ପରୀ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ, ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡିସେମ୍ବର ୧୬ ତାରିଖ ସୁଦ୍ଧା ତଦନ୍ତର ଅଗ୍ରଗତି ସମ୍ପର୍କୀୟ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁତ ଖୋଜା ଖୋଜି କରି ପରୀକୁ ପାଇ ନଥିବା ବେଳେ ଏ ନେଇ ଜୁଲାଇ ୧୪ରେ ନାୟାଗଡ଼ ସଦର ଥାନାରେ ଏତଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତରୁ କିଛି ଫଳ ନ ମିଳିବାରୁ ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସେଶନ୍ଦହ କରାଯାଇଥିଲା। ଏହାପରେ ମାସ ପରେ ମାସ ବିତି ଥିଲେ ମଧ୍ୟ ପରୀ ହତ୍ୟା ମାମଲାର ତଦନ୍ତରେ ଅଗ୍ରଗତି ହୋଇ ନଥିଲା।
ଅନ୍ୟପକ୍ଷରେ ରାଜନୈତିକ ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜଣେ ମନ୍ତ୍ରୀ ପରୀର ହତ୍ୟାକାରୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ଓ ପୁଲିସ ଚାପରେ ରହିଛି ବୋଲି ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତରେ ଭରସା ନାହିଁ। ପରୀ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ନଚେତ ସାଧାରଣ ଲୋକଙ୍କ ଆଇନ ଉପରୁ ଭରଷା ଉଠି ଯିବ। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନଚେତ ସ୍ବାଧୀନ ଏଜେନ୍ସି ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଏହି ଘଟଣାରେ ଦୋଷୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ନୟାଗଡ଼ ଏସପିଙ୍କୁ ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର