ଭୁବନେଶ୍ବର : ରାଜନୀତି ଦ୍ବାରା ଦେଶ ପରିଚାଳିତ। ଖବର ମଧ୍ୟ ରାଜନୀତି ଦ୍ବାରା ପ୍ରଭାବିତ। ହେଲେ ରାଜନୈତିକ ସ୍ଥିରତା ଆସିଲେ ଅନ୍ୟ ଜିନିଷଗୁଡ଼ିକ ଅଣଦେଖା ହୋଇଥାଏ। ଏସବୁ କାରଣ ପାଇଁ ଓଡ଼ିଶାର ଘଟଣାଗୁଡ଼ିକର ବାହାରେ କୌଣସି ଚର୍ଚା ହେଉନାହିଁ। ଆଜିର ରାଜନୀତି ବିଜେପି ଓ କଂଗ୍ରେସ ଦ୍ବାରା ପ୍ରଭାବିତ ଥିବା ବେଳେ ଜାତୀୟ ସ୍ତରର ରାଜନୀତିରେ ଓଡ଼ିଶାର ଯୋଗଦାନ କେତେ ଓ ଏହା କେତେ ପ୍ରଭାବିତ କରୁଛି ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ। ତେଣୁ ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଘଟଣାକୁ କିଭଳି ପ୍ରାଥମିକତା ମିଳିବ ବୋଲି ‘କନକ ନ୍ୟୁଜ୍‌’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜ‌ନୈତିକ ସମୀକ୍ଷକ ପୁଣ୍ୟ ପ୍ରସୂନ ବାଜପେୟୀ।

Advertisment

ଶ୍ରୀ ବାଜପେୟୀ କହିଛନ୍ତି ଯେ ୨୦୧୪ରେ ମୋଦୀଙ୍କ ଯାଦୁ ପ୍ରତି ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଲାନି। ମମତା ବାନାର୍ଜୀ ନିଜ ରାଜ୍ୟ ସଂପର୍କରେ ଢୋଲ ପିଟିଥିବା ବେଳେ ନବୀନ ବାବୁ ଢୋଲ ପିଟି ନ ଥିଲେ। ଗଣମାଧ୍ୟମ ମଧ୍ୟ ଏହାକୁ କାହିଁକି ଅଧିକ ଚର୍ଚା କରି ନ ଥିଲା ତାହା ବୁଝା ପଡ଼ୁନାହିଁ। ତେଣୁ ରାଷ୍ଟ୍ରୀୟ ରାଜନୀତିକୁ ପ୍ରଭାବିତ ନ କଲା ଭଳି ସ୍ଥିତି ଓଡ଼ିଶାରେ ଆସିନାହିଁ। ଏହାସହ ନବୀନ ମଧ୍ୟ କେନ୍ଦ୍ର ସହିତ ଝଗଡ଼ା କରିବାକୁ ଚାହୁ ନାହାନ୍ତି। ଦେଶବ୍ୟାପୀ ବିରୋଧୀଙ୍କ ସ୍ଥିତି ସୁଦୃଢ଼ ନ ଥିବାରୁ ତାଙ୍କ ସହ ଛିଡ଼ା ହୋଇ ନବୀନଙ୍କର କିଛି ଲାଭ ହେବନାହିଁ। ନବୀନଙ୍କ ଏଭଳି ଚେକ୍ ଏଣ୍ଡ ବାଲାନ୍‌ସ ରାଜନୀତି ପାଇଁ ଦେଶରେ ଓଡ଼ିଶା ଘଟଣାର ଚର୍ଚା ହେଉନାହିଁ।

ମୋଦୀ ବି‌ରୋଧୀ ଓ ଗୋଦି ମିଡିଆ ପ୍ରସଙ୍ଗରେ ସେ କହିଥିଲେ ଯେ ଯେତେବେଳେ ଆମେରିକାରେ ୯/୧୧ ଆକ୍ରମଣ ହୋଇଥିଲା ସେତେବେଳେ ଜର୍ଜ ବୁଶ୍ କହିଥିଲେ ଯିଏ ଆମ ସହିତ ଅଛି ସିଏ ବନ୍ଧୁ ଓ ଯିଏ ବିରୋଧରେ ସିଏ ଆମର ଶତ୍ରୁ। ତେଣୁ ମୋଦୀଙ୍କୁ ବିରୋଧ ଏଠି ପ୍ରସଙ୍ଗ ନୁହେଁ। ପୂର୍ବରୁ ଅଟଳ ବିହାରୀ, ମନମୋହନ ଓ ୧୯୯୧ ମସିହାରେ ହୋଇଥିବା ଆର୍ଥିକ ସଂସ୍କାର ଆଦିର ବିରୋଧ ହୋଇଥିଲା। ଗଣମାଧ୍ୟମର କାମ ହେଉଛି, ସରକାରରେ ଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ କରିବା ଓ ଉତ୍ତରଦାୟୀ କରିବା। ମନମୋହନଙ୍କ ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ କ’ଣ ସେ ଜର୍ଜ ବୁଶ୍‌ କହିଥିବା କଥା ଗଣମାଧ୍ୟମକୁ କହିଥିଲେ କି ? ତେଣୁ ଗଣମାଧ୍ୟମ ମୋଦୀଙ୍କ ବିରୋଧ କରୁନାହିଁ। ଦେଶରେ ଯେଉଁ ନୀତି ପ୍ରଣୟନ କରାଯାଉଛି ଓ ତାହା ଯଦି ଦେଶକୁ ପ୍ରଭାବିତ କରୁଛି ତେଣୁ ତାହାକୁ ନେଇ ପ୍ରଶ୍ନ କରାଯାଉଛି। ମାତ୍ର ଶାସକ ଦଳ ନିଜକୁ ଭାରତ ବୋଲି ଭାବୁଛନ୍ତି। ରାଫେଲ ଦୁର୍ନୀତି, ପେଗାସସ୍ ଭଳି ଅନେକ ଘଟଣାକୁ ଗଣମାଧ୍ୟମ ଲୋକଙ୍କ ସାମ୍ନାକୁ ଆଣିବନି ତ ଆଉ କିଏ ଆଣିବ ? ଏଭଳି ପରିସ୍ଥିତିରେ ଶାସନରେ ମୋଦୀ ହୁଅନ୍ତୁ ବା ମନମୋହନ କିମ୍ବା ରାହୁଲ, ସେଥିରେ ଗଣମାଧ୍ୟମ କିମ୍ବା ସାମ୍ବାଦିକର କ’ଣ ଯାଏ ଆସେ। ଟିଆର୍‌ପି ହେଉଛି ସର୍ଟକଟ୍‌ ରାସ୍ତା। ଏହା ଜରିଆରେ ଲୋକଙ୍କୁ କୁହାଯାଉଛି ଏଇଟା ହିଁ ଖବର। ଅଧଘଣ୍ଟାର ଖବର ପ୍ରସାରଣ କରିବାକୁ ହେଲେ ରିପୋର୍ଟରଙ୍କ ରିପୋର୍ଟିଂ, ତଥ୍ୟ, ଗ୍ରାଫିକ୍ସ ଓ ଏଡିଟିଂ ଭଳି ଅନେକ କାର୍ଯ୍ୟ କରିବାକୁ ପଡ଼ିଥାଏ। ମାତ୍ର ଯେତେବେଳେ ଗଣମାଧ୍ୟମ କୌଣସି ଘଟଣା ଉପରେ ଅଧିକ ପରିଶ୍ରମ କରିବାକୁ ଚାହେନାହିଁ, ସେତେବେଳେ ସର୍ଟକଟ୍‌ ରାସ୍ତା ଖୋଜିଥାଏ। ସାମ୍ବାଦିକତା ଆଜି ଗ୍ଲାମର ପାଲଟିଯାଇଛି। ତେଣୁ ବହୁତ ସାମ୍ବାଦିକ ଟିଭିରେ କାର୍ଯ୍ୟ କରିବାକୁ ଚାହୁଛନ୍ତି।

ରସଗୋଲା ସଂପର୍କରେ ଶ୍ରୀ ବାଜପେୟୀ କହିଥିଲେ, ପଶ୍ଚିମବଙ୍ଗ ନୁହେଁ, ଓଡ଼ିଶା ହେଉଛି ରସଗୋଲାର ଜନନୀ। ରାଜସ୍ଥାନ‌ରେ ମଧ୍ୟ ଓଡ଼ିଶା ବିଷୟରେ ବେଶ୍ ଚର୍ଚା ହୋଇଥାଏ। ପୁରୀ ସମୁଦ୍ର କୂଳରେ ବସି ସମୟ ବିତାଇବା ବେଶ୍ ଭଲ ଲାଗିଥାଏ। ପୂର୍ବରୁ ବହୁତ ଥର ପୁରୀ ସମୁଦ୍ର କୂଳରେ ବସି ଏହାର ମଜା ନେଇଛି।