୨ ଲୁହାପଥର, ୩ ଚୂନପଥର ଖଣି ନିଲାମ ଲାଗି ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡ଼ିଶା ସରକାର ୫ଟି ଖଣିଜ ବ୍ଲକ୍‌ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ଜାରି କରି ବିଡ୍‌ ଆହ୍ଵାନ କରାଯାଇଛି ।

ଏହି ୫ଟି ମଧ୍ୟରୁ ୩ଟି ଚୂନ ପଥର ଓ ୨ଟି ଲୁହାପଥର ବ୍ଲକ ଅନ୍ତର୍ଭୁକ୍ତ । ୩ଟି ଚୂନ ପଥର ଖଣି ହେଲା ବରଗଡ଼ ଜିଲ୍ଲାର ବେହେରା ବାଞ୍ଜିପାଲି ବ୍ଲକ, ନୂଆପଡ଼ା ଜିଲ୍ଲାର ଗରମୁରା ବ୍ଲକ ଓ ମାଲକାନଗିରି ଜିଲ୍ଲାର ଉସକଲବଗୁ ବ୍ଲକ । ପ୍ରଥମ ଦୁଇଟି ଚୂନପଥର ବ୍ଲକର ଖଣି ଲିଜ୍‌ ଦିଆଯିବ ଓ ତୃତୀୟଟି ଅର୍ଥାତ୍‌ ଉସକଲବଗୁ ବ୍ଲକ ପାଇଁ କମ୍ପୋଜାଇଟ୍‌ ଲାଇସେନ୍ସ ବା ପ୍ରୋସପେକ୍ଟିଂ କମ୍‌ ମାଇନିଂ ଲିଜ୍‌ ଦିଆଯିବ । ଅର୍ଥାତ୍‌ ନିଲାମରେ ଜିତିବାପରେ ଲିଜଧାରୀ ଏହି ବ୍ଲକର ପରିବର୍ତ୍ତି ଖଣିଜ ସଂନ୍ଧାନ (ଏକ୍ସପ୍ଲୋରେସନ) କାର୍ଯ୍ୟ ଜାରି ରଖିବା ସହ ଖଣି ଖନନ କରିପାରିବେ । ଅନ୍ୟପକ୍ଷରେ ୨ଟି ଲୁହାପଥର ବ୍ଲକ ହେଲା ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଶୀ ଓ ପୁରେଇବାହାଲ ବ୍ଲକ । କେବଳ ଉସକଲବଗୁ ଚୂନପଥର ବ୍ଲକ ଜି-୩ ବର୍ଗର ହୋଇଥିବାବେଳେ ଅନ୍ୟସବୁ ଲୁହାପଥର ଓ ଚୂନପଥର ବ୍ଲକ ଜି-୨ ବର୍ଗର । ଜି-୨ ଶ୍ରେଣୀର ଖଣିଜ ବ୍ଲକର ଅର୍ଥ ହେଉଛି ଯେଉଁ ଖଣିଜ ବ୍ଲକରେ ଗଚ୍ଛିତ ଖଣିଜ ପଦାର୍ଥର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ରହିଛି । ଅନ୍ୟପକ୍ଷରେ ଜି-୩ ଶ୍ରେଣୀର ଖଣିଜ ବ୍ଲକର ଅର୍ଥ ହେଉଛି ଯେଉଁ ଖଣିଜ ବ୍ଲକରେ ଗଚ୍ଛିତ ଖଣିଜ ପଦାର୍ଥ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଆହୁରି ସନ୍ଧାନର ଆବଶ୍ୟକତା ରହିଛି ।

ଏମଏସଟିସି ମାଧ୍ୟମରେ ଏହି ଇ-ଅକ୍ସନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ । ଏମଏସଟିସି େଓ୍ଵବସାଇଟରୁ ଟେଣ୍ଡର ଡକ୍ୟୁମେଣ୍ଟ କିଣିବାର ଶେଷ ତାରିଖ ୯ ଏପ୍ରିଲ ହୋଇଥିବାବେଳେ ବିଡ୍‌ ଦାଖଲର ଶେଷ ତାରିଖ ଏପ୍ରିଲ ୧୬ ତାରିଖ ରଖାଯାଇଛି ।
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ମୋଟ ୩୪ଟି ଖଣିଜ ବ୍ଲକ ନିଲାମ ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା ବ୍ୟତୀତ ଛତିଶଗଡ଼, ଗୁଜୁରାଟ, ମହାରାଷ୍ଟ୍ର,ରାଜସ୍ତାନ,ତେଲେଙ୍ଗାନା ଆଦି ଖଣିଜ ବ୍ଲକର ଇ-ଅକ୍ସନ କରିବାକୁ ଯାଉଛନ୍ତି । ଏସବୁ ନିଲାମରୁ ରାଜ୍ୟମାନେ ମୋଟ ୭୫ ହଜାର କୋଟିର ରାଜସ୍ୱ ପାଇବାର ସମ୍ଭାବନା ରହିଛି । ଏହା ପୂର୍ବରୁ ନୂଆ ଏମଏମଡିଆର (ସଂଶୋଧନ) ଆଇନ ୨୦୧୫ ଲାଗୁହେବା ପରେ ଦେଶରେ ମୋଟ ୩୩ଟି ଖଣିଜ ବ୍ଲକ ନିଲାମ ହୋଇସାରିଛି ।

ସମ୍ବନ୍ଧିତ ଖବର