ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍‌

କଟକ/ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ତାର ଚାବି ହଜିବା ଘଟଣା ଓ ଶ୍ରୀଜଗନ୍ନାଥଙ୍କ ୧୩ଶହ ଏକର ଜମି ବେଦାନ୍ତକୁ ଦେବା ପ୍ରସଂଗର ସିବିଆଇ ତଦନ୍ତ ପାଇଁ ଦାୟର ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ମାସ ୨୬ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବନାକୁ ସମ୍ମାନ ଦିଆଯାଇ ସମସ୍ତ ଘଟଣାକ୍ରମରେ ବିଦ୍ଧିବଦ୍ଧ ତଦନ୍ତ ପାଇଁ ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟର୍ସର ଅଧ୍ୟକ୍ଷ ତଥା ଆଡଭୋକେଟ ଦେବାଷିଶ ମିଶ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରାଯାଇ ଘଟଣାକ୍ରମକୁ ଗୋଳମାଳିଆ କରିଦିଆଯାଇଛି। ପ୍ରକୃତ ସତ୍ୟ କ’ଣ କେହି ଜାଣି ପାରୁନାହାନ୍ତି। ରତ୍ନ ଭଣ୍ଡାରର ଡୁପ୍ଳିକେଟ ଚାବି ତିଆରି ନେଇ କୌଣସି ବ୍ୟବସ୍ଥା ନଥିଲେ ମଧ୍ୟ ଡୁପ୍ଳିକେଟ ଚାବି ମିଳିବା କଥା ପୁରୀ ଜିଲ୍ଲାପାଳ ଜଣାଇବା ପରେ ସମସ୍ତ ଘଟଣାକ୍ରମ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ରେକର୍ଡ ଅନୁଯାୟୀ ଅସଲି ଚାବି ପୁରୀ ଜିଲା ଟ୍ରେଜେରୀରେ ମହଜୁଦ ଅଛି। ତାପରେ ମଧ୍ୟ ଡୁପ୍ଳିକେଟ ଚାବି ପ୍ରସ୍ତୁତ କରାଯାଇ ଦୀର୍ଘ ଦିନ ଧରି ବ୍ୟବହାର କରାଯାଉଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି। ଚାବି ହଜିବା ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଶ୍ରୀମନ୍ଦିର ପରିଚାଳନା ସହ ଜଡ଼ିତ ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ସଚିବ, ଆଇନ ସଚିବ, ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କୁ ସିବିଆଇ ତଦନ୍ତ ପରିସର ଭୁକ୍ତ କରିବାକୁ ଆଡଭୋକେଟ ଶ୍ରୀ ମିଶ୍ର ନିବେଦନ କରିଛନ୍ତି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ଜମିକୁ ଅନ୍ୟ କୌଣସି ଅନୁଷ୍ଠାନ, ସ˚ସ୍ଥା ନାମରେ କରିବାର ବ୍ୟବସ୍ଥା ନାହିଁ। ଜଗନ୍ନାଥଙ୍କ ନାମରେ ଥିବା ପ୍ରାୟ ୧୩ଶହ ଏକର ଜମିକୁ ବେଦନ୍ତ କମ୍ପାନି ହାତରେ ଟେକି ଦିଆଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି। କ୍ଷତିପୂରଣ ବାବଦ ଅର୍ଥ କେଉଁ ଆକାଉଣ୍ଟରେ ଜମା କରାଯାଇଛି ଅଦ୍ୟାବିଧ ସରକାର ସ୍ପଷ୍ଟ କରିନାହାନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛାନ୍ତି। ଏଠାରେ ସୂଚନାଯୋଗ୍ୟ ଆବେଦନକାରୀ ଏହି ପ୍ରସଂଗକୁ ନେଇ ପ୍ରଥମେ ପ୍ରଥମେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଶ୍ରୀମନ୍ଦିର ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗ ଏବ˚ ଶ୍ରୀଜଗନ୍ନାଥଙ୍କ ୧୩ଶହ ଏକର ଜମି ବେଦାନ୍ତକୁ ଦିଆଯିବା ଘଟଣାର ସିବିଆଇ ତଦନ୍ତ ପାଇଁ ଆଗତ ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟ‌ା‌ୟାଳୟ ମନା କରିଦେଇଥିଲେ। ମାମଲାର ଗୁରୁୁତ୍ବ ଦୃଷ୍ଟିରୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପାଇଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର