ଏମିତି ଚାଲିଛି ସୂଚନା କମିସନ୍‌: ୫ବର୍ଷ ତଳ ମାମଲାର ଆଜି ବି ହେଉଛି ଶୁଣାଣି

୨୦୧୫ ମସିହାର ପଡ଼ିଛି ୧୧୭୪ ମାମଲା, ୩ କମିସନ ସତ୍ତ୍ବେ ମାମଲା ଶୁଣାଣିରେ ଶିଥିଳତା

ଭୁବନେଶ୍ବର: ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ ମସିହାରେ ରାଜ୍ୟ ସୂଚନା କମିସନ୍‌ଙ୍କ ନିକଟରେ ଯେଉଁସବୁ ମାମଲା ଦାୟର ହୋଇଥିଲା, ତାହା ୨୦୨୦ ମସିହାରେ ବି ବିଚାର ହେଉଛି। ଗୋଟିଏ କି ଦୁଇଟି ନୁହେଁ, ୫ବର୍ଷ ତଳର ଶହଶହ ମାମଲା ଏବେ ବି କମିସନ୍‌ଙ୍କ ନିକଟରେ ବିଚାରାଧୀନ ରହିଛି। ମାମଲାର ଶୁଣାଣିରେ ବ୍ୟାପକ ଶିଥିଳତା ହିଁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯଦି ଏଭଳି ଢଙ୍ଗରେ ମାମଲାର ଶୁଣାଣି ଚାଲିବ, ତେବେ ୨୦୨୦ ମସିହାରେ ସୂଚନା କମିସନଙ୍କ ନିକଟରେ ଦାୟର ହେଉଥିବା ମାମଲାର ଶୁଣାଣି ହେବାକୁ ଆସନ୍ତା ୫ବର୍ଷ ଲାଗିପାରେ ବୋଲି ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ସୂଚନା ଅଧିକାର ବଳରେ ତଥ୍ୟ ମାଗୁଥିବା ‌ବ୍ୟକ୍ତି କିଭଳି ନ୍ୟାୟ ପାଇବେ, ତାହା ବାରି ହୋଇପଡ଼ୁଛି।

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟ ସୂଚନା କମିସନ୍‌ଙ୍କ ନିକଟରେ ୨୦୧୫ ମସିହାର ୧୧୭୪ଟି ମାମଲା ବିଚାରାଧୀନ ରହିଛି। ରାଜ୍ୟ ମୁଖ୍ୟ ସୂଚନା କମିସନ୍‌ଙ୍କ ନିକଟରେ ସିଧାସଳଖ ଅଭିଯୋଗ ୧୪ମାମଲା ଓ ୧୯ଟି ଦ୍ବିତୀୟ ଅପିଲ ମାମଲା ବିଚାରାଧୀନ ରହିଛି। ସେହିପରି ୨୦୧୬ ମସିହାର ୩୨ଟି ମାମଲା ଓ ୮୫ଟି ଦ୍ବିତୀୟ ଅପିଲ୍ ପଡ଼ି ରହିଛି। ସେହିପରି ଦ୍ବିତୀୟ ସୂଚନା କମିସନ୍‌ ଶଶିପ୍ରଭା ବିନ୍ଧାଣୀଙ୍କ ନିକଟରେ ୨୦୧୫ ମସିହାର ୩ଟି ସିଧାସଳଖ ଅଭିଯୋଗ ସମେତ ୪୩ଟି ଦ୍ବିତୀୟ ଅପିଲ ବିଚାରାଧୀନ ଥିବା ବେଳେ ୨୦୧୬ ମସିହାର ୫୫ଟି କମ୍ପ୍ଲେଣ୍ଟ ମାମଲା ଓ ୪୪୦ଟି ଦ୍ବିତୀୟ ଅପିଲ ମାମଲା ଆଜି ବି ବିଚାରାଧୀନ ରହିଛି। ସେହିପରି ଅନ୍ୟତମ କମିସନ୍‌ ବାଳକୃଷ୍ଣ ମହାନ୍ତିଙ୍କ ନିକଟରେ ୨୦୧୫ମସିହାର ୨୬ଟି ଅଭିଯୋଗ ଓ ୬୨ଟି ଦ୍ବିତୀୟ ଅପିଲ୍ ଓ ୨୦୧୬ ମସିହାର ୭୧ଟି ମାମଲା ଓ ୩୨୪ଟି ଦ୍ବିତୀୟ ଅପିଲ ମାମଲା ବିଚାରାଧୀନ ରହିଛି। ଯଦି ଏଭଳି ଢଙ୍ଗରେ ମାମଲାଗୁଡ଼ିକର ବିଚାର କରାଯିବ, ତା’ ହେଲେ ସୂଚନା କମିସନ୍‌ ୨୦୨୦ ମସିହାର ମାମଲାର ଶୁଣାଣି ୨୦୨୫ ମସିହା ବେଳକୁ ହେବ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ଅନ୍ୟ ଏକ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ ମସିହାରୁ ୨୦୧୯ ମସିହା ମଧ୍ୟରେ ମୁଖ୍ୟ ସୂଚନା କମିସନ୍‌ ୫୨୫ ଦିନ ଶୁଣାଣି କରିଥିବା ବେଳେ ଶଶିପ୍ରଭା ବିନ୍ଧାଣୀ ୫୫୧ ଦିନ ଓ ପୂର୍ବତନ କମିସନ ଏଲ.ଏନ୍‌ ପଟ୍ଟନାୟକ ୪୪୫ ଦିନ ଶୁଣାଣି କରିଛନ୍ତି। ଏହି ସମୟରେ ମୁଖ୍ୟ ସୂଚନା କମିସନ୍‌ଙ୍କ ନିକଟରେ ୧୩୭୭ ମାମଲା ଆସିଥିବା ବେଳେ ତହିଁରୁ ୪୧୨ମାମଲାର ଫଇସଲା କରିଛନ୍ତି। ଶଶିପ୍ରଭା ବିନ୍ଧାଣୀଙ୍କ ନିକଟରେ ଥିବା ୯୧୪ ମାମଲାରୁ ୩୫୪ର ଫଇସଲା ହୋଇଥିବା ବେଳେ ପୂର୍ବତନ ସୂଚନା କମିସନ୍‌ ଏଲ.ଏନ୍ ପଟ୍ଟନାୟକ ୧୧୭୭ ମାମଲାରୁ ୨୦୭ ମାମଲାର ଫଇସଲା କରିବାରେ ସକ୍ଷମ ହୋଇପାରିଛନ୍ତି। ଦ୍ବିତୀୟ ଅପିଲ୍ କ୍ଷେତ୍ରରେ ମଧ୍ୟ ୩ ସୂଚନା କମିସନ୍‌ଙ୍କ ଶୁଣାଣି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଗତ ୨୦୧୬ରୁ ୨୦୧୯ ମସିହା ମଧ୍ୟରେ ମୁଖ୍ୟ ସୂଚନା କମିସନ୍‌ ୮୮୫୦ ମାମଲାରୁ ୨୯୬୦ର ଫଇସଲା କରିବାରେ ସକ୍ଷମ ହୋଇଛନ୍ତି। ସେହିପରି ଦ୍ବିତୀୟ ସୂଚନା କମିସନ୍‌ ୮୫୩୩ରୁ ୧୯୭୭ ମାମଲାର ଫଇସଲା ଓ ତୃତୀୟ ସୂଚନା କମିସନ୍‌ ୫୭୪୭ରୁ ୧୬୭୬ ମାମଲାର ଫଇସଲା କରିପାରିଛନ୍ତି। ତେବେ ୨୦୧୯ ମସିହା ମେ’ ମାସରେ ସୂଚନା କମିସନ୍‌ ଏଲ.ଏନ୍ ପଟ୍ଟନାୟକ ଅବସର ଗ୍ରହଣ କରିସାରିଛନ୍ତି।

ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ କହିବାନୁଯାୟୀ, ଯଦି ଏଭଳି ଢଙ୍ଗରେ ସୂଚନା କମିସନ୍‌ରେ ମାମଲାଗୁଡ଼ିକର ଶୁଣାଣି କରାଯିବ, ତା’ ହେଲେ ଲୋକମାନଙ୍କୁ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ। ବାସ୍ତବରେ ସୂଚନା କମିସନ୍‌ମାନେ ଯଦି ଅଧିକ ସଂଖ୍ୟକ ମାମଲାର ଶୁଣାଣି ନ କରିବେ, ତେବେ ସୂଚନା ଅଧିକାର ଆଇନ‌ ରାଜ୍ୟରେ ବାଟବଣା ହୋଇଯିବ। ତେଣୁ ସୂଚନା କମିସନ୍‌ମାନେ ଦକ୍ଷତା ଓ ନିଷ୍ଠାର ସହ ମାମଲାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶୁଣାଣି କରି ଫଇସଲା କରିବାର ଆବଶ୍ୟକତା ରହିଛି। ଫଳରେ ନାଗରିକମାନେ ଠିକ୍‌ ସମୟରେ ଆବଶ୍ୟକ ସୂଚନା ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର