କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ବାର୍ଥ ମାମଲା ନେଇ ଆଜି ଶୁଣାଣି ହୋଇଛି। ବର୍ତ୍ତମାନ ୧୧ ଦିନ ହେବ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚାଲିଛି। ଏଥିପାଇଁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଜନସ୍ବାର୍ଥ ମାମଲାକୁ ଖାରଜ କରି ଏହାର ଅନ୍ତ ଘଟାଇଛନ୍ତି। ଏଣେ

Advertisment

ସୂଚନାଯୋଗ୍ୟ, ଭାରତୀୟ ବିକାଶ ପରିଷଦ ପକ୍ଷରୁ ନବ କିଶୋର ଦାସ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ। ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଗତ ୬ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

ଜଣେ କର୍ତ୍ତବ୍ୟରତ ପୁଲିସ ଏଏସଆଇ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛି। ତେଣୁ ସେହି ପୁଲିସ ବିଭାଗର କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାୟିତ୍ବ ସିବିଆଇକୁ ଦିଆଯାଉ ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଏହି ମାମଲା ଦାୟର କରାଯାଇଥିଲା। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ମହାନିର୍ଦେଶକ, କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିଲା।