ତଥ୍ୟ ନ ଦେବାକୁ ଷଡ଼୍‌ଯନ୍ତ୍ର! ଅଧପନ୍ତରିଆ ରହିଲା ସୂଚନା କମିସନ, ଆଇନକୁ ଫାଙ୍କିଦେଲେ

ମୁଖ୍ୟ ସୂଚନା କମିସନ ଓ ଜଣେ ମାତ୍ର ସଦସ୍ୟରେ ଚାଲିଛି
ସୁପ୍ରିମକୋର୍ଟ ନିର୍ଦେଶକୁ ଫୁ, ବିଜ୍ଞାପନରେ ଅଟକିଛି ନୂଆ ନିଯୁକ୍ତି

ଭୁବନେଶ୍ବର : ସରକାରଙ୍କର ତଥା ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କର କାର୍ଯ୍ୟାବଳୀକୁ ସୂଚନା ମାଧ୍ୟମରେ ଲୁଚାଛପା ନରଖି ସ୍ବଚ୍ଛ କରିବା। ସରକାରୀ କଳକୁ ସମସ୍ତ କାର୍ଯ୍ୟାବଳୀ ପାଇଁ ନାଗରିକମାନଙ୍କ ନିକଟରେ ଉତ୍ତରଦାୟୀ ରଖିବା। ସମାଜରୁ ତଥା ଦେଶରୁ ଦୁର୍ନୀତିକୁ ପ୍ରତିହତ କରିବା।

ଏଭଳି ତିନିଟି ମହତ ଉଦ୍ଦେଶ୍ୟକୁ ମୁଖବନ୍ଧରେ ରଖି ଦେଶରେ କାର୍ଯ୍ୟକାରୀ ହୋଇଥିବା ସୂଚନା ଅଧିକାର ଆଇନକୁ ନେଇ ଏବେ ଓଡ଼ିଶାରେ ବଡ଼ ଧରଣର ବିତର୍କ ମୁଣ୍ଡ ଟେକିଲାଣି। ରାଜ୍ୟରେ ୨୦୦୫ ଅକ୍ଟୋବର ୨୯ ତାରିଖରେ ସୂଚନା କମିସନ ଗଠନ ହୋଇଥିଲେ ହେଁ ପାଖାପାଖି ୧୫ବର୍ଷ ପରେ କମିସନ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ନ ହେବା ଓ ସୂଚନା ପ୍ରଦାନରେ ବିଭିନ୍ନ ବିଭାଗର କାଳକ୍ଷେପଣ ନୀତିକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ୱେବ୍‌ସାଇଟ୍‌ରେ ପୂର୍ଣ୍ଣାଙ୍ଗ ତଥ୍ୟ ଉପଲବ୍ଧ ନାହିଁ କି ମାଗିଲେ ବି ମିଳୁନାହିଁ। ଏବେ ପୁଣି କୋଭିଡ୍-୧୯ ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟକୁ ମନା। ଏଭ​ଳି ପରିସ୍ଥିତିରେ କମିସନକୁ ସଙ୍କୁଚିତ କରାଯିବା ଘଟଣାକୁ ସୂଚନା ଅଧିକାର କର୍ମୀଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ କେହି ଗ୍ରହଣ କରିପାରୁନାହାନ୍ତି।

ଓଡ଼ିଶାରେ ସଂପ୍ରତି ମୁଖ୍ୟ ସୂଚନା କମିସନ ଭାବେ ସୁନୀଲ ମିଶ୍ର କାର୍ଯ୍ୟ କରୁଛନ୍ତି। ତାଙ୍କୁ ଛାଡ଼ି ବାଳକୃଷ୍ଣ ମହାପାତ୍ର ଜଣେ ମାତ୍ର ରାଜ୍ୟ କମିସନ ଅଛନ୍ତି। ଗତ ଜୁନ ମାସ ୧୫ ତାରିଖରେ ଅନ୍ୟତମ ରାଜ୍ୟ କମିସନ ଶଶୀପ୍ରଭା ବିନ୍ଧାଣୀଙ୍କ କାର୍ଯ୍ୟକାଳ ସରିଯାଇଛି।

Times of India

ଯଦିଓ ଆଇନ ଅନୁସାରେ ମୁଖ୍ୟ ସୂଚନା କମିସନଙ୍କ ବ୍ୟତୀତ ଅନ୍ୟ ୧୦ ଜଣ ରାଜ୍ୟ କମିସନ ରହିବା କଥା, ଏହାକୁ ଅନୁପାଳନ କରାଯାଉନାହିଁ। ଏପରିସ୍ଥଳେ ସର୍ବୋଚ୍ଚ ନ୍ୟାୟାଳୟ ଏକ କଡ଼ ଆଭିମୁଖ୍ୟ ନେଇ ଅଧିକ କମିସନ ନିଯୁକ୍ତି ଉପରେ ଜୋର ଦେଇଛନ୍ତି। ୨୦୧୯ େଫବ୍ରୁଆରି ମାସରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଓଡ଼ିଶାରେ ୨୦୦୫ ଅକ୍ଟୋବରରେ ମୁଖ୍ୟ ସୂଚନା କମିସନ ଓ ଜଣେ ରାଜ୍ୟ କମିସନଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରେ ୨୦୧୦ ଏପ୍ରିଲ ୫ରେ, ୨୦୧୨ ଜୁଲାଇ ୯ରେ ଆଉ ଦୁଇଟି ପଦବି ସୃଷ୍ଟି ହୋଇଥିଲା। ହେଲେ ୨୦୧୫ ମେ’ ୨୭ରୁ ଗୋଟିଏ ପଦବି ଖାଲି ପଡ଼ିଛି। ମାମଲାର ସଂଖ୍ୟା ଦୃଷ୍ଟିକୁ ବିଚାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିର୍ଦେଶନାମାର ମାସେ ଭିତରେ ଆଉ ତିନିଟି କମିସନ ପଦବି ସୃଷ୍ଟି କରିବା ସହ ୪ମାସ ଭିତରେ ସମୁଦାୟ ପୂରଣ କରାଯାଉ।

ଫଳରେ ମୁଖ୍ୟ ସୂଚନା କମିସନଙ୍କୁ ଛାଡ଼ି ଅନ୍ୟ ଛଅ ଜଣ ସଦସ୍ୟ ଓଡ଼ିଶାରେ ରହିବା କଥା। ଯେହେତୁ ଏବେ ଓଡ଼ିଶାରେ ଦୁଇଜଣ ଅଛନ୍ତି, ଏଣୁ ଅନ୍ୟ ପାଞ୍ଚଟି ପଦ ପୂରଣ ଲାଗି ସରକାର ଯେଭଳି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଉ ତିନିଟି କମିସନ ପଦ ପୂରଣ ପାଇଁ ଗତ ମାର୍ଚ୍ଚ ମାସରେ ବିଜ୍ଞାପନ ପ୍ରକାଶ କରାଯାଇ ଦରଖାସ୍ତ ଆହ୍ବାନ କରାଯାଇଥିଲା ଓ ଏହାର ଶେଷ ତାରିଖ ଏପ୍ରିଲ ୧୮ ତାରିଖ ଥିଲା। ଇତିମଧ୍ୟରେ ଅଢେଇ ମାସ ବିତିଯାଇଥିଲେ ହେଁ, ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରହିଥିବା ସର୍ଚ୍ଚ କମିଟି ବୈଠକ କିନ୍ତୁ ବସିନାହିଁ। ଫଳରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଚୟନ କମିଟି ବୈଠକ ବସିପାରିନାହିଁ।

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ସୂଚନା କମିସନ, ରାଜ୍ୟ ବିଧାନସଭା ନିକଟରେ ଉତ୍ତରଦାୟୀ। କମିସନର ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା କଥା। ଏ ଦିଗରେ ମଧ୍ୟ ରାଜ୍ୟ ସୂଚନା କମିସନ ବିଫଳ ହୋଇଛନ୍ତି। ନା କମିସନ ନିଜ ଆଡୁ ରିପୋର୍ଟ ଦେଉଛନ୍ତି ନା ବିଧାନସଭାରେ ଏ ସଂପର୍କରେ ବିଧାୟକମାନେ ଦାବି ରଖି ରିପୋର୍ଟ ମାଗୁଛନ୍ତି।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ଯେ କମିସନ ଆଇନକୁ ଅଚଳ କରିଦେବା ଲାଗି ଗୋଟିଏ ପ୍ରକାର ଷଡ଼୍‌ଯନ୍ତ୍ର ଚାଲିଛି। ପାଖାପାଖି ୧୨ହଜାରରୁ ଅଧିକ ମାମଲା ବିଚାର ଅପେକ୍ଷାରେ ରହିଛି। ୨୦୧୬ର ମାମଲା ଯଦି ଏବେ ବିଚାର ହେଉଛି, ତେବେ ୨୦୧୭-୧୮ ଓ ୨୦୧୮-୧୯ ସଂପର୍କରେ ଯେଉଁ ଦରଖାସ୍ତ ଦିଆଯାଇଛି, ତାହା କେବେ ଶୁଣାଣି ହେବ?

ସମ୍ବନ୍ଧିତ ଖବର