ଭୁବନେଶ୍ୱର: ଲଣ୍ଡନର ଏକ୍ସେଲ୍‌ ଠାରେ ତିନି ଦିନିଆ ‘ଓ୍ଵାର୍ଲଡ୍‌ ଟ୍ରାଭେଲ୍‌ ମାର୍କେଟ୍‌-୨୦୧୭’ ଗତକାଲି ଠାରୁ ଆରମ୍ଭ ହୋଇଛି। ଏଥିରେ ୧୮୫ଟି ଦେଶର ଜାତୀୟ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଆଞ୍ଚଳିକ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବୋର୍ଡ, ଏୟାର ଲାଇନ୍ସ, ଘରୋଇ ଉଦ୍ୟୋଗ, ଟୁର୍‌ ଅପରେଟର୍ସ, ଟ୍ରାଭେଲ୍‌ ଏଜେଣ୍ଟ୍‌ ଓ ହୋଟେଲ୍‌ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ମଣ୍ଡପ ଏଠାରେ ଖୋଲିଛି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ମଣ୍ଡପରେ ସାଂସ୍କୃତିକ ଐତିହ୍ୟ, ବାଲୁକା କଳାକୃତି ସାଙ୍ଗକୁ ଆକର୍ଷଣୀୟ ପର୍ଯ୍ୟଟନ ସାମଗ୍ରୀ ସ୍ଥାନ ପାଇଛି।

Advertisment

ମଣ୍ଡପକୁ ଉଦ୍‌ଘାଟନ କରି ଶ୍ରୀ ପଣ୍ଡା କହିଲେ, ଓଡ଼ିଶାର ଫଳପ୍ରଦ ପର୍ଯ୍ୟଟନ ନୀତି ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ହେତୁ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଉଛି। ଓଡ଼ିଶାରେ ପରିବେଶ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନ ଓ ଜନଜାତି ପର୍ଯ୍ୟଟନର ବିପୁଳ ସୁଯୋଗ ରହିଥିଲା ବେଳେ ଏବେ ରାଜ୍ୟ ପକ୍ଷରୁ ରାଜକୀୟ ପର୍ଯ୍ୟଟନ ଓ ସଂଗ୍ରହାଳୟ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଯାଇଥିବା ପ୍ରତିନିଧି ଦଳରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଜେ କେ ମହାନ୍ତିଙ୍କ ସମେତ ଅନ୍ୟ ଟ୍ରାଭେଲ୍‌ ଓ ଟୁର୍‌ ଅପରେଟର୍‌ମାନେ ସାମିଲ୍‌ ହୋଇଛନ୍ତି। ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର୍‌ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ ପାଲଟିଛି।