ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ସିଡିଏକୁ ହଜାରେ ଚାରା ଦେବେ କେନ୍ଦ୍ର ସରକାର

କଟକ : କଟକ ସହରରେ ରୋପଣ ପାଇଁ ହାଜରେ ଚାରା କେନ୍ଦ୍ର ସରକାର ଦେବେ। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏହା ଲଗାଇବ। କେନ୍ଦ୍ର ସରକାରଙ୍କ ଦୁଇଟି ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି। ‌ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରତି ମାମଲାରେ ୫ଶହ ଲେଖାଏ ଚାରା ସିଡିଏକୁ ଚାରି ସପ୍ତାହ ଭିତରେ ପ୍ରଦାନ କରିବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଚାରା ପ୍ରଦାନ ସଂପର୍କିତ ରସିଦ ଅଦାଲତରେ ଦାଖଲ କରିବାକୁ ଆବେଦନକାରୀ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ତେବେ ଏହି ମାମଲାରେ ଆବେଦନକାରୀଙ୍କୁ ଅର୍ଥ ରାଶି ପ୍ରତିପକ୍ଷଙ୍କ ନିକଟରେ କିମ୍ବା ଆଇନସେବା ପ୍ରାଧିକରଣ ନିକଟରେ ପଇଠ କରିବାକୁ ନିର୍ଦ୍ଦେଶ ଦେବାର ପୂର୍ବରୁ ନଜିର ରହିଛି। କିନ୍ତୁ ଆବେଦନକାରୀଙ୍କୁ ଚାରା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ହାଇକୋର୍ଟଙ୍କ ଏପରି ରାୟ ପରେ ବୃକ୍ଷରୋପଣ ପ୍ରସଂଗରେ ସାଧାରଣ ଲୋକେ ମଧ୍ୟ ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ କେନ୍ଦ୍ର ସରକାର ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟରେ ଅପିଲ ଦାୟର କରିଥିଲେ। ନିର୍ଦ୍ଧାରିତ ସମୟସୀମା ଭିତରେ ଅପିଲ ରୁଜୁ ହୋଇ ନଥିଲା। ଫଳରେ ଖଣ୍ଡପୀଠ ଲିମିଟେସନ୍ ଆକ୍ଟ ଅନୁସାରେ ପିଟିସନ୍ ଦାଖଲ ପାଇଁ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିବା ସହ ୫ଶହ ଚାରା ସିଡିଏକୁ ରୋପଣ ପାଇଁ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ଆଉ ଦୁଇଟି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ଲେଖାଏଁ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ବୀମା କମ୍ପାନି ଓ ଅନ୍ୟ ଜଣଙ୍କ ମାମଲାର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର