ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ : ପରିବାର ଅଦାଲତ କାଉ‌ନସେଲରଙ୍କ ଚାକିରି ସର୍ତ୍ତାବଳୀ ଧାର୍ଯ୍ୟ ହେବ

କଟକ : ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା କାଉନସେଲରଙ୍କ ଚାକିରି ସର୍ତ୍ତାବଳୀ ଧାର୍ଯ୍ୟ ଓ ପ୍ରାପ୍ୟ ବୃଦ୍ଧି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କାଉନସେଲରଙ୍କ ଏବେ କୌଣସି ଚାକିରି ସର୍ତ୍ତ ନଥିବାବେଳେ ଏହି ପ୍ରସଂଗରେ ୬ ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କାଉନସେଲରଙ୍କ ପ୍ରାପ୍ୟ ବୃଦ୍ଧି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଚାକରି ସର୍ତ୍ତାବଳୀ ପ୍ରଣୟନ ପର୍ଯ୍ୟନ୍ତ ପ୍ରମୁଖ କାଉନସେଲରଙ୍କୁ ୩୨ ହଜାର ୫ଶହ ଓ କାଉନସିଲରଙ୍କୁ ୨୩ ହଜାର ୨୪୦ ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ନୂଆ ଚାକିରି ସର୍ତ୍ତାବଳୀ ଅନୁସାରେ କାଉନସେଲରଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାଜପୁର ଜିଲ୍ଲା ପରିବାର ଅଦାଲତ କାଉନସେଲର ଆଶୋକ ଦାସଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ପରିବାର ଅଦାଲତରେ ପ୍ରମୁଖ କାଉନସେଲର ଓ କାଉନସେଲରଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ନେଇ ନିୟମ ରହିଥିବାବେଳେ ସେମାନଙ୍କ ଚାକିରି ଓ ପ୍ରାପ୍ୟ ସଂପର୍କିତ କୌଣସି ନିୟମାବଳୀ ନଥିଲା। ପରିବାର ଅଦାଲତର ପ୍ରମୁଖ କାଉନସେଲରଙ୍କୁ ୨୦ ଦିନର କାର୍ଯ୍ୟ ଦିବସ ଆଧାରରେ ୧୫ ହଜାର ଟଙ୍କା ଓ କାଉନସେଲରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏଥିରେ ବୃଦ୍ଧି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ଏଥିସହିତ ଏହି ପଦବିରେ ନିଯୁକ୍ତି ପରେ ପ୍ରାପ୍ୟ ବୃଦ୍ଧି ଓ ଅନ୍ୟ ସୁବିଧା ପ୍ରଦାନ ପ୍ରସଂଗରେ କୌଣସି ସର୍ତ୍ତାବଳୀ ନଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ର, ଆସାମ ଓ କେରଳ ରାଜ୍ୟରେ ପରିବାର ଅଦାଲତ କାଉନ‌େସଲରଙ୍କୁ ୩୦ରୁ ୩୬ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯିବା ସହିତ ସେମାନଙ୍କୁ ସରକାରଙ୍କ ବରିଷ୍ଠ ଅଧିକାରୀ ପାହ୍ୟା ପ୍ରଦାନ କରାଯାଉଛି। ତେଣୁ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା କାଉନସେଲରଙ୍କ ପ୍ରାପ୍ୟ ବୃଦ୍ଧି କରାଯାଉ ଓ ଚାକିରି ସର୍ତ୍ତାବଳୀ ପ୍ରଣୟନ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପରିବାର ଅଦାଲତରେ ରୁଜୁ ମାମଲା ଗୁଡିକର ପକ୍ଷଙ୍କ ମଧ୍ୟରେ ଥିବା ବିବାଦକୁ ପ୍ରାଥମିକ ପର୍ଯ୍ୟାୟରେ କାଉନସେଲର ଆପୋସରେ ସମାଧାନ କରିବା ପାଇଁ ଉଦ୍ୟମ କରିଥାନ୍ତି। ଏଥିରେ ବିଫଳ ହେଲେ ମାମଲାର କୋର୍ଟରେ ବିଚାର ଚାଲିଥାଏ। କାଉନସେଲରଙ୍କ ରିପୋର୍ଟର ମାମଲାରେ ଯଥେଷ୍ଟ ଗୁରୁତ୍ବ ରହିଥାଏ ଓ ଅନେକ ସମୟରେ ବିବାଦର ସମାଧାନ ମଧ୍ୟ କାଉନସେଲିଂ ବେଳେ ଆପୋସରେ ହୋଇଥାଏ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର