ହାଇକୋର୍ଟ କାର୍ଯ୍ୟ ୮ ଯାଏ ବନ୍ଦ

କଟକ : ମହାବାତ୍ୟା ଫନି ପ୍ରଭାବରେ କଟକ ସହର ସହିତ ବିଭିନ୍ନ ଜିଲ୍ଲା ଧ୍ବସ୍ତ ବିଧ୍ବସ୍ତ ହୋଇ ପଡିଥିବା ବେଳେ ମେ’ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ। ପୂର୍ବରୁ ଫନିକୁ ଦୃଷ୍ଟିରେ ରଖି ମେ’ ୨ ଓ ୩ ତାରିଖକୁ ହାଇକୋର୍ଟ ଛୁଟି ଘୋଷଣା କରିଥିଲେ। ଆଜି ଫନି ପ୍ରଭାବରେ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ମେ’ ୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏଥି ସହିତ କଟକର ସମସ୍ତ ନିମ୍ନ ଅଦାଲତ, ଖାଉଟି କମିସନ୍, ସ୍ୟାଟ୍, କ୍ୟାଟ୍, ଡିଆରଟି ଓ ଅନ୍ୟାନ୍ୟ ଟ୍ରିବୁନାଲ ମଧ୍ୟ ଛୁଟି ରହିବ। ହାଇକୋର୍ଟ ବାର୍ ଆସୋସିଏସନ୍ ଓ କଟକର ବିଭିନ୍ନ ଆଇନଜୀବୀ ସଂଘ ଆଲୋଚନା କରି ଆଇନଜୀବୀ ତଥା ସାଧାରଣ ଜନତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟ‌କୁ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ଏଥି ସହିତ ପରିସ୍ଥିତି ସ୍ବାଭାବିକ ହେବା ପରେ ଏ ନେଇ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଏଠ‌ାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟ ପରିସର, ହାଇକୋର୍ଟ ବାର୍ ଆସୋସିଏସନ୍ ପରିସର, କଟକ ଜିଲ୍ଲା ଜଜ୍ ଅଦାଲତ ପରିସର, ଅନ୍ୟାନ୍ୟ ଟ୍ରିବୁନାଲ ଓ ବିଚାରବିଭାଗୀୟ ଅଦାଲତ ପରିସର ଫନି ଦ୍ବାରା ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର