କଟକ : ରିଲାୟବ୍‌ଲ ସିକ୍ୟୁରିଟି ଆଣ୍ଡ୍‌ ଇଣ୍ଟେଲିଜେନ୍ସ ସର୍ଭିସ ସଂସ୍ଥା ଅଧୀନରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡମାନଙ୍କୁ କାର୍ଯ୍ୟ କ୍ଷେତ୍ରରୁ ବିଦା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲା ବେଳେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ମସିହାରୁ ସନ୍ତୋଷ ମିଞ୍ଜଙ୍କ ସମେତ ୩୪ ଜଣ ରିଲାୟବ୍‌ଲ ସିକ୍ୟୁରିଟି ଆଣ୍ଡ୍‌ ଇଣ୍ଟେଲିଜେନ୍ସ ସଂସ୍ଥା ଅଧୀନରେ ଓଡିଶାର ବିଭିନ୍ନ ଷ୍ଟାଡିୟମରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହି ଗାର୍ଡ଼ମାନେ କ୍ରୀଡା ଓ ଯୁବ ସେବା ବିଭାଗ ଅଧୀନରେ ଥିବା କଳିଙ୍ଗ ଷ୍ଟାଡିୟମ, କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମରେ କାର୍ଯ୍ୟ କରିଆସୁଥିଲେ। ହେଲେ ସେମାନଙ୍କୁ ପ୍ରତ୍ୟାହାର କରି ନୂଆ କର୍ମଚାରୀ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସନ୍ତୋଷଙ୍କ ସମେତ ୩୪ଜଣ ସିକ୍ୟୁରିଟି ଗାର୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ, ନିର୍ଦ୍ଦେଶକ ଓ ରିଲାୟବ୍‌ଲ ସିକ୍ୟୁରିଟି ଆଣ୍ଡ୍‌ ଇଣ୍ଟେଲିଜେନ୍ସ ସର୍ଭିସ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଥିଲା। ପକ୍ଷଭୁକ୍ତ ହୋଇଥିବା ସମସ୍ତ ପକ୍ଷଙ୍କୁ କୋର୍ଟ ନୋଟିସ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କୁ ଚାକିରିରୁ ବିଦା କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶନାମାରେ ସ୍ପଷ୍ଟ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ବିଜୟ କୁମାର ପରିଡ଼ା ମାମଲା ପରିଚାଳନା କରୁଛନ୍ତି।