ଧାନର ଏମ୍‌ଏସ୍‌ପି ନେଇ ଗୃହ କମିଟି ବୈଠକ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ଗୃହ କମିଟି

ବିଜେପିରୁ କେହି ଯୋଗଦେଲେନି

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ବିଣ୍ଟାଲ୍‌ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ବିଧାନସଭାରେ ସର୍ବସମ୍ମତ କ୍ରମେ ଏକ ସଂକଳ୍ପ ପାରିତ ହୋଇଛି। କିନ୍ତୁ ଏହାକୁ ଏଡ଼ାଇଯାଇ କେନ୍ଦ୍ର ସରକାର ଗତ ଜୁଲାଇ ମାସରେ କ୍ବିଣ୍ଟାଲ୍‌ ପିଛା ଧାନର ଏମ୍‌ଏସ୍‌ପି ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏ ନେଇ ରାଜ୍ୟର ଚାଷୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଧାନର ଏମ୍‌ଏସ୍‌ପି ପାଇଁ ଗଠିତ ବିଧାନସଭା ଗୃହ କମିଟି ଏହି ଏମ୍‌ଏସ୍‌ପିକୁ ପ୍ରତ୍ୟାଖ୍ୟାନ କରିଛି। ଏହି ସଂକଳ୍ପ ହାସଲ ପାଇଁ ଆଗାମୀ ଦିନରେ ଗୃହ କମିଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ବୋଲି ସ୍ଥିର କରିଛି।

ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟିର ବୈଠକରେ ଏହି ପ୍ରସଙ୍ଗ ଉପରେ ପାଖାପାଖି ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନାରେ ସ୍ଥିରୀକୃତ ନିଷ୍ପତ୍ତି ଅନୁଯାୟୀ ଏହି ପ୍ରସଙ୍ଗ ନେଇ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିବ। ଏଥିପାଇଁ ଗୃହ କମିଟିର ଅଧ୍ୟକ୍ଷ ଭାବେ ବ‌ାଚସ୍ପତି ନିଜେ ପ୍ରଧାନମନ୍ତ୍ରୀଙ୍କୁ ତାରିଖ ଧାର୍ଯ୍ୟ ନିମନ୍ତେ ପୁଣିଥରେ ଚିଠି ଲେଖିବେ। ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପାଇଁ ବିଧାନସଭାର ସଚିବ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପାଇଁ ବିଧାନସଭାର ସଚିବ ରାଷ୍ଟ୍ରପତିଙ୍କ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିବେ। କିନ୍ତୁ ଏମ୍‌ଏସ୍‌ପି ହାର କ୍ବିଣ୍ଟାଲ୍‌ ପିଛା ୨୦୦ ଟଙ୍କା ବୃଦ୍ଧି କରିଥିବା ଗ୍ରହଣୀୟ ନୁହେଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା। ଏ ସଂପର୍କରେ ପୁନର୍ବାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ଚାଷୀଙ୍କ ଧାନ ଉତ୍ପାଦନ ଜନିତ ଖର୍ଚ ଓ ତଦନୁଯାୟୀ ଏମ୍‌ଏସ୍‌ପି ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି କୁହାଯାଇଛି। ଗୃହ କମିଟି ବୈଠକରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ଦଳ ବିଧାୟକମାନେ ଯୋଗ ଦେଇଥିଲେ। କିନ୍ତୁ ବିଜେପିରୁ କେହି ଆସିନଥିଲେ। ଉଭୟ ବିଜେଡି ଓ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପି ବୃଦ୍ଧିକୁ ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରାଯାଇଥିବାରୁ ଏ ନେଇ ରାଜନୀତି ନ କରି ରାଜ୍ୟ ସରକାର ବୋନସ୍‌ ଦିଅନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗୃହ କମିଟି ତରଫରୁ ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚିଠି ଲେଖିଥିଲେ। କିନ୍ତୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପରାମର୍ଶ ଦେଇଥିଲା।

ସମ୍ବନ୍ଧିତ ଖବର