ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ(ପିଜିଆଇ)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଶିକ୍ଷଣ ଫଳାଫଳ ଓ ଗୁଣବତ୍ତା, ପହଞ୍ଚ, ଭିତ୍ତିଭୂମି ଓ ସୁବିଧା, ସମାନତା ଏବଂ ଶାସନ ପ୍ରକ୍ରିୟା ମାନଦଣ୍ଡରେ ଭଲ ସ୍କୋର କରିଛି। ଶାସନ ପ୍ରକ୍ରିୟା କ୍ଷେତ୍ରରେ ୨୦୧୭-୧୮ରେ ୨୨୩ ସ୍କୋର କରିଥିବା ବେଳେ ୨୦୧୯-୨୦ରେ ୩୦୪କୁ ବୃଦ୍ଧି ପାଇଛି। ଦୁଇ ବର୍ଷ ମଧ୍ୟରେ ଶାସନ ପ୍ରକ୍ରିୟାରେ ୩୬% ଅଭିବୃଦ୍ଧି ଘଟିଛି। ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ଏକାଡେମିକ୍ ଲିଡରସିପ୍, ଅଭିଭାବକ ଓ ଶିକ୍ଷକଙ୍କର ବିଦ୍ୟାଳୟ ଦ୍ବାରା ସକ୍ରିୟ ଯୋଗଦାନ ବିଦ୍ୟାଳୟଗୁଡ଼ିକୁ ପରିବର୍ତ୍ତନ କରିପାରିଛି। ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ମାଧ୍ୟମରେ ଭିତ୍ତିଭୂମି ବିକାଶରେ ଅତ୍ୟନ୍ତ ଲାଭଦାୟକ ହୋଇଛି।
ଶିକ୍ଷଣ ଫଳାଫଳ ଓ ଗୁଣବତ୍ତା କ୍ଷେତ୍ରରେ ୨୦୧୭-୧୮ରେ ଓଡ଼ିଶା ୧୩୪ ସ୍କୋର କରିଥିଲା। ୨୦୧୯-୨୦ରେ ତାହା ୧୩୮କୁ ବୃଦ୍ଧି ପାଇଛି। ଶିକ୍ଷାନୁଷ୍ଠାନର ଗୁଣାତ୍ମକ ବିକାଶ ପାଇଁ ପାଠ୍ୟକ୍ରମ ଓ ସମୀକ୍ଷା, ଗୁଣାତ୍ମକ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟ ପୁସ୍ତକ ଓ ଶିକ୍ଷାଦାନ ସାମଗ୍ରୀ ବହୁଳ ଭାବରେ ଉପଲବ୍ଧ, ଶିକ୍ଷାଦାନ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଶିକ୍ଷକଙ୍କ ଶିକ୍ଷାଦାନ ବ୍ୟବସ୍ଥା ହୋଇଛି। ୨୦୧୮-୧୯ ଶିକ୍ଷାବର୍ଷରେ ଭିତ୍ତିଭୂମି ଓ ସୁବିଧା କ୍ଷେତ୍ରରେ ଓଡ଼ିଶାର ସ୍କୋର ୭୨ ରହିଥିଲା। ତେବେ ୨୦୧୯-୨୦ରେ ତାହା ୧୦୯କୁ ବୃଦ୍ଧି ପାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଓ ଉତ୍କୃଷ୍ଟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାଙ୍କ ପାଇଁ ନୂତନ ଆବାସିକ ବିଦ୍ୟାଳୟ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ପ୍ରତିଷ୍ଠା ହୋଇଥିବା ହଷ୍ଟେଲରେ ଅଧିକ ସଂଖ୍ୟାରେ ଛାତ୍ର ନାମ ଲେଖାଇବା ସହିତ ରହୁଛନ୍ତି। ଦୁର୍ଗମ ଅଞ୍ଚଳରେ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ସହ ପୂର୍ବରୁ ଥିବା ବିଦ୍ୟାଳୟଗୁଡିକର ବିକାଶ ଜାରି ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଦ୍ୟାଳୟ ପ୍ରତିଷ୍ଠା ଦ୍ବାରା ଆଦିବାସୀ ପିଲାଙ୍କ ନାମଲେଖା ବୃଦ୍ଧି ପାଇଛି। ୨୦୧୭-୧୮ରେ ସମାନତା କ୍ଷେତ୍ରରେ ଓଡ଼ିଶା ୨୧୪ ସ୍କୋର କରିଥିବା ବେଳେ ଏବେ ତାହା ୨୧୯କୁ ବୃଦ୍ଧି ପାଇଛି। ଅଧିକ ସଂଖ୍ୟାରେ ଛାତ୍ରୀ ନାମଲେଖା ପାଇଁ ଆକୃଷ୍ଟ ହେବା, ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି, ସମାଜର ସବୁ ବର୍ଗର ପିଲାଙ୍କୁ ଏକାଠି କରିବା ଦ୍ବାରା ସମାନତାରେ ସଫଳତା ମିଳିଛି। ଏହି କାରଣ ଯୋଗୁଁ ପିଜିଆଇ ସ୍କୋର ଇଣ୍ଡେକ୍ସରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।
ଓଡ଼ିଶାର ଏଭଳି ସଫଳତା ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଛି। ସଙ୍ଗଠନର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଶିକ୍ଷା ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ପ୍ରଦାନ କରିଛନ୍ତି। ଯାହାକି ପିଜିଆଇ ରିପୋର୍ଟରେ ପ୍ରତିଫଳିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/performance-grading-index-2020-released-by-education-minister-1.jpg)