ଭଦ୍ରକରେ ରାମନବମୀ ଶୋଭାଯାତ୍ରା ପାଇଁ ଅନୁମତି

ପ୍ରଶାସନିକ ନିଷ୍ପତ୍ତି ଉପରେ ଅଙ୍କୁଶ

କଟକ : ଶ୍ରୀରାମନବମୀ ଅବସରରେ ଶୋଭାଯାତ୍ରା ଆୟୋଜନ ଉପରେ ଭଦ୍ରକ ଜିଲ୍ଲା ପ୍ରଶାସନ ଜାରି କରିଥିବା ଅଙ୍କୁଶ ହଟିଛି। ଭଦ୍ରକ ସହରରେ ଶ୍ରୀରାମ ନବମୀ ଉତ୍ସବ ପାଳନ ଅବସରରେ ଶୋଭାଯାତ୍ରା ବାହାର କରିବା ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଏହି ଉତ୍ସବ ପାଳନ ସମୟରେ କଳସ ଶୋଭାଯାତ୍ରା ଓ ଶ୍ରୀରାମନବମୀ ଶୋଭାଯତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଗୃହ ବିଭାଗ, ଭଦ୍ରକ ଜିଲ୍ଲାପାଳ ଓ ଏସ୍‌ପି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥି ପାଇଁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବେ। ଶୋଭାଯାତ୍ରା ଓ ଅନ୍ୟ ପାରମ୍ପରିକ ନୀତି ସଂପାଦନ ସମୟରେ ଯେପରି କୌଣସି ପ୍ରକାର ସାଂପ୍ରଦାୟିକ ଉତ୍ତେଜନା ପ୍ରକାଶ ନ ପାଏ ତାହା ପ୍ରଶାସନ ସୁନିଶ୍ଚିତ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ପାଳନ ପାଇଁ ଏପରି ନିର୍ଦ୍ଦେଶନାମା ସଂପର୍କରେ ତୁରନ୍ତ ଗୃହ ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ରୁଜୁ ରିଟ୍‌ ପିଟିସନ୍‌ ଉପରେ ଶୁଣାଣି କରି ୨୦୧୮, ମାର୍ଚ୍ଚ ୧୫ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି। ମାର୍ଚ୍ଚ ୧୫ର ରାୟକୁ ଚାଲେଞ୍ଜ କରି ରୁଜୁ ରିଟ୍‌ ଅପିଲରେ ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଗୃହ ସଚିବ, ଭଦ୍ରକ ଜିଲ୍ଲାପାଳ, ଏସପି, ଏଡିଏମ୍‌, ଏସଡିଏମ୍‌, ଏସଡିପିଓ ଓ ଟାଉନ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ୍‌ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ରୁଜୁ ରିଟ୍‌ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଗାୟତ୍ରୀ ପାତ୍ର, ସଂଜୟ ରଥ ଓ ଅଦ୍ୱିତୀୟ ଶତପଥୀ ତାଙ୍କୁ ସହାୟତା କରୁଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ୧୯୯୧ରୁ ଭଦ୍ରକ ସହରରେ ଶ୍ରୀରାମ ନବମୀ ଉତ୍ସବ ପାଳନ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଉଛି। ୨୦୧୬ରେ ଶ୍ରୀରାମନବମୀ ପରେ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ରାମନବମୀ ଉତ୍ସବ ସମୟରେ କୌଣସି ପ୍ରକାର ସାଂପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇ ନଥିଲା। ୧୯୯୧ରେ ସାଂପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ଜଣ ଆହତ ହୋଇଥିଲେ। ଗତ ବର୍ଷ ସେପରି କିଛି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ସମ୍ବିଧାନର ଧାରା ୨୫ ଓ ୨୬ ଅନୁଯାୟୀ କୌଣସି ଧାର୍ମିକ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ଏକ ମୌଳିକ ଅଧିକାର ହୋଇଥିବା ବେଳେ ବିନା କାରଣରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଚଳିତ ବର୍ଷ ଶ୍ରୀରାମନବମୀ ଶୋଭାଯାତ୍ରା ଆୟୋଜନ ଉପରେ ଅଙ୍କୁଶ ଲଗାଇଥିଲା। ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଯୁକ୍ତି ସପକ୍ଷରେ ସୁପ୍ରିମକୋର୍ଟ ଓ କଲିକତା ହାଇକୋର୍ଟଙ୍କ ଏକାଧିକ ରାୟକୁ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରି ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଯେ ୨୦୧୭ରେ ଶ୍ରୀରାମ ନବମୀ ଉତ୍ସବ ପରେ ଭଦ୍ରକରେ ସାଂପ୍ରଦାୟିକ ଉତ୍ତେଜନା ଦେଖା ଦେଇଥିଲା। ଏହା ପରେ ଚଳିତ ବର୍ଷ ରାମନବମୀ ଅବସରରେ ଶୋଭାଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରଦାନ ନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ପ୍ରଶାସନର ନିଷ୍ପତ୍ତିକୁ ଚାଲେଞ୍ଜ କରି ଶ୍ରୀରାମ ମହାଯଜ୍ଞ ସମିତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସମିତିର ଆବେଦନ ମାର୍ଚ୍ଚ ୧୫ରେ ଜିଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଥିଲେ। ଏହା ପରେ ରିଟ୍‌ ଅପିଲ ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର