ଆଜି ମଧ୍ୟରାତି୍ର ସୁଦ୍ଧା ଜରିମାନା: ୧ରେ ସ୍ଥିତି ରିପୋର୍ଟ ଦେବେ ସରକାର

ଭୁବନେଶ୍ୱର : ଆସନ୍ତାକାଲି ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରି ସୁଦ୍ଧା ଜରିମାନା ପୈଠ ପାଇଁ ଧାର୍ଯ୍ୟ ହୋଇଛି କଣ୍ଟ। ବେଆଇନ ଖଣିଜ କାରବାର କରିଥିବା ରାଜ୍ୟର ଖଣି ଲିଜ୍‌ଧାରୀମାନଙ୍କ ପାଇଁ ସୁପ୍ରିମ କୋର୍ଟ ଏଭଳି କଡ଼ା ଆଦେଶ ଦେଇଛନ୍ତି। ତଦନୁଯାୟୀ ଜରିମାନା ପୈଠ ନକଲେ ନୂଆବର୍ଷ ପହିଲାରୁ ଖଣିଜ କାରବାର ବନ୍ଦ କରିବେ ସରକାର। ନିର୍ଧାରିତ ସମୟସୀମା ସୁଦ୍ଧା କେତେ ଜରିମାନା ଆଦାୟ ହେଲା, ଜରିମାନା ପୈଠ କରିନଥିବା ଖଣି ଲିଜ୍‌ଧାରୀ କିଏ, ସେମାନଙ୍କ ଖଣି ଖନନ ବନ୍ଦ ହେଲା କି ଆଦି କାର୍ଯ୍ୟାନୁଷ୍ଠାନ ନେଇ ସରକାର ସ୍ଥିତି ରିପୋର୍ଟ ପ୍ରଦାନ କରିବେ। ଜାନୁଆରି ୧ ତାରିଖରେ ହିଁ ସୁପ୍ରିମ କୋର୍ଟଙ୍କୁ ରିପୋର୍ଟ ଦେବେ।

ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି(ସିଇସି) ମୋଟ ଜରିମାନା ରାଶି ୧୭୫୭୧ କୋଟି ଟଙ୍କା ବୋଲି ଆକଳନ କରିଛନ୍ତିି। ଖଣି ବିଭାଗ ସୂତ୍ର କହୁଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୮୦୬୨ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି। ତଥାପି ବାକି ରହିଛି ଅଧାରୁ ଅଧିକ ଜରିମାନା ରାଶି। ଏଥିମଧ୍ୟରୁ ମୋଟ କାର୍ଯ୍ୟକ୍ଷମ ଥିବା ୪୬ଟି ଲୁହାପଥର ଖଣି ଲିଜ୍‌ଧାରୀଙ୍କ ମଧ୍ୟରୁ ୪୨ ଲିଜ୍‌ଧାରୀ ସମୁଦାୟ ଜରିମାନା ରାଶି ପୈଠ କରିସାରିଛନ୍ତିି। ସେମାନଙ୍କ ମଧ୍ୟରେ ରହିଛି ଓଡ଼ିଶା ଖଣି ନିଗମ(ଓଏମ୍‌ସି), ରୁଙ୍ଗ୍‌ଟା ମାଇନ୍ସ, ଟାଟା ଲିମିଟେଡ୍‌, ଆର୍ଯ୍ୟ ମାଇନିଂ ଆଣ୍ଡ ଟ୍ରେଡିଂ କମ୍ପାନି ପ୍ରଭୃତି। ଓଏମ୍‌ସି ତା’ର ସମସ୍ତ ୩୭ଟି ଖଣି (ଉଭୟ କାର୍ଯ୍ୟକ୍ଷମ, ଅଚଳ) ନିମନ୍ତେ ୨୨୯୦ କୋଟି ଟଙ୍କାର ସମୁଦାୟ ଜରିମାନା ରାଶି ପୈଠ କରିସାରିଛି। ତେବେ ବାକି ରହିଥିବା ସିରାଜ୍‌ଉଦ୍ଦିନ, ମେସ୍କୋ, କର୍ପ ରିସୋସେର୍ସ, ନ୍ୟାସନାଲ୍‌ ଏଣ୍ଟରପ୍ରାଇଜେସ ଖଣି ଲିଜ୍‌ଧାରୀ ଆଜି ସନ୍ଧ୍ୟା ସୁଦ୍ଧା ଜରିମାନା ଜମି କରିନଥିବା ଜଣାଯାଇଛି। ତେବେ ଆସନ୍ତାକାଲି ରାତି ୧୨ଟା ସୁଦ୍ଧା ଅନ୍‌ଲାଇନ ଯୋଗେ ସେହି ଲିଜ୍‌ଧାରୀମାନେ ଜରିମାନା ପୈଠ କରିପାରିବେ ବୋଲି ଜଣେ ବରିଷ୍ଠ ଖଣି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର