ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ଗୁରୁବାର ଖେଳିଥିବା ନିଜ କ୍ବାର୍ଟର ଫାଇନାଲ ମ୍ୟାଚ୍କୁ ଜିତି ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ସେମିଫାଇନାଲ ପ୍ରବେଶ କରିଛନ୍ତି। ଶୁକ୍ରବାର ଦଳଗୁଡ଼ିକ ବିଶ୍ରାମ ନେବାକୁ ଥିବାବେଳେ ଶନିବାର ସନ୍ଧ୍ୟାରେ ଦୁଇ ସେମିଫାଇନାଲ ଖେଳାଯିବ।
ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତା
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ସେମିଫାଇନାଲରେ ପ୍ରବେଶ
ଓଡ଼ିଶା ଏବଂ ଦାଦ୍ରା ନଗର ହାଭେଳୀ ଓ ଡାମନ ଡିଓ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍ଟି ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍ସାରା ଓଡ଼ିଆ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଆ ଖେଳାଳି ଚମତ୍କାର ଦଳଗତ ପ୍ରଦର୍ଶନ କରି ୭-୦ ଗୋଲ୍ରେ ମ୍ୟାଚ୍କୁ ଜିତି ନେଇଛି। ମ୍ୟାଚ୍ର ପ୍ରଥମ ଗୋଲ୍ ଦ୍ବିତୀୟ କ୍ବାର୍ଟର୍ର ଶେଷ ମୂହୁର୍ତ୍ତ, ଅର୍ଥାତ୍ ୩୫ତମ ମିନିଟ୍ରେ ଆସିଥିଲା। ନିଙ୍ଗୋମବାମ ଅମରଜିତ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ଏହାପରେ ଦଳ ଆକ୍ରମଣକୁ ଶାଣିତକରି ଗୋଟିଏପରେ ଗୋଟିଏ ଗୋଲ୍ ଦେଇଥିଲା। ପ୍ରଥମ ଗୋଲ୍ ସ୍କୋର୍ ହେବାପରେ ଦୀପକ ପ୍ରଧାନ(୩୭), ବିଲକାନ ଓରାମ(୪୩), ପ୍ରଦୀପ ମଣ୍ଡଳ(୪୭), ଦେଓଧର ନାନୱାର(୫୨), ଇରେଂବାମ ରୋହିତ ସିଂହ(୫୭) ଓ ୟୋଜିନ ମିଞ୍ଜ୍(୫୮) ଗୋଟିଏ ଲେଖାଏ ଗୋଲ୍ କରି ବ୍ୟବଧାନକୁ ୭-୦କୁ ବୃଦ୍ଧି କରିଥିଲେ। ମୋଟ୍ ୭ଟି ଗୋଲ୍ ମଧ୍ୟରୁ ୫ଟି ଫିଲ୍ଡ ଗୋଲ୍ଡ ଥିବାବେଳେ ୨ଟି ପେନାଲ୍ଟି କର୍ଣ୍ଣର୍ରୁ ଆସିଥିଲା। ବିପକ୍ଷ ଖେଳାଳି ଗୋଟିଏ ବି ଗୋଲ୍ ପରିଶୋଧ କରିନପାରି ଶୋଚନୀୟ ପରାଜୟ ସହ ସେମିଫାଇନାଲ ଦୌଡ଼ରୁ ବିଦାୟ ନେଇଛି।
ଆଜି ପୂର୍ବାହ୍ନରେ ପ୍ରଥମ କ୍ବାର୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ଚଣ୍ଡିଗଡ଼ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଉତ୍ତରପ୍ରଦେଶ ୭-୦ ଗୋଲ୍ରେ ବିଜୟୀ ହୋଇଛି। ଦଳ ପକ୍ଷରୁ ଆଶୁ ମୋର୍ଯ୍ୟ ସର୍ବାଧିକ ୩ଟି ଗୋଲ୍ ଦେଇଥିବାବେଳେ ଅଧିନାୟକ ଅଜିତ ୟାଦବ, ରାହୁଲ ରାଜଭର, ସତ୍ୟମ ପାଣ୍ଡେ ଓ ଉଜ୍ଜ୍ବଳ ପାଲ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିଭଳି ଦ୍ବିତୀୟ କ୍ବାର୍ଟର ଫାଇନାଲରେ ମଧ୍ୟପ୍ରଦେଶ ୬-୩ ଗୋଲରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିବାବେଳେ ହରିୟାଣା ୨-୧ ଗୋଲରେ ପଞ୍ଜାବକୁ ପରାସ୍ତକରି ସେମିଫାଇନାଲ ପ୍ରବେଶ କରିଛି।