ସ୍ୟାଟ ସଂପର୍କରେ ହାଇକୋର୍ଟ ମାଗିଲେ ତଥ୍ୟ, ମାମଲା ସଂପର୍କରେ ସବିଶେଷ ସୂଚନା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦ ବେଳେ ସେଠାରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଥିଲା ସେ ନେଇ ହାଇକୋର୍ଟରେ ତଥ୍ୟ ଦାଖଲ ହେବ। ସ୍ୟାଟ୍ ଉଚ୍ଛେଦ ବେଳେ କେତେ ସଂଖ୍ୟକ ମାମଲା ବିଚାରାଧୀନ ଥିଲା, ଏହାପରେ କେତେ ସଂଖ୍ୟକ ମାମଲା ହାଇକୋର୍ଟକୁ ଟ୍ରାନ୍ସଫର ହୋଇ ଆସିଛି ଓ ଅବଶିଷ୍ଟ କେତେ ମାମଲା ରହିଛି ସେ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ବିଚାରାଧୀନ ରହିଥିବା ବେଳେ ୨୦୧୯, ଅଗଷ୍ଟ ୨ରେ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି। ଓଡ଼ିଶା ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା। ଆଡମିନିଷ୍ଟ୍ରେଟିଭ୍ ଟ୍ରିବୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ସ୍ୟାଟ୍‌ରେ ବିଚାରାଧୀନ ମାମଲା କେଉଁଠି ଶୁଣାଣି ହେବ ସେ ନେଇ ଉଚ୍ଛେଦ ସମୟରେ କିଛି ସ୍ପଷ୍ଟ କରାଯାଇ ନଥିଲା। ହାଇକୋର୍ଟ ୨୦୧୯, ଅଗଷ୍ଟ ୭ରେ କଟକ ଓଏଟି ବାର୍ ଆସୋସିଏସନ୍ ଆବେଦନର ଶୁଣାଣି କରି ସରକାର ସ୍ୟାଟରେ ବିଚାରାଧୀନ ମାମଲା ଅନ୍ୟ ଅଦାଲତକୁ ସ୍ଥାନାନ୍ତର କରି ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ବିଚାରାଧୀନ ଥିବାବେଳେ ସ୍ୟାଟ୍‌ର ନିର୍ଦ୍ଦିଷ୍ଟ ମାମଲା ହାଇକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇ ପାରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସ୍ୟାଟରେ ବିଚାରାଧୀନ ମାମଲାକୁ ଯଦି କୌଣସି ଆବେଦନକାରୀ ସ୍ଥାନାନ୍ତର ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କରନ୍ତି ଓ ଏ ନେଇ ଅନୁମତି ମିଳେ ତେବେ ହିଁ କେବଳ ସଂପୃକ୍ତ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହେବ। ସ୍ୟାଟ୍‌ରେ ବିଚାରାଧୀନ ମାମଲା ଗୁଡିକ ହାଇକୋର୍ଟକୁ ସ୍ଥାନାନ୍ତର ହେବା ପରେ ପଞ୍ଜୀକରଣ ପ୍ରସଂଗରେ ହାଇକୋର୍ଟ ପକ୍ଷରୁ ଷ୍ଟାଣ୍ଡିଂ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର