ଏଚ୍‌ଏସ୍‌ଆରପି ଲଗାଇବା ସମୟ ସୀମା ଏକ ମାସ ବଢ଼ିଲା, ‘ମୋ ସେବା କେନ୍ଦ୍ର’ରେ ଗାଡ଼ି ମାଲିକ କରିପାରିବେ ଆବେଦନ

ଭୁବନେଶ୍ବର: ଯେଉଁମାନେ ମାଲିକମାନେ ନିଜ ଗାଡ଼ିରେ ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲଗାଇପାରି ନାହାନ୍ତି, ସେମାନଙ୍କ ପାଇଁ  ସାମାନ୍ୟ ଆଶ୍ବସ୍ତିକର ଖବର ଆସିଛି। ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି ପୁଣି ଥରେ ବଢ଼ିଛି। ରାଜ୍ୟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ବି ହଜାର ହଜାର ଗାଡ଼ିମାଲିକ ସେମାନଙ୍କର ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ଲଗାଇ ପାରି ନ ଥିବାରୁ ସେମାନଙ୍କୁ ପରିବହନ ବିଭାଗ ଅଧିକ ସମୟ ଦେଇଛି। ପରିବହନ ବିଭାଗର ନିଷ୍ପତ୍ତି ଅନୁସାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯାନବାହନ ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ, ନଭେମ୍ବର ୩୦ ଯାଏ ଶେଷ ତାରିଖ ଦିଆଯାଇଛି। ୫ ଓ ୬ ଥିଲେ ଡିସେମ୍ବର ୩୧ ପଯ୍ୟନ୍ତ ରଖାଯାଇଛି। ସେହିପରି ୭ ଓ ୮ ଥିଲେ ୨୦୨୩ ଜାନୁଆରି ୩୧ ଏବଂ ୯ ଓ ଶୂନ୍ୟ ଥିଲେ ଫେବ୍ରୁଆରି ୨୮ ତାରିଖ ଯାଏଁ ସମୟ ଦିଆଯାଇଛି।

ସୂଚନାଯୋଗ୍ୟ, ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏନେଇ ଗତ ଜୁନ୍‌ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଂଜୀକରଣ ନମ୍ବରର ‌ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା। କିନ୍ତୁ ଏହା ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗାଡ଼ିମାଲିକମାନେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପାଇଁ ନିକଟସ୍ଥ ମୋ ସେବା କେନ୍ଦ୍ରରୁ ମଧ୍ୟ ଆବେଦନ କରି ପାରିବେ। ଏହି ବ୍ୟବସ୍ଥା ରାଜ୍ୟର ୩୦ଟି ଜିଲ୍ଲାରେ ଉପଲବ୍ଧ ରହିଛି। ସେହିପରି ଯାନବାହନ ମାଲିକଙ୍କ ସୁବିଧା ପାଇଁ, ଏଚ୍‌ଏସ୍‌ଆରପି ହେଲ୍ପ ଡେସ୍କ ବର୍ତ୍ତମାନ ରାଜ୍ୟର ସମସ୍ତ ଆରଟିଓ ଓ ଏଆରଟିଓରେ କାର୍ଯ୍ୟକ୍ଷମ ଅଛି। ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ କିଣିଥିବା ଗାଡ଼ି ମାଲିକମାନଙ୍କୁ ଉପରେ ଦିଆଯାଇଥିବା ସମୟସୀମା ଅନୁଯାୟୀ ସେମାନଙ୍କ ଗାଡ଼ିରେ ଏଚଏସ୍‌ଆରପି ସଂଲଗ୍ନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ।

ସମ୍ବନ୍ଧିତ ଖବର