ଭୁବନେଶ୍ୱର : ସର୍ବାଧିକ କୋଭିଡ୍ ନମୁନା ପରୀକ୍ଷାରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇଛି। ଦେଶରେ ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୮୬୭ଜଣଙ୍କର କୋଭିଡ୍ ଟେଷ୍ଟ୍ କରାଯାଉଛି। ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ସର୍ବାଧିକ ୨୮୨୨ ଥିବା ବେଳେ ଗୋଆରେ ୨୧୬୬, କେରଳରେ ୧୨୩୩, ତାମିଲନାଡୁରେ ୯୨୫ ରହିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଦୈନିକ ୫୦ ହଜାର କୋଭିଡ୍ ଟେଷ୍ଟ୍ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ଗତ ୫ ଦିନର ରେକର୍ଡ ଦେଖିଲେ ଓଡିଶାରେ ପାଖାପାଖି ୧ ଲକ୍ଷ ୩୦ ହଜାର ଟେଷ୍ଟ୍ କରାଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୨ ହଜାର ୭୬୧ ଟେଷ୍ଟ୍ ହୋଇଛି। ଏହା ଭିତରୁ ୩୬ ହଜାର ୨ଟି ଆଣ୍ଟିଜେନ ଟେଷ୍ଟ୍ ହୋଇଥିବା ବେଳେ ୬ହଜାର ୬୩୫ଟି ଆରଟିପିସିଆର ଟେଷ୍ଟ୍ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଗତ ୧୨ ତାରିଖରେ ପ୍ରାୟ ୪୦ ହଜାର ବ୍ୟକ୍ତିଙ୍କର ଟେଷ୍ଟ୍ କରାଯାଇଥିଲା।

ବର୍ତ୍ତମାନ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରାଯାଉଛି। କେତେକ ଘରୋଇ ହସ୍ପିଟାଲକୁ ମଧ୍ୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ଟେଷ୍ଟିଂ ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ଲଢେଇରେ ଟେଷ୍ଟିଂ ହେଉଛି ପ୍ରମୁଖ ମାଧ୍ୟମ। ଯେତେ ଅଧିକ ଟେଷ୍ଟିଂ କରାଯିବ ସେତେ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ। ଯାହାଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇପାରିବ। ଆମେରିକାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ଥିଲା। କିନ୍ତୁ ସେଠାରେ ଅଧିକରୁ ଅଧିକ ଟେଷ୍ଟିଂ କରାଯିବା କାରଣରୁ ଏହା ନିୟନ୍ତ୍ରଣକୁ ଆସିପାରିଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ମୃତ୍ୟୁ ହାର କମ ରହିଛି। ସେହିଭଳି ସୁସ୍ଥତା ହାର ବି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। ଯେହେତୁ କରୋନା ପାଇଁ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ ତେଣୁ ଟେଷ୍ଟିଂ ଦ୍ୱାରା ହିଁ ଲୋକଙ୍କ ଜୀବନ ବଞ୍ଚାଇ ହେବ ବୋଲି ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

publive-image Global Biodefense

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା କିପରି ଆହୁରି ଅଧିକ ବଢାଇ ହେବ ସେ ନେଇ ପଦକ୍ଷେପ ନେବାକୁ ଗତ ବୈଠକରେ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ଯେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁ।ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ କେହି ଜଣେ ବି କରୋନା ରୋଗୀ ଯେପରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହୁଅନ୍ତୁ। କରୋନା କାଳରେ ସମସ୍ତଙ୍କର ଆର୍ଥିକ ସ୍ଥିତି ଖରାପ ରହିଛି। ଏଣୁ ସହଯୋଗ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏହି ପରୀପ୍ରେକ୍ଷୀରେ ସମସ୍ତେ ସହଯୋଗ କରନ୍ତୁ ଆଉ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ଏହାଦ୍ବାରା କରୋନା ଆୟତ୍ତକୁ ଆସିପାରିବ।

କେନ୍ଦ୍ର ସରକାର ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା କରିଥିଲେ । ଫଳରେ କରୋନା ସଂକ୍ରମଣ ରୋକିବା ସମ୍ଭବ ହୋଇଥିଲା। ଜରୁରୀ କାଳୀନ ସେବାକୁ ଛାଡି ଦେଲେ ସ୍କୁଲ କଲେଜ ଅଫିସ ଏପରିକି ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଥିଲା। ଲକ୍ ଡାଉନ କୋହଳ ହେଲା ପରେ ମଧ୍ୟ ଯଥା ସମ୍ଭବ ଘରୁ ରହି କର୍ମଚାରୀମାନେ କାମ କରିବାକୁ ଘରୋଇ ସଂସ୍ଥା ଓ ସରକାରୀ ଅଫିସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେଲେ ସେହି ଅଂଚଳକୁ ସାନିଟାଇଜ କରିବା ସହ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯାଉଛି। ବିଭିନ୍ନ ଦୋକାନମାନଙ୍କୁ ଆସୁଥିବା ଗ୍ରାହକମାନଙ୍କର ସ୍କ୍ରିନିଂ କରାଯାଉଛି ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।