ଅପରାଧର ଶିକାର ବ୍ୟକ୍ତିଙ୍କ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ୪ ସପ୍ତାହ ଭିତରେ ପାଇବେ କ୍ଷତିପୂରଣ

ଅଭିଯୁକ୍ତଙ୍କ ଜାମିନ ଶୁଣାଣିବେଳେ ନିମ୍ନ ଅଦାଲତ ନେବେ ନିଷ୍ପତ୍ତି

କଟକ : ଅପରାଧ ଘଟଣାର ଶିକାର ହୋଇଥିବା ପୀଡ଼ିତ ପ୍ରଥମେ କ୍ଷତିପୂରଣ ପାଇବାକୁ ହକ୍‌ଦାର୍‌। ପୀଡ଼ିତ ବ୍ୟକ୍ତିଙ୍କ କ୍ଷତି ଓ ମେଡିକାଲ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡ଼ିଶା ଭିକ୍ଟିମ କଂପେନ୍‌ସେସନ୍ ସ୍କିମ୍-୨୦୧୭ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏ ‌ଦିଗରେ ପଦକ୍ଷେପ ନେବେ। ଚାରି ସପ୍ତାହ ଭିତରେ ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ। ବିଚାରାଧୀନ ମାମଲାରେ ଯଦି ଅଭିଯୁକ୍ତ ପରବର୍ତ୍ତୀ ସମୟରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ନିମ୍ନ ଅଦାଲତ ପୀଡିତଙ୍କୁ ଆଉ ଅଧିକ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ବିଚାର କରିବେ। ଏହି ଅର୍ଥ ଦୋଷୀଙ୍କ ନିକଟରୁ ଆଦାୟ କରାଯିବ। ଏକ ଜାମିନ ଆବେଦନ ସଂପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହାସହିତ ଏଭଳି ମାମଲାର ତ୍ବରିତ ବିଚାର କରିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପ୍ରକାର ଅପରାଧିକ ଘଟଣାରେ ଜାମିନ ମାମଲାର ଶୁଣାଣି କରିବା ବେଳେ ନିମ୍ନ ଅଦାଲତ ପୀଡିତଙ୍କୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ବିଚା‌ର କରିବେ, ଯାହାଦ୍ବାରା ପୀଡିତ ଏହି ଟଙ୍କାକୁ ମେଡିକାଲ ଖର୍ଚ୍ଚ ପାଇଁ ବ୍ୟବହାର କରି ପାରିବେ ବୋଲି ମଧ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଜଣେ ବ୍ୟକ୍ତିଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କୁ ପୋଡି ମାରିବା ଉଦ୍ୟମ ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏଭଳି ନିର୍ଦ୍ଦେଶ ଦେବା ସହିତ ସଂପୃକ୍ତ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ରାୟରେ ଉଲ୍ଲେଖ କରାଯାଇଛି ଯେ କୌଣସି ଅପରାଧ କେବଳ ଫୌଜଦାରୀ ଆଇନର ଉଲ୍ଲଂଘନ କରୁନାହିଁ, ଏହା ପୀଡ଼ିତଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବା ସହିତ ଶାରୀରିକ ତଥା ମାନସିକ ଆଘାତ ମଧ୍ୟ ଦେଉଛି। ମାମଲାର ଚୂଡାନ୍ତ ରାୟ ଯାହାହେଉ ପଛେ ପ୍ରଥମେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ। ଅଦାଲତରେ ଅଭିଯୁକ୍ତର ଶୁଣାଣି ହୋଇ ନଥିଲେ ବି ପୀଡିତଙ୍କୁ ଥଇଥାନ କରାଯିବା ଆବଶ୍ୟକ। କ୍ଷତିପୂରଣ ପାଇବା ପାଇଁ ପୀଡିତ ରାଜ୍ୟ କିମ୍ବା ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ଅନୁରୋଧ କରି ପାରିବେ। ଅଦାଲତ ଏ ସଂକ୍ରାନ୍ତରେ ହରି ସିଂ ବନାମ ସୁଖବୀର ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଅବତାରଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ମାରିବା ଉଦ୍ୟମ ଅଭିଯୋଗ ନେଇ ରେଢାଖୋଲ୍ ଥାନାରେ ଆଇପିସିର ଦଫା ୨୮୫ ଓ ୩୦୭ରେ ମାମଲା ରୁଜୁ ହୋଇଥିଲା। ୨୦୧୯, ନଭେମ୍ବର ୮ ତାରିଖରେ ଅଭିଯୁକ୍ତ ସଂଜିତ ଷଣ୍ଢକୁ ପୁଲିସ ଗିରଫ କରିଥିଲା। ୨୦୨୦, ଫେବ୍ରୁଆରି ୨୭ରେ ନିମ୍ନ ଅଦାଲତରେ ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର