ନିର୍ବାଚନ ବର୍ଜନ କରିବେ ଗ୍ରାମରକ୍ଷୀ

ଭୁବନେଶ୍ବର : ରାଜ୍ୟ ସରକାର ଗ୍ରାମରକ୍ଷୀମାନଙ୍କ ଦାବି ପୂରଣ ନ କଲେ ଆସନ୍ତା ସାଧାରଣ ନିର୍ବାଚନକୁ ବର୍ଜନ କରାଯିବ। ଆଜି ନେହେରୁ ଯୁବ ପ୍ରତିଷ୍ଠାନରେ ଗ୍ରାମରକ୍ଷୀ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଚେତାବନୀ ଦିଆଯାଇଛି।

ସଂଘ ପକ୍ଷରୁ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ୧୯୬୭ ମସିହାରୁ ଗ୍ରାମରକ୍ଷୀମାନେ ଓଡ଼ିଶା ଆରକ୍ଷୀ ସେବାରେ ଅଂଶ ବିଶେଷ ଭାବେ ଅପରାଧ ନିୟନ୍ତ୍ରଣରେ କାର୍ଯ୍ୟ କରି ଆସୁଛନ୍ତି। ଅନେକ ମାଓବାଦୀଙ୍କ ରୋଷର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଗ୍ରାମରକ୍ଷୀମାନେ ସରକାରୀ ଚାକିରି ମାନ୍ୟତାରୁ ଉପେକ୍ଷିତ ହୋଇ ଆସୁଛନ୍ତି। ତେଣୁ ଗ୍ରାମରକ୍ଷୀମାନଙ୍କୁ ଦୈନିକ ମଜୁରି ସହିତ ଗ୍ରେଡ୍‌ ପେ, ଗ୍ରାମରକ୍ଷୀମାନଙ୍କୁ ଭିଲେଜ ଗାର୍ଡ ପରିବର୍ତ୍ତେ ଭିଲେଜ ପୁଲିସର ମାନ୍ୟତା, ଖାଲି ପଡ଼ିଥିବା ଗ୍ରାମରକ୍ଷୀ ପଦବି ପୂରଣ, ଗ୍ରାମରକ୍ଷୀମାନଙ୍କୁ ଉନ୍ନତମାନର ତାଲିମ ଦେବା ସହିତ କପଡ଼ା ବାବଦରେ ଟଙ୍କା ପ୍ରଦାନ, ଗ୍ରାମରକ୍ଷୀର ମୃତ୍ୟୁ ପରେ ସରକାରୀ ଅନୁକମ୍ପା ପ୍ରଦାନ ଆଦି ଦାବି ରହିଛି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅମରେଶ୍ବର ମଲ୍ଲିକ, ସମ୍ପାଦକ କାଳନ୍ଦୀ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର