ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ତୃତୀୟ ଦିନରେ ୭ ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ଜର୍ମାନୀ

ନେଦରଲାଣ୍ଡ-ମାଲେସିଆ ମଧ୍ୟରେ ବିଶ୍ୱକପ ୭ମ ମୁକାବିଲା

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ତୃତୀୟ ଦିନରେ ୭ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୨-୧ରେ ଆୟରଲାଣ୍ଡକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ଚୀନ ମ୍ୟାଚ ୨-୨ରେ ଡ୍ର ରହିଛି। ୮ମ ମୁକାବିଲା ପାକିସ୍ତାନ ଏବଂ ଜର୍ମାନୀ ମଧ୍ୟରେ ହେବ। ଆର୍ଥିକ ଅଭାବ ଅନଟନ ଦେଇ ଭାରତ ଆସିଥିବା ପାକସ୍ତାନ ଶନିବାର ସନ୍ଧ୍ୟା ୭ଟାରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଟିମ୍‌ ଜର୍ମାନୀକୁ ଭେଟିବ। ଏହା ପୂର୍ବରୁ ସନ୍ଧ୍ୟା ୫ଟାରେ ନେଦରଲାଣ୍ଡ ଓ ମାଲେସିଆ ମଧ୍ୟରେ ଚଳିତ ବିଶ୍ୱକପ୍‌ର ୭ମ ମୁକାବିଲା ହେବ।

ବିଶ୍ୱକପ୍‌ର ପଦାର୍ପଣ ମ୍ୟାଚରେ ଶୁକ୍ରବାର ଚୀନ ଇଂଲଣ୍ଡ ବିପକ୍ଷରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ଦିବସରେ ଶୁକ୍ରବାର ଇଂଲଣ୍ଡକୁ କଡା ମୁକାବିଲା କରିଛି। ମ୍ୟାଚ ୨-୨ରେ ଟାଇ ହେବା ପରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।

ଆଜିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଆୟରଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଛନ୍ତି। ଆୟରଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଗୋଭର ଓ ବ୍ରାଣ୍ଡ ଗୋଲ ଦେଇଥିବା ବେଳେ ଆୟରଲାଣ୍ଡର ଖେଳାଳି ଡୋନେଗହୁ ଏକମାତ୍ର ଗୋଲ ଦେଇଥିଲେ। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୫ମ ମ୍ୟାଚରେ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ରଣନୀତି କରିଥିଲା।

 

ସମ୍ବନ୍ଧିତ ଖବର