ମୁମ୍ବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ: ଶି​ଳ୍ପପତିଙ୍କୁ ଓଡ଼ିଶା ଡାକିଲେ ନବୀନ

ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକମାନଙ୍କୁ ଆମନ୍ତ୍ରଣ, ଆନନ୍ଦ ମହିନ୍ଦ୍ରା, ଅନିଲ ଅଗ୍ରୱାଲଙ୍କୁ ଭେଟିଲେ

ଭୁବନେଶ୍ବର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ରେ ଭାଗ ନେବାକୁ ନିବେଶକ ଓ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମନ୍ତ୍ରଣ କରିଛନ୍ତି। ବୁଧବାର ଦିନ ରାଜ୍ୟ ସରକାର ଓ ଶିଳ୍ପ ସଂଘ ଫିକି ସହଯୋଗରେ ମୁମ୍ବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତରେ ଓଡ଼ିଶା ହେଉଛି ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ରାଜ୍ୟ। ଗତ ଦେଢ଼ ଦଶନ୍ଧି ଧରି ରାଜ୍ୟର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିଛି। ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳର ଭଣ୍ଡାର ଓ ଭୌଗୋଳିକ ଉପସ୍ଥିତି ଯୋଗୁଁ ପୂର୍ବ ଭାରତରେ ଆମେ ଏକ ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳ ଭାବେ ଉଭା ହୋଇଛୁ। ପ୍ରଗତିଶୀଳ ନୀତି, ପ୍ରଭାବୀ ପ୍ରଶାସନ ଓ ପ୍ରଯୁକ୍ତି ହସ୍ତକ୍ଷେପ ଜରିଆରେ ଏହି ଲାଭକୁ ହାସଲ କରିବା ଉପରେ ଗତ ୨୦ ବର୍ଷ ଧରି ଆମ ସରକାର ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି। ଓଡ଼ିଶାର ରୂପାନ୍ତରଣ ଯାତ୍ରାର ସହଯୋଗୀ ହେବା ଲାଗି ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା ଓ ୱାରେ ଇଞ୍ଜିନିୟର୍ସ ଲିମିଟେଡ୍‌ର ଅଧ୍ୟକ୍ଷ ହିତେଶ ଦୋଷୀଙ୍କୁ ସାକ୍ଷାତ କରିଛନ୍ତି।

ବେଦାନ୍ତ ଗ୍ରୁପ୍‌ର ମୁଖ୍ୟ ଅନିଲ୍‌ ଅଗ୍ରୱାଲ୍‌ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରି ଆଲୋଚନା କରିଛନ୍ତି। ଓଡ଼ିଶାରେ ୨୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବା ପାଇଁ କମ୍ପାନି ଲକ୍ଷ୍ୟ ରଖିଥିବା ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି। ଆଲୁମିନିୟମ୍‌, ଫେରୋକ୍ରୋମ୍‌ ଓ ଖଣି ବ୍ୟବସାୟରେ ସଂପ୍ରସାରଣ ପାଇଁ ଏହି ପୁଞ୍ଜିନିବେଶ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବେଦାନ୍ତ ୮୦ ହଜାର କୋଟି ଟଙ୍କା ନିବେଶ କରିସାରିଛି ବୋଲି ସେ କହିଛନ୍ତି। ଶ୍ରୀ ପଟ୍ଟନାୟକ ଅପାର ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଚୈତନ୍ୟ ଦେଶାଇଙ୍କୁ ସାକ୍ଷାତ କରି ଓଡ଼ିଶାରେ ଆନୁଷଙ୍ଗିକ ଶିଳ୍ପ ସ୍ଥାପନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ସେହିପରି ଜେମ୍‌ ବକ୍ସି ଗ୍ରୁପ୍‌ର ଏମ୍‌ଡି ଧ୍ରୁବ କୋଟାକଙ୍କୁ ଭେଟି ବନ୍ଦର ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି।

Odisha Insider

 

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟର ଦକ୍ଷ ଶ୍ରମ ଶକ୍ତି ଉପଲବ୍ଧତା ବିଷୟରେ ଆଲୋଚନା କରି କହିଛନ୍ତି ଯେ ଓଡ଼ିଶାରେ ପ୍ରାୟ ୨୦୦ ଇଞ୍ଜିନିୟରିଂ କଲେଜ ଓ ୧୦୦୦ ଆଇଟିଆଇ ରହିଛି। ନିକଟରେ ଏକ ୱାର୍ଲଡ୍ ସ୍କିଲ ସେଣ୍ଟର ସ୍ଥାପନ କରାଯାଇଛି। ଉଦ୍ୟମିତାର ପ୍ରସାର ଲାଗି ଷ୍ଟାର୍ଟଅପ୍ ଓଡ଼ିଶା ଭଳି ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶାର ଅର୍ଥନୈତିକ ଓ ଶିଳ୍ପ ବିକାଶ ଉପରେ ଆଲୋଚନା କରିଥିଲେ। ସେ କହିଲେ, ଓଡ଼ିଶା ହେଉଛି ଇସ୍ପାତ, ଆଲୁମିନିୟମ ଓ ‌ଷ୍ଟେନଲେସ୍‌ ଷ୍ଟିଲ୍‌ର ସର୍ବବୃହତ ଉତ୍ପାଦନକାରୀ। ରସାୟନ ଓ ପେଟ୍ରୋକେମିକାଲ୍‌ସ, ବୟନ ଓ ପୋଷାକ, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଗ୍ରିନ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଡାଟା ସେଣ୍ଟର, ଇଲେକ୍ଟ୍ରିକ୍ ଯାନ ଓ ଉପକରଣ ଭଳି ନୂଆ ପିଢ଼ିର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପୁଞ୍ଜିନିବେଶ ହାସଲ କରୁଛି ବୋଲି ସେ କହିଛନ୍ତି।

୨୦୧୬ରେ ମେକ୍ ଇନ୍ ଓଡ଼ିଶାର ପ୍ରାରମ୍ଭିକ ସଂସ୍କରଣ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୮,୫୦୦ ଲୋକଙ୍କ ଆଗମନ ହୋଇଥିଲା ଓ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୨୦ରୁ ଅଧିକ ନିବେଶ ପ୍ରସ୍ତାବ ଆସିଥିଲା। ୨୦୧୮ରେ କନ୍‌କ୍ଲେଭ୍‌ର ଦ୍ବିତୀୟ ସଂସ୍କରଣରେ ୪୫,୦୦୦ ପରିଦର୍ଶନକାରୀ ଆସିଥିଲେ ଓ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏଥରର ସଂସ୍କରଣକୁ ଆହୁରି ବଡ଼ ଓ ବ୍ୟାପକ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭବିଷ୍ୟତ ପାଇଁ ରାଜ୍ୟର ଶିଳ୍ପ ବିକାଶର ରୋଡ୍‌ମ୍ୟାପ୍ ବିଷୟରେ ଆଲୋଚନା କରିବା ନିମନ୍ତେ ସାରା ବିଶ୍ବର ଶିଳ୍ପପତିମାନଙ୍କ ପାଇଁ ମେକ୍ ଇନ୍ ଓଡ଼ିଶା ଏକ ବଡ଼ ମଞ୍ଚ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଥିବା ନିବେଶ ସମ୍ଭାବନା, ସହଜ ବ୍ୟବସାୟ ବାତାବରଣ ରୢାଙ୍କ, ଶ୍ରେଷ୍ଠ ମାନର ପ୍ରୋତ୍ସାହନ ଏବଂ ଦକ୍ଷ ମାନବ ସମ୍ବଳ ଉପଲବ୍ଧତା ଉପରେ ଆଲୋଚନା କରିଥିଲେ। ଏସବୁ କିଛି ଯୋଗୁଁ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକଠାରୁ ଆଗରେ ରହିଛି ଏବଂ ଶିଳ୍ପସଂସ୍ଥାଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି। ଭାରତର ଅନ୍ୟ ପ୍ରାନ୍ତ ତୁଳନାରେ ପୂର୍ବାଞ୍ଚଳ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହି ବଜାରରେ ଓଡ଼ିଶା ଶିଳ୍ପ ସ୍ଥାପନ ପାଇଁ ଶ୍ରେଷ୍ଠ ସୁବିଧା ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଇଡ୍‌କୋର ଏମ୍‌ଡି ଭୁପେନ୍ଦ୍ର ସିଂ ପୁନିଆ, ଫିକି ମହାରାଷ୍ଟ୍ର ରାଜ୍ୟ ପରିଷଦର ଅଧ୍ୟକ୍ଷ ସୁଲଜା ଫିରୋଦିଆ ମୋତୱାନି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଶିଳ୍ପ ଜଗତର ୩୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର