ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍‌) ଉଚ୍ଛେଦ ପ୍ରସଂଗରେ କ୍ୟାବିନେଟ ଗ୍ରହଣ କରିଥିବା ନିଷ୍ପତ୍ତି କାହିଁକି ରଦ୍ଦ କରା ନ ଯିବ ସେ ପ୍ରସଂଗରେ ଜବାବ ରଖିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସ୍ୟାଟ୍‌ରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗରେ ମଧ୍ୟ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୪ଟି ରିଟ୍ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମେ’ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଜୟନ୍ତ ରଥ, ରଜତ ରଥ, ଆଇନଜୀବୀ ବିଶ୍ବ ବିହାରୀ ମହାନ୍ତି, ପ୍ରକାଶ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ସ୍ୟାଟ ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ନିୟମିତ ବେଞ୍ଚ ହୋଇଥିଲା । ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବ୍ୟୁନାଲର ସର୍କିଟ ବେଞ୍ଚ ରହିଛି । ୨୦୧୪ ମସିହା ଫେବ୍ରୁଆରୀ ମାସ ୧୮ତାରିଖରେ ସ୍ୟାଟରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ପରବର୍ତ୍ତୀ ସମୟ‌େର ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଏହା ପରେ ସ୍ୟାଟ୍ ପ୍ରତି ଅବହେଳା ବଢି ଯାଇଥିଲା। ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷ ପଦ ସମେତ ୭ଟି ସଦସ୍ୟ ପଦ ଖାଲି ପଡିଛି। ମାତ୍ର ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ୟାଟରେ ମାମଲାର ଶୁଣାଣି କରୁଛନ୍ତି। ଫଳରେ ଅଚଳାବସ୍ଥା ଦେଖା ଦେଇଛି। କେବଳ ମହକିଲ ନୁହନ୍ତି ଆଇନଜୀବୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ। ଏହି ପ୍ରସଙ୍ଗରେ ସରକାରୀ ନିଷ୍କ୍ରିୟତାକୁ ଚାଲେଞ୍ଜ କରି କଟକ ଓ ଭୁବନେଶ୍ୱର ସ୍ୟାଟ ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର