ରେଳ ବଜେଟରେ ଓଡ଼ିଶା : ‘ଇବିଆର’ ବ୍ୟୟବରାଦ ପ୍ରାୟ ୩୩୦୦ କୋଟି!

ଭୁବନେଶ୍ୱର : କେନ୍ଦ୍ର ସରକାର ରେଳ ବଜେଟରେ ଓଡ଼ିଶା ପାଇଁ ଯେତିକି ବ୍ୟୟବରାଦ କରିଛନ୍ତି, ତାହା ସର୍ବକାଳୀନ ରେକର୍ଡ। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ବଡ଼ ଧରଣର ବ୍ୟୟବରାଦ କରାଯାଇଥିବା ନେଇ ବିଜେପି ନେତାଏଁ ବାହାବା ନେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଏହାକୁ ନୈରାଶ୍ୟଜନକ ବଜେଟ ବୋଲି ବର୍ଣ୍ଣନା କରିଛନ୍ତି। ବାସ୍ତବ ପକ୍ଷେ ରେଳ ବଜେଟରେ ଓଡ଼ିଶା ପାଇଁ ବ୍ୟୟବରାଦ କେତେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତେବେ ଗୋଟିଏ କଥା ସାମ୍ନାକୁ ଆସୁଛି ଯେ ଏହି ବଜେଟରେ ରେଳବାଇ ନିଜସ୍ୱ ପୁଞ୍ଜି ତୁଳନାରେ ବାହ୍ୟ ସୂତ୍ର ବା ଏକ୍ସଟ୍ରା ବଜେଟାରି ରିସୋର୍ସେସ୍‌(ଇବିଆର) ମାଧ୍ୟମରେ ଅଧିକ ବ୍ୟୟବରାଦ କରିଛି।

୨୦୧୮-୧୯ ରେଳ ବଜେଟରୁ ଓଡ଼ିଶା ପାଇଁ ବରାଦ ଅର୍ଥ ମଧ୍ୟରେ ବିଭିନ୍ନ ରେଳପଥ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ବହୁଚର୍ଚ୍ଚିତ ଖୋର୍ଧା-ବଲାଙ୍ଗୀର ରେଳପଥ ପାଇଁ ମୋଟ ବ୍ୟୟବରାଦ ହେଉଛି ୭୦୦ କୋଟି ଟଙ୍କା। ଏହି ଅର୍ଥ ମଧ୍ୟରୁ ରେଳବାଇ ନିଜସ୍ୱ ପୁଞ୍ଜି ବାବଦରେ ୨୦୦ କୋଟି ଖର୍ଚ କରିବ। ୫୦୦ କୋଟି ଇବିଆର(ପି)ରୁ ଖର୍ଚ ହେବ ବୋଲି ଦର୍ଶାଯାଇଛି। ଅନୁଗୁଳ-ଡୁବୁରୀ-ସୁକିନ୍ଦା ରେଳପଥ ପାଇଁ ହୋଇଥିବା ମୋଟ ୨୦୦ କୋଟି, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୨୦୦ କୋଟିର ବ୍ୟୟବରାଦ ସଂପୂର୍ଣ୍ଣ ଭାବେ ଇବିଆର(ପି) ସୂତ୍ରରୁ ଅଣାଯିବ। ଏଥର ଜୟପୁର-ମାଲକାନଗିରି ରେଳପଥ ମଞ୍ଜୁରି ପାଇଛି। ଏ ବାବଦରେ ରେଳବାଇର ନିଜସ୍ୱ ୨୭ କୋଟିର ପୁଞ୍ଜି ବିନିଯୋଗ କରିବ। ଆହୁରି ୫୨ କୋଟି ଆସିବ ଇବିଆର(ପି)ରୁ। ଗତବର୍ଷ ଜୁଲାଇ ୩ ତାରିଖରେ ମଞ୍ଜୁରି ପାଇଥିବା ଜୟପୁର-ନବରଙ୍ଗପୁର ପାଇଁ ମୋଟ ୨୭୫ କୋଟିର ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ରେଳବାଇ ନିଜସ୍ୱ ୭୫ କୋଟିର ପୁଞ୍ଜିନିବେଶ କରିବାକୁ ଥିବା ବେଳେ ୨୦୦ କୋଟି ଇବିଆର(ପି) ସୂତ୍ରରୁ ଖର୍ଚ କରାଯିବ। ତେବେ ଆଶ୍ୱସନାର ବିଷୟ ଯେ ତାଳଚେର-ବିମଳାଗଡ଼ ପାଇଁ ରେଳବାଇ ନିଜସ୍ୱ ୨୦୦ କୋଟିର ପୁଞ୍ଜି ବ୍ୟୟ କରିବ। ଏଥର ନୂଆପଡ଼ା-ଗୁଣୁପୁର ରେଳପଥକୁ ଥେରୁବାଲି ସଂପ୍ରସାରଣ ପ୍ରସ୍ତାବକୁ ବଜେଟରେ ମଞ୍ଜୁରି ମିଳିଛି। ଏ ନେଇ ମାତ୍ର ୧ କୋଟିର ବ୍ୟୟବରାଦ ହୋଇଛି।

କେବଳ ରେଳପଥ ପ୍ରକଳ୍ପ ନୁହେଁ, ରେଳପଥର ଦୋହରୀକରଣ, ଫ୍ଲାଏ-ଓଭରବ୍ରିଜ୍‌, ବିଦ୍ୟୁତୀକରଣ ଆଦି ପ୍ରକଳ୍ପରେ ମଧ୍ୟ ବଜେଟରେ ଇବିଆର-ଆଇଏଫ୍‌(ଇନ୍‌ଷ୍ଟିଚ୍ୟୁନାଲ୍‌ ଫାଇନାନ୍ସିଂ) ସୂତ୍ରର ସହାୟତା ନିଆଯାଇଛି। ରାଜଆଠଗଡ଼-ବାରଙ୍ଗ ପାଇଁ ୫୫ କୋଟି, ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏ-ଓଭରବ୍ରିଜ୍‌ ନିମନ୍ତେ ୩.୮୦ କୋଟି, ବାଂଶପାଣି-ଦୈତାରି-ଯଖପୁରା ପାଇଁ ୧୪୦ କୋଟି, ସମ୍ବଲପୁର-ତାଳଚେର ପାଇଁ ୩୩୦ କୋଟି(ରେଳବାଇର ନିଜସ୍ୱ ପୁଞ୍ଜି ୧୦.୩୦ କୋଟି), ଜଗ୍‌ଦଲ୍‌ପୁର-କୋରାପୁଟ ପାଇଁ ୨୦୦ କୋଟି, ଭଦ୍ରକ-ବିଜୟନଗରମ୍‌ ୩ୟ ରେଳଲାଇନ ପାଇଁ ୧୪୦ କୋଟି(୧୦ କୋଟିର ନିଜସ୍ୱ ପୁଞ୍ଜି), ବିଜୟନଗରମ୍‌-ଟିଟିଲାଗଡ଼ ୩ୟ ରେଳଲାଇନ ନିମନ୍ତେ ୮୦ କୋଟି(୧୦ କୋଟିର ନିଜସ୍ୱ ପୁଞ୍ଜି), କୋତୋଭାଲ୍‌ସା-କୋରାପୁଟ ରେଳପଥର ଦୋହରୀକରଣ ନିମନ୍ତେ ୨୩୦ କୋଟି(୨୦ କୋଟିର ନିଜସ୍ୱ ପୁଞ୍ଜି), ଖୋର୍ଧା-ବାଇପାସ୍‌ ପାଇଁ ୮.୯୫ କୋଟି ଆଦି ବ୍ୟୟବରାଦ ଅନ୍ତର୍ଭୁକ୍ତ।

ବିଦ୍ୟୁତୀକରଣ ବାବଦରେ ଅଧିକାଂଶ ପ୍ରକଳ୍ପ ନିମନ୍ତେ ଇବିଆର ଉତ୍ସରୁ ଅର୍ଥ ବରାଦ କରାଯାଇଛି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବିଜୟନଗରମ୍‌-ରାୟଗଡ଼ା-ଟିଟିଲାଗଡ଼-ରାୟପୁର(୬୩.୬୯ କୋଟି), ଝାରସୁଗୁଡ଼ା-ସମ୍ବଲପୁର-ଟିଟିଲାଗଡ଼-ଇବ୍‌ ବାଇପାସ୍‌(୧୦୦ କୋଟି), ସମ୍ବଲପୁର-ଅନୁଗୁଳ-ସିଙ୍ଗପୁର ରୋଡ୍‌(୨୨ କୋଟି) ଇତ୍ୟାଦି। ବଜେଟରୁ ଇବିଆର ଉତ୍ସରୁ ବ୍ୟୟବରାଦ ନେଇ ଯେତିକି ପ୍ରକଳ୍ପ ନେଇ ହିସାବ ମିଳିଛି ସେହି ଅର୍ଥ ରାଶି ପ୍ରାୟ ୩୩୦୦ କୋଟି ହେବ। ବଡ଼ କଥା ହେଉଛି ରେଳବାଇ ପାଇଁ ଯେଉଁ ରେଳପଥ, ଭିତ୍ତିଭୂମି, ବିଦ୍ୟୁତୀକରଣ, ଦୋହରୀକରଣ ଆଦି ଲାଭାର୍ଜନର ସମ୍ଭାବନା ରହିଛି ସେସବୁ ପ୍ରକଳ୍ପ ନିମନ୍ତେ ନିଜସ୍ୱ ପୁଞ୍ଜି ବିନିଯୋଗ ନିମନ୍ତେ ଆଗଭର ହୋଇଛି। ଅନ୍ୟ ପ୍ରକଳ୍ପଗୁଡ଼ିକ ଇବିଆର ସୂତ୍ରରୁ ଖର୍ଚ କରାଯିବ ବୋଲି ବଜେଟରେ ଦର୍ଶାଯାଇଛି। ଏଣୁ, ଇବିଆର ସୂତ୍ରରୁ ଅର୍ଥ ନ ମିଳିଲେ, ସେସବୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର