ଭୟଙ୍କର ହେଉଛି ଜଳକଷ୍ଟ

ପଶ୍ଚିମରୁ ଉପକୂଳ ସବୁଠି ଏକା ଚିତ୍ର
ଦକ୍ଷିଣ, କେନ୍ଦ୍ର ଓଡ଼ିଶା ବି ବାଦ୍‌ ପଡିନି
୧୪୦୦ ଗାଁରେ ଲୋକେ ଡହଳବିକଳ
୩୦ ହଜାର ଟ୍ୟୁବେଓ୍ଵଲ୍‌ ଅଚଳ

ଭୁବନେଶ୍ୱର : ଶୋଷରେ ବିକଳ ହେଉଛନ୍ତି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୫୪ ଗାଁ। ଗୋଟିଏ ପଟେ ପ୍ରଧାନପାଟ ଜଳପ୍ରପାତର ଜଳ ଧାରା ଶୁଖିବାରେ ଲାଗିଛି, ଅନ୍ୟ ପଟେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଦେବଗଡ଼ ଜିଲ୍ଲାରେ ମଧ୍ୟ ଜଳ ସଂକଟ ସ୍ଥିତି ଗୁରୁତର। କଳା ହୀରାର ଅଞ୍ଚଳ ଝାରସୁଗୁଡା ଜିଲ୍ଲା ଖଣି ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକରେ ପାଣି ମିଳୁନାହିଁ। ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ଗାଁରେ ମଧ୍ୟ ଗ୍ରୀଷ୍ମ ଆରମ୍ଭରୁ ଲୋକଙ୍କୁ ଜଳକଷ୍ଟ ନୟାନ୍ତ କଲାଣି। ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାର ଲଖନପୁର ବ୍ଲକ ବାସିନ୍ଦା।

ବଲାଙ୍ଗୀର ଜିଲ୍ଲାରେ ପାନୀୟ ଜଳ ସମସ୍ୟା ବି ସଙ୍ଗିନ୍‌। ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦୁନ୍ଦେଲ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ। ପୋଖରୀ ଶୁଖିବାକୁ ବସିଲାଣି। ବରଗଡ଼ ଜିଲ୍ଲା ବିଜେପୁର ଅ଼ଞ୍ଚଳର ୭୦ଟି ଗାଁରେ ନାହିଁ ନ ଥିବା ସ୍ଥିତି ସାମ୍ନା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ନୂଆପଡ଼ା ଜିଲ୍ଲା କଥା ନ କହିବା ଭଲ। ଖଡ଼ିଆଳ ବ୍ଲକରୁ ମାତ୍ର ୫ କିମି ଦୂର ଥିବା ବିରିଘାଟ ପଂଚାୟତର କୁଶମାଳ ଗାଁରେ ଜଳ ସଂକଟ ଉତ୍କଟ। ସେହିଭଳି ଭବାନୀପାଟଣା ସଦରବ୍ଲକ ମହକୁମା ଠାରୁ ମାତ୍ର ୮ କିମି ଦୂରରେ ଭଟାଙ୍ଗପଦର ନିକଟ ତଲଟାଙ୍ଗନକନା ଗାଁରେ ଗୋଟିଏ ବି ନଳକୂଅ ନାହିଁ। ୪୦ଟି ପରିବାର ରାବଣଦର ନାଳର ବାଲିଚୁଆ ଉପରେ ନିର୍ଭର କରୁଛନ୍ତି।

ପଶ୍ଚିମ ଓଡ଼ିଶାର ଏଭଳି ଗୋଟିଏ ଗୋଟିଏ ଉଦାହରଣ ବୟାନ କରୁଛି, ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଜଳକଷ୍ଟ କିଭଳି ଭୀଷଣ ରୂପ ଧାରଣ କରିଛି।

ମହାନଦୀର ଉପରମୁଣ୍ଡରେ ପାଣିର ଅଭାବ ଯେଭଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି, ମହାନଦୀର ତଳମୁଣ୍ଡର ସ୍ଥିତି ମଧ୍ୟ ସେତିକି ଭୟାନକ।

ଅବିଭକ୍ତ କଟକ, ପୁରୀ ଜିଲ୍ଲାରେ ଜଳାଭାବ ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି।

ଦକ୍ଷିଣ, କେନ୍ଦ୍ର ଓ ଉତ୍ତର ଓଡ଼ିଶାରେ ମଧ୍ୟ ଜଳ କଷ୍ଟ ନାହିଁ ନ ଥିବା ଦୁର୍ଦଶା ମଧ୍ୟକୁ ଲୋକଙ୍କୁ ଠେଲି ଦେଲାଣି। ସ୍ଥିତି ଏତେ ସାଂଘାତିକ ଆଡକୁ ଯାଉଛି ଯେ ନଳକୂପ ଥାଇ ବି ସେସବୁ କାମ କରୁନି। ଜଳସ୍ତର ଖସିଯିବା ଯୋଗୁଁ ଅନେକ ପ୍ରକଳ୍ପ ଅକାମୀ ହୋଇଯାଇଛି। ନଦୀରେ ମଧ୍ୟ ପାଣି ନାହିଁ, ଶୁଖିଲା ପଡିଛି। ଗାଈ, ଗୋରୁଙ୍କ ସ୍ଥିତି ନ କହିବା ଭଲ। ଲୋକଙ୍କ କଷ୍ଟ ବହୁଗୁଣିତ ହେବାର ଅନ୍ୟ କାରଣଟି ହେଉଛି, ରାଜ୍ୟ ସରକାର, ପଞ୍ଚାୟତିରାଜ ବିଭାଗ ଓ ଗାଁ ପଞ୍ଚାୟତ ମଧ୍ୟରେ ସର୍ବନିମ୍ନ ସମନ୍ଵୟ ନାହିଁ। ଜିଲ୍ଲା ପ୍ରଶାସନ ଯେଭଳି ତତ୍ପରତା ଦେଖାଇବା କଥା ତାହା ଏଯାଏ ଦେଖିବାକୁ ମିଳୁନାହିଁ, ସରପଞ୍ଚଙ୍କ କ୍ଷେତ୍ରରେ ମଧ୍ୟ ସ୍ଥିତି ସେୟା। ଏଣୁ ରାଜ୍ୟ ସରକାରଙ୍କ କାଗଜପତ୍ର ଯେଉଁ ଚିତ୍ର ରଖୁଛି, ବାସ୍ତବ ସ୍ଥିତି ତା ଠାରୁ କେଇ ଗୁଣ ଅଧିକ ଥିବା ଅନୁସନ୍ଧାନରୁ ଜଣାପଡୁଛି।

‘ସମ୍ବାଦ’କୁ ମିଳିଥିବା ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ରାଜ୍ୟର ପାଖାପାଖି ୧୪୦୦ରୁ ଅଧିକ ଗାଁରେ ଲୋକେ ଭୀଷଣ ଜଳକଷ୍ଟ ଭିତରେ ଗତି କରୁଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ଆଗକୁ ଏହି ସଂଖ୍ୟା ବଢି ୩ହଜାରକୁ ଡେଇଁଯିବା ବିଚିତ୍ର ନୁହେଁ। କେବଳ ସେତିକି ନୁହେଁ, ଜଳକଷ୍ଟର ଚିତ୍ର ପରଖିବା ବେଳେ ଏକଥା ବି ଧରାପଡିଛି ଯେ ପାଖାପାଖି ୧୮୦୦ ଗାଁ ଓ ପଡାରେ ପାଣି ପିଇବା ଯୋଗ୍ୟ ନାହିଁ। ଗୁଣାତ୍ମକ ମାନ ଏତେ ନିକୃଷ୍ଟ ଯେ ଲୋକେ ରୋଗାକ୍ରାନ୍ତ ହୋଇଗଲେଣି। ବର୍ଷତମାମ ଏଭଳି ସ୍ଥିତି ଲାଗି ରହିଛି, ମାତ୍ର ସମସ୍ତେ ବେଫିକର।

ଯଦିଓ ପରିସଂଖ୍ୟାନ ଅନୁସାରେ, ପ୍ରତି ୭୦ଜଣ ଲୋକଙ୍କ ପାଇଁ ରାଜ୍ୟରେ ଗୋଟିଏ ଗୋଟିଏ ଟ୍ୟୁବ୍‌େଓ୍ଵଲ୍‌ ଅଛି ବୋଲି ସରକାର ଦାବି କରୁଛନ୍ତି, ବାସ୍ତବ ସ୍ଥିତି ହେଉଛି, ପାଖାପାଖି ୩୦ ହଜାରରୁ ଅଧିକ ଟ୍ୟୁବ୍‌ଓ୍ଵଲ୍‌ ଏବେ ବି ଅଚଳ ହୋଇ ପଡିଛି। ୪୨% ଗାଁକୁ ପାଇପ ବିଛାଯାଇ ଲୋକଙ୍କୁ ଜଳ ଆବଣ୍ଟନ କରାଯାଉଥିବା କୁହାଯାଉଥିଲେ ହେଁ ଏହାର ୨୦ ପ୍ରତିଶତ ଅଞ୍ଚଳରେ ଲୋକେ କିନ୍ତୁ ଏସବୁ ପ୍ରକଳ୍ପରୁ ମୁନ୍ଦେ ପାଣି ପାଉନାହାନ୍ତି।

ଚଳିତବର୍ଷ ବର୍ଷାରେ ଅନିୟମିତତା କାରଣରୁ ଏ ଦୁର୍ଦଶା ଅତି ବିକଟାଳ ରୂପ ନେଇଛି। ଏବେ ଠାରୁ ଅଧିକାଂଶ ପୋଖରୀ, କୂଅ ଶୁଖିବା ଆରମ୍ଭ କଲେଣି। ଆଗକୁ ଆହୁରି ଦୁଇମାସ ଗ୍ରୀଷ୍ମର ପ୍ରଭାବ ରହିବ। ଫଳରେ ସ୍ଥିତି ଯେ ଗମ୍ଭୀର ରୂପ ନେବ, ଏକଥାକୁ ଏଡାଇ ଦେଇ ହେବ ନାହିଁ।

ବଡ଼ ଘଟଣାଟି ହେଉଛି, ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଓ ପଞ୍ଚାୟତ ମଧ୍ୟରେ ସର୍ବନିମ୍ନ ସମନ୍ଵୟ ନାହିଁ। ସରକାରୀ ତଥ୍ୟ ଅନୁସାରେ, ଗତ ଫେବ୍ରୁଆରି ଶେଷ ସୁଦ୍ଧା ରାଜ୍ୟରେ ୧୦ ହଜାର ୫୨୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ପାଖାପାଖି ୪ଲକ୍ଷ ୪୯ ହଜାର ୬୦ଟି ନଳକୂପ ସଚଳ ଅବସ୍ଥାରେ ଅଛି। ହେଲେ ବିଭାଗ ସିନା ଟ୍ୟୁବେଓ୍ଵଲ୍‌ ବସାଇ ଦେଲା, ଏଗୁଡିକର ଦୈନନ୍ଦିନ ମରାମତି ଓ ପରିଚାଳନା ପାଇଁ ଆବଶ୍ୟକ ବ୍ୟବସ୍ଥା ସରକାର ଏଯାଏ କରିବାରେ ବିଫଳ ହୋଇଛନ୍ତି। ୬ ହଜାର ୭୯୮ଟି ପଞ୍ଚାୟତରେ ପାଖାପାଖି ୧୨ହଜାର ଏସ୍‌ଇଏମ୍‌ ନିଯୁକ୍ତି ଦିଆଯାଇଛି। ଏମାନଙ୍କୁ ସର୍ବନିମ୍ନ ମଜୁରି ଦେବାକୁ ସରକାର ଭୁଲିଯାଇଛନ୍ତି। ପାଣି ପାଇପ୍‌ ଆଦି ଚଳାଇବା ପାଇଁ ୧୬୦୦ ଟଙ୍କା ଦିଆଯାଉଛି। ଟ୍ୟୁବେଓ୍ଵଲ୍‌ ଆଦି ମରାମତି କଲେ, ଆଉ ୧୬ଶହ ଟଙ୍କା ଦେଉଛନ୍ତି, ତାହା ପୁଣି ନିୟମିତ ନୁହେଁ। ପ୍ରଥମତଃ ଏମାନଙ୍କ ସଂଖ୍ୟା ଅତି ନଗଣ୍ୟ। ଦ୍ୱିତୀୟତଃ ଏତେ କମ୍‌ ପ୍ରାପ୍ୟରେ ସେମାନଙ୍କୁ କେତେ ଘଣ୍ଟା କାମରେ ଲଗାଯାଇପାରିବ? ଏଣୁ ଅଚଳ ବା ମରାମତି କ୍ଷେତ୍ରରେ ସରକାରଙ୍କ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନର କଣ୍ଟ କେବଳ କାଗଜପତ୍ରରେ ରହୁଛି। ଯେଉଁଠାରେ ଖରାପ ହେଉଛି, ସେଠାରେ ଦିନ ଦିନ ଧରି ଲୋକେ ଦୁର୍ଦଶା ଭିତରେ ଗତି କରୁଛନ୍ତି। ଏମିତିରେ ବି ପଞ୍ଚାୟତରେ ଜଣେ ମାତ୍ର ଅଧିକାରୀ ପିଇଓଙ୍କୁ ଛାଡିଦେଲେ, ଆଉ କେହି ନାହାନ୍ତି। ଜିଆର୍‌ଏସ୍‌ ମନରେଗା କାମରେ ବ୍ୟସ୍ତ ରହୁଛନ୍ତି। ଏଣୁ ପିଇଓମାନେ ମଧ୍ୟ ଯେତିକି ଧ୍ୟାନ ଦେବା କଥା, ତାହା ସମ୍ଭବ ହେଉନାହିଁ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ଫ୍ଲୋରାଇଡ୍‌, ସାଲାଇନ୍‌ ଆଦି ଅ଼ଞ୍ଚଳରେ ବିକଳ୍ପ ବ୍ୟବସ୍ଥା ଏଯାଏ ଶତପ୍ରତିଶତ ହୋଇପାରିନାହିଁ। ୨୦୧୪ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ଏଭଳି ୬୭୨୦ଟି ଗାଁ ବା ପଡା ଚିହ୍ନଟ କରାଯାଇଥିଲା। ଏବେ ସୁଦ୍ଧା ଆହୁରି ୧୭୪୨ଟି ଗାଁ ବା ପଡା ରହିଛି, ଯେଉଁଥିପାଇଁ ପ୍ରକଳ୍ପ ହାତକୁ ନେବାକୁ ପଡିବ। ସେହିଭଳି ଏବେ ସୁଦ୍ଧା ୧ଲକ୍ଷ ୧୬ ହଜାର ୨୫୯ଟି ଗାଁ ବା ପଡା ରହିଛି, ଯେଉଁ ଅଞ୍ଚଳକୁ ପାଇପ୍‌ ଯୋଗେ ଏଯାଏ ପାଣି ସଂଯୋଗ ହୋଇପାରିନାହିଁ।

ପଞ୍ଚାୟତିରାଜ ବିଭାଗର କହିବା କଥା ହେଉଛି, ପିଇବା ପାଣି ସମସ୍ୟା ଦୂର କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପିଇବା ପାଣି ପାଇଁ ୫ହଜାର କୋଟି ଟଙ୍କାର ବଜେଟ୍‌ କରି କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି। ଗତ କ୍ୟାବିନେଟ୍‌ରେ ହଜାରେ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି। କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ଦେବେ। ଅର୍ଥ କମିସନଙ୍କ ପ୍ରାପ୍ୟ ହିସାବରେ ୬୦୦ କୋଟି ଖର୍ଚ୍ଚ ହେବ। ନାବାର୍ଡ ଆର୍‌ଆଇଡିଏଫ୍‌ ସୂତ୍ରରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଖଣିଜ ପାଣ୍ଠିରୁ ମଧ୍ୟ ଅର୍ଥ ବରାଦ ହୋଇଛି। ଏହାବ୍ୟତୀତ ନୂଆପଡ଼ା ଆଦି ଜିଲ୍ଲା ପାଇଁ ବଡ଼ ପ୍ରକଳ୍ପ ହାତକୁ ନେଇଛନ୍ତି ସରକାର।

ସ୍ଥିର କରାଯାଇଛି, ପ୍ରତି ପଞ୍ଚାୟତ ହେଡ୍‌କ୍ୱାଟର୍ସକୁ ପାଇପ ଯୋଗେ ପାଣି ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ପାଖାପାଖି ୧୨ଶହରୁ ଅଧିକ ପ୍ରକଳ୍ପ କରାଯିବ। ୭ଶହରୁ ଅଧିକ ପ୍ରକଳ୍ପ ଅଧାପନ୍ତରିଆ ପଡିଛିି, ଏବର୍ଷ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଓଡିଏଫ୍‌ ଗାଁକୁ ଗୁରୁତ୍ୱ ଦିଆଯିବ। ଜଳକଷ୍ଟ ଥିବା ୩୦୦୦ ଗାଁ ପାଇଁ ବି ଜଳଯୋଗାଣ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର