ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅଧିକ ପ୍ରୋତ୍ସାହନ ଦେବୁ

ଯୋଗ ଦେଲେ ୪୦୦ରୁ ଅଧିକ ଶିଳ୍ପ ପ୍ରତିନିଧି, ନବୀନଙ୍କୁ ଭେଟିଲେ ୨୦ ଶିଳ୍ପପତି

ଭୁବନେଶ୍ବର: ‌ଓଡ଼ିଶା ଆସ। ପୁଞ୍ଜି ନିବେଶ କର। ଅନ୍ୟ ରାଜ୍ୟମାନେ ଯେତିକି ପ୍ରୋତ୍ସାହନ ଦେଉଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ପ୍ରୋତ୍ସାହନ ଦେବୁ। ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଦେଶର ପ୍ରଯୁକ୍ତି ସହର ବେଙ୍ଗାଲୁରୁରେ ନିବେଶକମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିଳ୍ପ ସଂଘ ଫିକି ସହଯୋଗରେ ବେଙ୍ଗାଲୁରୁରରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନୂଆ ଶିଳ୍ପ ଯୁଗରେ ଓଡ଼ିଶା ସହ ଯୋଡ଼ି ହେବା ଲାଗି ନିବେଶକମାନଙ୍କୁ ସେ ଆହ୍ବାନ ଦେଇଛନ୍ତି। ନିଯୁକ୍ତି ଭିତ୍ତିକ ଶିଳ୍ପ ବିକାଶ ପାଇଁ ଓଡ଼ିଶା ପ୍ରତିବଦ୍ଧ ରହିଛି। ଆମ ସରକାର ଯାହା କୁହେ ତାହା କରିଥାଏ ବୋଲି ସେ କହିଛନ୍ତି।

ଏହି ନିବେଶକ ସମ୍ମିଳନୀରେ ଶିଳ୍ପ ଜଗତର ୪୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ରେ ଅଂଶଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି। କିଛି ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା ମଧ୍ୟ କରିଛନ୍ତି। ‌ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‌ବହୁ ପ୍ରତିଷ୍ଠିତ ଆଇଟି କଂପାନି ଓଡ଼ିଶାରେ ସେମାନଙ୍କ ସେଣ୍ଟର ସ୍ଥାପନ କରିଛନ୍ତି। ରାଜ୍ୟରେ ଏକ ବଳିଷ୍ଠ ଷ୍ଟାର୍ଟଅପ୍ ବ୍ୟବସ୍ଥା ରହିଛି। ସକ୍ରିୟ ମାନୁଫାକଚରିଂ ନିବେଶରେ ଭାରତର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି। ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜନେସ୍ ରୢାଙ୍କିଙ୍ଗ୍‌ରେ ରାଜ୍ୟ ‘ଆଚିଭର୍ସ’ ବର୍ଗରେ ସ୍ଥାନ ପାଇଛି। ସାରା ଦୁନିଆକୁ ଆମ ଅଭିବୃଦ୍ଧି କାହାଣୀ ବିଷୟରେ ଅବଗତ କରିବା ଲାଗି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଆମ ପାଇଁ ଏକ ମଞ୍ଚ ବୋଲି ସେ କହିଛନ୍ତି। ଏହି ଅବସରରେ ଇଙ୍କ୍‌ଚୁର ଇଣ୍ଡିଆର ସେଣ୍ଟର ମୁଖ୍ୟ ରଣଜିତ କୁମାର, କନ୍‌ସଣ୍ଟ୍ରିକ୍ସ ଦକ୍ଷ ସର୍ଭିସେସ୍‌ର ସଭାପତି ଗିରିଶ ମେନନ, ଏବିବି ଲିମିଟେଡ୍‌ର ସିଏଫ୍‌ଓ ଟି କେ ଶ୍ରୀଧର, ଇଣ୍ଡୋ ନିସିନ୍ ଫୁଡ୍‌ସର ଏମ୍‌ଡି ଓ ସିଇଓ ଗୌତମ ଶର୍ମା, ଗୋଲକଦାସ ଏକ୍ସପୋର୍ଟସ୍‌ର ଏମ୍‌ଡି ଶିବା ଗଣପତି, ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ସିଇଓ ଭି ଏସ୍‌ ଗଣେଶ, ଗ୍ଲୋବାଲ ଫାଉଣ୍ଡ୍ରିର କଣ୍ଟ୍ରି ହେଡ୍‌ ଜିତେନ୍ଦ୍ର ଚଢ଼ା, ଇଣ୍ଟେଲ୍‌ ଟେକ୍ ଇଣ୍ଡିଆର କଣ୍ଟ୍ରି ହେଡ୍ ନିଭୃତି ରାଏ, କଟନ ୱାର୍ଲଡ୍‌ର ଏମ୍‌ଡି ବି ଏନ୍ ମୋନାପ୍ପା, ୱାଣ୍ଣର୍ଲାର ଏମ୍‌ଡି ଅରୁଣ ଚିତାପାଲ୍ଲି, ଡଲାର ଇଣ୍ଡଷ୍ଟ୍ରିଜ୍‌ର ଏମ୍‌ଡି ବିନୟ କୁମାର ଗୁପ୍ତା, ଇଣ୍ଡିଆନ୍ ଡିଜାଇନ୍‌ସର ସିଏମ୍‌ଡି ନାସିର ହୁମାୟୁନ୍ ଓ ଇଣ୍ଡିଆ ଷ୍ଟିଚେସ୍‌ର ସିଏମ୍‌ଡି ବିଶାଲ ସେହଗଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଗତକାଲି ୱିପ୍ରୋର ମୁଖ୍ୟ ଅଜିମ୍‌ ପ୍ରେମ୍‌ଜୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ନିବେଶକମାନଙ୍କୁ ସମ୍ବୋଧିତ କରି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ନିବେଶକମାନଙ୍କ ପାଇଁ ଓଡ଼ିଶା ପସନ୍ଦର ରାଜ୍ୟରେ ପରିଣତ ହୋଇଛି। ଆମେ ଶିଳ୍ପପତି, ଶିଳ୍ପ ସଂଘ ଓ ସମସ୍ତ ସଦସ୍ୟଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରୁଛୁ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ର ବିଭିନ୍ନ ଦିଗ ଉପରେ ନିବେଶକମାନଙ୍କୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକି କର୍ଣ୍ଣାଟକ ରାଜ୍ୟ ପରିଷଦର ଅଧ୍ୟକ୍ଷ କେ ଉଲ୍ଲାସ କାମାତ, ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍‌କାର୍‌ ରାଏ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବେଙ୍ଗାଲୁରୁ ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ। ପୂର୍ବରୁ ୨୦୧୬ରେ ମେକ୍ ଇନ୍ ଓଡ଼ିଶାର ପ୍ରଥମ ଓ ୨୦୧୮ରେ ଦ୍ବିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଚତୁର୍ଥ ସଂସ୍କରଣରେ ରେକର୍ଡ ସଂଖ୍ୟକ ନିବେଶ ପ୍ରସ୍ତାବ ହାସଲ କରିବା ଲାଗି ସରକାର ବିଭିନ୍ନ ସହରରେ ରୋଡ୍‌ ସୋ’ ଓ ନିବେଶକ ସମ୍ମିଳନୀ ଆୟୋଜନ କରୁଛନ୍ତି।

ଓଡ଼ିଶାରେ ସେଣ୍ଟର ଖୋଲିବେ ଆଇବିଏମ୍‌, ଆସେଞ୍ଚର
-ସରକାରଙ୍କ ସହ ଯୋଡ଼ିହେବ ଫ୍ଲିପ୍‌କାର୍ଟ
ଭୁବନେଶ୍ବର: ଦେଶର ପାଞ୍ଚଟି ପ୍ରମୁଖ ସଂସ୍ଥା ଓଡ଼ିଶାରେ ସେମାନଙ୍କ ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ଆଇବିଏମ୍‌, ଆସେଞ୍ଚର, ହାପିଏଷ୍ଟ୍‌ ମାଇଣ୍ଡ୍‌ ଓ ୟର୍ନଷ୍ଟ୍‌ ଆଣ୍ଡ୍‌ ୟଙ୍ଗ୍‌। ପର୍ଯ୍ୟଟନ, ଲଜିଷ୍ଟିକ୍ ଓ ହସ୍ତକଳା କ୍ଷେତ୍ରରେ ଓଡ଼ିଶା ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଲାଗି ଫ୍ଲିପ୍‌କାର୍ଟ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଆଇବିଏମ୍‌ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ଆସେଞ୍ଚର୍‌ର ଏମ୍‌ଡି ଅଜୟ ଭିଜ୍, ଫ୍ଲିପ୍‌କାର୍ଟର ବରିଷ୍ଠ ଭିପି ରଜନୀଶ କୁମାର, ହାପିଏଷ୍ଟ୍‌ ମାଇଣ୍ଡ୍‌ର ସିଏଫ୍‌ଓ ଭେଙ୍କଟରମଣ ଏନ୍‌, ୟର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ର କନ୍‌ସଲ୍‌ଟିଂ ଲିଡର୍‌ ଗୌରବ ତନେଜା ଏହି ସୂଚନା ଦେଇଥିଲେ। ଆଇବିଏମ୍‌ ରାଜ୍ୟରେ ଯେଉଁ ସେଣ୍ଟର ସ୍ଥାପନ କରିବ ତାହା କ୍ଷମତା ୨୦୦-୫୦୦ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର