍ଥୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ଭୂତାଣୁକୁ ନେଇ ଦେଖା ଦେଇଥିବା ଏପରି ପରିସ୍ଥିତିରେ ଏହି ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହାଦ୍ବାରା ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ରହିଥିବା ନିୟମ ଉଲ୍ଲଂଘନ ହେବ। ଯେଉଁ ଉଦ୍ଦେଶ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି ସେ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ। କିଛି ଲୋକଙ୍କ ପାଇଁ ସମଗ୍ର ରାଜ୍ୟବାସୀ ଅସୁବିଧାରେ ପଡ଼ିବେ। ପ୍ରାୟ ୫ଲକ୍ଷ ଲୋକ ରାଜ୍ୟକୁ ଫେରିବାକୁ ପଞ୍ଜୀକରଣ କରିଥିବାବେଳେ ଏହାଦ୍ବାରା ସାରାରାଜ୍ୟରେ କରୋନା ବ୍ୟାପିବାର ସମ୍ଭାବନା ରହିଛି। ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କ ପାଇଁ ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କରୁଛନ୍ତି। ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ଭିତରକୁ ନ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ସରକାର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରି ସୁରକ୍ଷିତ ଭାବେ ସେଠାରେ ରହିବାକୁ କୁହନ୍ତୁ। ଏହାଦ୍ବାରା ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ହେବ ବୋଲି ଆବେଦନରେ ଦର୍ଶାଯାଇଛି।

ଶୁଣାଣି ସମୟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଦର୍ଶାଇଥିଲେ ଯେ, ପ୍ରବାସୀମାନେ ରାଜ୍ୟକୁ ଫେରିବା ପୂର୍ବରୁ ସଂକ୍ରମିତ ଥିବା ଭଳି ତଥ୍ୟରୁ ସ୍ପଷ୍ଟ ହେଉଛି। ତେଣୁ ଫେରାଇ ଆଣିବା ପୂର୍ବରୁ ପ୍ରବାସୀଙ୍କ କରୋନା ପରୀକ୍ଷା କରାଯିବା ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଖଣ୍ଡପୀଠ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ମତ ମଧ୍ୟ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର