କଲେଜିୟମ ବ୍ୟବସ୍ଥା ଉଚ୍ଛେଦ ପାଇଁ ଦାବି, ୧୬ ଯାଏ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ

କଟକ : ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟର ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଜି ଦିନ ୨ଟାରୁ ଆଇନଜୀବୀମାନେ କୋର୍ଟ ବର୍ଜନ‌ କରିଥିଲେ। ବୁଧବାର ପର୍ଯ୍ୟନ୍ତ କୋର୍ଟ ବର୍ଜନ ଜାରି ରହିବ ବୋଲି ଆଜି ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୬ ତାରିଖ ଦିନ ୧ଟା ୧୫ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।

ଆଜି ଅନୁଷ୍ଠିତ ସାଧାରଣ ପରିଷଦ ‌ବୈଠକରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆଇନଜୀବୀମାନେ ମତ ରଖିଥିଲେ। ବିଚାରପତି ନିଯୁକ୍ତି ପ୍ରସଂଗରେ ଓଡ଼ିଶା ହାଇକୋର୍ଟ କଲେଜିୟମ ଓ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ଆଇନଜୀବୀମାନେ ବିରୋଧ କରିଥିଲେ। ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କଲେଜିୟମ ବ୍ୟବସ୍ଥାକୁ ବହୁ ଆଇନଜୀବୀ ବିରୋଧ କରିଥିଲେ। ଏପରି ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ଦାବି କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ସହିତ ନ୍ୟାସନାଲ ଜୁଡିସିଆଲ ଅପଏଣ୍ଟମେଣ୍ଟ କମିସନ୍(ଏନ୍‌ଜେଏସି) ମାଧ୍ୟମରେ ବିଚାରପତି ନିଯୁକ୍ତି କରିବା ପାଇଁ ମତ ପ୍ରକାଶ ପାଇଥିଲା। ସାରା ଦେଶରେ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରସଂଗରେ ଏନଜେଏସି ବ୍ୟବସ୍ଥା ଲଗୁ କରିବା ପାଇଁ ଦାବି କରାଯାଇଥିଲା। ଏହି ପ୍ରସଂଗକୁ ଆଗକୁ ବଢାଇବା ପାଇଁ ଅକ୍ଟୋବର ୧୫ରେ ଏକ ଆକ୍ସନ କମିଟି ଗଠନ ପାଇଁ ଆଜି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିସହିତ ଏହି ପ୍ରସଂଗକୁ ନେଇ ସାରା ରାଜ୍ୟରେ ଗୋଟିଏ ଦିନ ଆନ୍ଦୋଳନ କରାଯିବ। ହାଇକୋର୍ଟ ବାର୍ ଦାବି ସଂପର୍କରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଅବଗତ କରାଯିବ। ହାଇକୋର୍ଟ ବାର୍ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ ପ୍ରାଧନମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବ। ଏଥିପାଇଁ ଆକ୍ସନ କମିଟି ତାରିଖ ଧାର୍ଯ୍ୟ କରିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର