ଭୁବନେଶ୍ବର : ବାହାର ରାଜ୍ୟ ସାଇବର ଅପରାଧୀଙ୍କ ଟା‌ର୍ଗେଟ୍‌ରେ ଓଡ଼ିଶା। ଅପହଞ୍ଚ ଦୂରରେ ରହି କ୍ଷଣିକରେ କରୁଛନ୍ତି ଆକାଉଣ୍ଟ ଗୋଲ୍‌। ଆଜିର ଅତ୍ୟାଧୁନି ଇଣ୍ଟରନେଟ୍‌ ଯୁଗରେ ପୁଲିସ, ଗୁଇନ୍ଦା, ସୁରକ୍ଷା ବ୍ୟବସ୍ଥା ଯେତେ ଆଗକୁ ଯାଉଛି ସାଇବର ଠକ ମଧ୍ୟ ଯୁଗ ସହ ତାଳଦେଇ ଆଉ କେଇପାଦ ଆଗକୁ ଯାଉଛନ୍ତି। ଏହି ଅଦୃଶ୍ୟ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା କାଠିକର ପାଠ ହୋଇପଡ଼ିଛି। ଗତ ୩ବର୍ଷରେ ଓଡ଼ିଶାରୁ ଶହ ଶହ କୋଟି ଟଙ୍କା ଠକେଇ କରିଥିବା ୪୮ ଅନ୍ତଃରାଜ୍ୟ ସାଇବର ଅପରାଧୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କିରିବା ଘଟଣାରୁ ଏହା ସ୍ପଷ୍ଟ ଅନୁମେୟ। ୨୦୨୨ ମସିହାରେ ସର୍ବାଧିକ ୨୬ଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ୨୦୨୩ରେ ଏପର୍ଯ୍ୟନ୍ତ ୧୪ଜଣ ଏବଂ ୨୦୨୧ରେ ୮ଜଣଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ୟୁପି, ବିହାର, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ବିହାର, ମୁମ୍ବାଇ ଆଦି ସ୍ଥାନରୁ ଏହି ଠକଙ୍କୁ ଗିରଫ କରାଯାଇଛି। ତେବେ ୟୁପି ଓ ପଶ୍ଚିମବଙ୍ଗରୁ ସବୁଠୁ ଅଧିକ ଗିରଫ କରାଯାଇଛି। ରାଜ୍ୟରୁ ଠକେଇ କରିଥିବା ମାଳ ମାଳ ସାଇବର ଠକ ଏବେ ବି ଫେରାର୍‌ ଅଛନ୍ତି।

Advertisment

publive-image

ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଦୃଶ୍ୟ ଅପରାଧୀ ଇଣ୍ଟରନେଟ୍‌ ବ୍ୟବହାର ହେଉଥିବା ମୋବାଇଲ୍ ଓ କମ୍ପ୍ୟୁଟରକୁ ଅସ୍ତ୍ର କରି ଲୋକଙ୍କ ନିକଟରେ ପହଞ୍ଚନ୍ତି। ଆଉ ଅତି ସହଜରେ ଲୋକଙ୍କ ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ସେମାନଙ୍କ ଯୋଜନାକୁ ପଢ଼ିନିଅନ୍ତି। ଏଥିପାଇଁ ବିଶେଷ କରି ଲୋକମାନେ ବ୍ୟବହାର କରୁଥିବା ୟୁଟ୍ୟୁବ୍‌, ଟେଲିଗ୍ରାମ, ହ୍ବାଟସ୍‌ଆପ୍‌, ଫେସ୍‌ବୁକ, ଇନ୍‌ଷ୍ଟା ଭଳି ସୋସିଆଲ୍‌ ମିଡିଆ ଓ ଫୋନ୍‌ ପେ’, ଗୁଗଲ ପେ’, ପେଟିଏମ୍‌ ଭଳି ଆର୍ଥିକ କାରବାର ଆପ୍‌, ବିଭିନ୍ନ ବାଣିଜ୍ୟିକ ଆପ୍‌, ସପିଂ, ଏଜୁକେସନ୍‌ ଆପ୍‌ରୁ ଲୋକଙ୍କ ଆବଶ୍ୟକା ଓ ସ୍ଥିତିକୁ ପରଖନ୍ତି। ଚାକିରି ଠକେଇ, ଅନଲାଇନ୍ ପୋଞ୍ଜି ସ୍କିମ୍, ବେଆଇନ୍ ଚାଇନିଜ୍ ଋଣ ଆପ୍, କ୍ରିପ୍ଟୋ ସମ୍ବନ୍ଧୀୟ ଜାଲିଆତି, ୟୁଟ୍ୟୁବ, ହୋଟେଲ ବୁକିଂ, କ୍ୟୁଆର ସ୍କାମ, ଟଙ୍କା ରୋଜଗାରକାରୀ ଆପ, ହାୱାଲା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ଲୋଭନୀୟ ସ୍କିମ୍‌ ଦେଖାଇ ଆକାଉଣ୍ଟ ଶୂନ କରନ୍ତି।

publive-image

ବିଶେଷ କରି ଚାଇନା, ହଂକଂ, ଦୁବାଇ ଏବଂ ମାଲେସିଆରେ ଥିବା ସାଇବର ଅପରାଧୀ ଏହି ଠକେଇର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥାଆନ୍ତି। ତେଣୁ ଠକେଇ ଟଙ୍କାକୁ କିଭଳି ବିଦେଶ ପଠାଯିବ, ସେଥିପାଇଁ କ୍ରିପ୍ଟୋ ଏଜେନ୍‌ସି ସହ ଯୋଗାଯୋଗ କରି ସେମାନଙ୍କୁ ୨/୩ ପ୍ରତିଶତ କମିସନ ଦେଇ ଟଙ୍କାକୁ ଚାଇନା ଓ ଦୁବାଇ ପଠାଉଛନ୍ତି। ଠକମାନେ ବିଶେଷ କରି ୟେସ୍‌, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି, ଆଇଡିଏଫ୍‌ସି ଭଳି ବ୍ୟାଙ୍କରେ ଆର୍ଥିକ କାରବାର କରିଥିବା କିଛି ଠକେଇ ଘଟଣା ତଦନ୍ତରୁ ଜଣାପଡ଼ିଛି। ଏଭଳି ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଇଓଡବ୍ଲୁ ଅନୁରୋଧ କ୍ରମେ ଇମିଗ୍ରେସନ୍ ବ୍ୟୁରୋ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି।