ନୂଆପଡ଼ା ନିର୍ବାଚନ ରୋକିଲେ ହାଇକୋର୍ଟ

ନିର୍ବାଚନ କମିସନଙ୍କୁ ନୋଟିସ୍‌, ପ୍ରକାଶ ପାଇବନି ବିଜ୍ଞପ୍ତି

କଟକ : ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ନୂଆପଡା ଏନ୍‌ଏସିର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଇ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନୂଆପଡା ଏନଏସି ନିର୍ବାଚନ ପ୍ରକ୍ରିୟା ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୂଆପଡା ଏନଏସିର ବାସିନ୍ଦା ମହେଶ କୁମାର ନିଆଳଙ୍କ ପକ୍ଷରୁ ଦାୟର ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ଓ ରଶ୍ମିରେଖା ପଣ୍ଡା ସହାୟତା କରୁଥିଲେ।

ଅନ୍ୟପକ୍ଷରେ ରାଜ୍ୟର ନୂଆପଡା, ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ସଂପର୍କରେ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏପ୍ରିଲ ୩ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ଏ ନେଇ ଆସନ୍ତା କାଲି ଅର୍ଥାତ୍‌ ୯ ତାରିଖରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ଗୁରୁବାର ଦିନ ହାଇକୋର୍ଟ ନୂଆପଡା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି କରିବାରୁ ଆସନ୍ତା କାଲି ଏହି ଏନଏସିର ନିର୍ବାଚନ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସେନ୍ଦେହ ଦେଖା ଦେଇଛି।

ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଛି ଯେ ନୂଆପଡା ଏନଏସି ନିର୍ବାଚନ ପୂର୍ବରୁ ଏହାର ବିଭିନ୍ନ ୱାର୍ଡର ପୁନର୍ଗଠନ ଓ କାଉନସିଲର ପଦବିର ସଂରକ୍ଷଣକୁ ନେଇ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଗତ ଜାନୁଆରି ୧୮ରେ ପୌର ନିର୍ବାଚନ ଆଇନରେ ସଂଶୋଧନ ଆଣିଥିଲେ ସରକାର। ପୂର୍ବରୁ ଏନଏସିର ଦୁଇଟି କାର୍ଯ୍ୟକାଳ ପାଇଁ ସ୍ଥାନ ସଂରକ୍ଷଣ ବଳବତ୍ତର ରହୁଥିବା ବେଳେ ଏହି ସଂଶୋଧନ ଆଇନ ଜରିଆରେ ସରକାର ପ୍ରତି ନିର୍ବାଚନ ସମୟରେ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ପରିବର୍ତ୍ତନ ହୋଇ ପାରିବ ବୋଲି ନିୟମ କରିଥିଲେ। ଏହା ପରେ ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିସନରଙ୍କୁ ଏ ନେଇ ଚିଠି ଲେଖି ଜଣାଇଥିଲେ ଯେ ନୂଆପଡା ଭଳି ଏନଏସିରେ ସଂଶୋଧିତ ଆଇନ ଅନୁସାରେ ଓ୍ଵାର୍ଡ ସଂରକ୍ଷଣ ଓ ପୁନର୍ଗଠନ କରାଯାଇ ନାହିଁ। କିନ୍ତୁ ନିର୍ବାଚନ କମିସନର ଏ ପ୍ରସଂଗରେ କିଛି ପଦକ୍ଷେପ ନେଇ ନଥିଲେ।

ପୂର୍ବରୁ ନୂଆପଡା ଜିଲ୍ଲାପାଳ ପ୍ରକାଶ କରିଥିବା ବିଜ୍ଞପ୍ତି ଆଧାରରେ ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପାଇଁ ନିର୍ବାଚନ କମିସନର ନିଷ୍ପତ୍ତି ନେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ସଂଶୋଧିତ ଆଇନ ଅନୁସାରେ ନୂଆପଡା ଏନଏସିର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣ କରାଯାଇ ନଥିଲା। ସଂଶୋଧନ ପୂର୍ବରୁ ଏ ପ୍ରସଂଗରେ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ଏପରି ପରିସ୍ଥିତିରେ ନୂଆପଡା ଏନଏସିରେ ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତି ବେଆଇନ । ନୂଆ ସଂଶୋଧିତ ଆଇନ ଅନୁସାରେ ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ନିର୍ବାଚନ କମିସନର, ଆଇନ ସଚିବ, ନଗର ଉନ୍ନୟନ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ, ନୂଆପଡା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର