ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ମହଙ୍ଗା ଭତ୍ତା ୧୦% ବଢିଲା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ)କୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ ।

ସରକାରଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ୧୦ ପ୍ରତିଶତ ବୃଦ୍ଧି ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବେସିକ ପେ ଓ ଗ୍ରେଡ ପେର ୧୫୪ ପ୍ରତିଶତରୁ ୧୬୪ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହି ମହଙ୍ଗାଭତ୍ତା ବୃଦ୍ଧିର ସୁଫଳ ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ (ଯେଉଁମାନେ କି ଓଆରଏସପି ଅଧିନିୟମ,୨୦୦୮ ଅନୁସାରେ ଦରମା ପାଉଛନ୍ତି) ପାଇପାରିବେ । ଏହି ଅତିରିକ୍ତ ମହଙ୍ଗାଭତ୍ତା ନଗଦ ଟଙ୍କା ଆକାରରେ ଦିଆଯିବ ଓ ସରକାରୀ କର୍ମଚାରୀମାନେ ଚଳିତମାସର ଦରମାରୁ ତାହା ଉଠାଇପାରିବେ । ଜୁଲାଇ ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ ଥିବା ବକେୟା ବର୍ଦ୍ଧିତ ମହଙ୍ଗା ଭତ୍ତା ମେ ମାସର ଦରମା ପରେ ମିଳିବ ବୋଲି ସରାକରୀ ସୁତ୍ରରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ବର୍ଷ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ସ୍ଥଗିତ ରଖିଛନ୍ତି ।

ସମ୍ବନ୍ଧିତ ଖବର