ଓଡ଼ିଶା ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ

ବାରିପଦା: ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ପ୍ରଥମ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୧୧୦୦ ଜଣ ପ୍ରତିଯୋଗୀ, ୧୦୦ ଜଣ ମ୍ୟାନେଜର ଓ ୧୦୦ ଜଣ ମ୍ୟାଚ୍‌ ଅଧିକାରୀ ଯୋଗ ଦେଇଥିଲେ। ବାରିପଦା ଷ୍ଟାଡିୟମ୍‌ରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ୧୫ଟି ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗୀଙ୍କ ପରେଡ୍‌ ହୋଇଥିଲା। କୁଳପତି ପ୍ରଫେସର କିଶୋର କୁମାର ବସା ଅଭିବାଦନ ଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ ପରିସରରେ ପୁରସ୍କାର ବିତରଣ ସଭା ହୋଇଥିଲା। ଏଥିରେ କୁଳପତି ପ୍ରଫେସର ବସା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ଅନ୍ୟତମ ଅତିଥି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ସ୍ପୋର୍ଟସ୍‌ କାଉନ୍‌ସିଲ୍‌ର ସଂପାଦକ ଡ. ଇନ୍ଦ୍ରଜିତ ନାୟକ, ବରିଷ୍ଠ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଫେସର ବସା ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଖେଳାଳି, ମ୍ୟାନେଜର, ମ୍ୟାଚ୍‌ ଅଧିକାରୀ, ଅନୁବନ୍ଧିତ କଲେଜର ଅଧ୍ୟକ୍ଷ, ବାରିପଦା କଲେଜର ଅଧ୍ୟକ୍ଷ, ଲୋୟଲା ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷ, ଶଂଖାଭଙ୍ଗା ପଞ୍ଚାୟତର ସମସ୍ତ ସଦସ୍ୟ, ମୟୂରଭଞ୍ଜ ଆଥ୍‌ଲେଟିକ୍ ଆସୋସିଏନ୍‌ର ସମସ୍ତ ସଦସ୍ୟ, ମୟୂରଭଞ୍ଜ ବ୍ୟାଡ୍‌ମିଣ୍ଟନ ଆସୋସିଏନ୍‌ର ସମସ୍ତ ସଦସ୍ୟ, ଷ୍ଟେସନ ବଜାର ଆଥ୍‌ଲେଟିକ୍ ଆସୋସିଏନ୍‌ର ସମସ୍ତ ସଦସ୍ୟ, ବାରିପଦା କ୍ରୀଡ଼ା ସଂଘର ସମସ୍ତ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ରୀଡ଼ା ମହାକୁମ୍ଭକୁ ସଫଳ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହା ସହିତ କ୍ରୀଡ଼ା ଆୟୋଜନରେ ସହଯୋଗ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅବନୀ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ କୁଳସଚିବ ଶ୍ରୀ ସହଦେବ ସମାଧିଆ ଧନ୍ୟବାଦ ଦେଇଥିଲେ। ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଲ୍ଲେଖ ଥାଉକି ପୁରୁଷ ଫୁଟ୍‌ବଲ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସ-ଅପ୍ ହୋଇଥିଲା।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ଫୁଟ୍‌ବଲ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସ-ଅପ୍ ହୋଇଥିଲା। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା। ପୁରୁଷ କ୍ରିକେଟ୍‌ରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସ-ଅପ୍ ହୋଇଥିଲା। ଫକୀରମୋହନ  ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ମହିଳା ଭଲିବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଥିବା ବେଳେ କିଟ୍‌ ରନର୍ସ-ଅପ୍ ହୋଇଥିଲା। ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପୁରୁଷ ଭଲିବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଥିବା ବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ରନର୍ସ-ଅପ୍ ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପୁରୁଷ ଚେସ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟର ତପନ ବଡ଼ମୁଣ୍ଡି ଚାମ୍ପିଅନ୍‌ ହୋଇଥିବା ବେଳେ କିଟ୍‌ର ସାଜନ କୁମାର ନାୟକ ରନର୍ସ-ଅପ୍ ହୋଇଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟର ତୁଷାରକାନ୍ତ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ଚେସ୍‌ରେ କିଟ୍‌ର ଉମା ଦଳପତି ଚାମ୍ପିଅନ୍‌ ହୋଇଥିବା ବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ତୁତି ନନ୍ଦ ରନର୍ସ-ଅପ୍ ହୋଇଥିଲେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଐଶ୍ୱର୍ଯ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ବାସ୍କେଟ୍‌ ବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରନର୍ସ-ଅପ୍ ହୋଇଥିଲା।

ସମ୍ବନ୍ଧିତ ଖବର