ମହିଳା ସଶକ୍ତୀକରଣରେ ଓଡ଼ିଶା ସମଗ୍ର ଦେଶରେ ଉଦାହରଣ: ବିଜେଡି

ମହିଳାଙ୍କୁ ମିଳିଛି ୭୦% ଜିଲ୍ଲା ପରିଷଦ ସଭାପତି ଆସନ
ଐତିହାସିକ ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲା ବିଜେଡି

ଭୁବନେଶ୍ୱର : ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ସମସ୍ତ ପରିଷଦ ଦଖଲ କରିବା ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛି ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଭୋଟରମାନଙ୍କ ବିଶ୍ୱାସ ଏବଂ ବିଜେଡି ସରକାରର ଗରିବଙ୍କ ପ୍ରତି ଥିବା ଦରଦ ତଥା ବିକାଶମୂଳକ କାର୍ଯ୍ୟର ଫଳାଫଳ ବୋଲି କହିଛନ୍ତି ଦଳର ତିନି ମୁଖପାତ୍ର ସୁଲତା ଦେଓ, ଲୋରା ମହାପାତ୍ର ଓ ସୋଫିଆ ଆଲମ।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନାରୀ ନେତ୍ରୀମାନେ କହିଥିଲେ ଯେ ଏହି ବିଜୟ ଐତିହାସିକ ଅଟେ। କାରଣ ପ୍ରଥମ ଥର ପାଇଁ ଓଡିଶାରେ କୌଣସି ଦଳ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି। ବିଜେଡି ପାଇଁ ଏହି ବୃହତ୍ ବିଜୟ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱକୁ ପ୍ରତିପାଦିତ କରିଛି ଏବଂ ବିକାଶର କୌଣସି ବିକଳ୍ପ ନାହିଁ ବୋଲି ପ୍ରମାଣ କରି ଦେଖାଇଛି। ମହିଳା ନେତୃତ୍ୱ ଏବଂ ମହିଳାଙ୍କ ସଶକ୍ତୀକରଣ ଉପରେ ତାଙ୍କର ବିଶ୍ୱାସକୁ ଅତୁଟ ରଖି ନବୀନ ପଟ୍ଟନାୟକ ୨୧ଜଣ ମହିଳାଙ୍କୁ ଜିଲାପରିଷଦର ସଭାପତି ଭାବରେ ବାଛିଛନ୍ତି, ଯାହାକି ମୋଟ ଆସନଗୁଡିକର ୭୦% ଅଟେ। ଇତିହାସରେ ଏହା ପ୍ରଥମ ଥର ଯେ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲ୍ଲାରେ ନେତୃତ୍ୱ ନେବାକୁ ଯାଉଛନ୍ତି ଯାହାକି ବୋଧହୁଏ ଦେଶର ଅନ୍ୟ କୌଣସି ସ୍ଥାନରେ ହୋଇ ନାହିଁ। ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କୁ ଅନ୍ତର୍ଭୁକ୍ତ କରି) ୧୨ ଜଣ ଓବିସି ପ୍ରାର୍ଥୀ (୬୭%)ଙ୍କୁ ଜିଲ୍ଲା ପରିଷଦ ସଭାପତି କରାଯାଇଛି ।

ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି। ତାଙ୍କ ନିଜ ଜିଲ୍ଲା ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ଜଣେ ଓବିସି ମହିଳା ପ୍ରାର୍ଥୀ ଅଞ୍ଜଳି ସ୍ୱାଇଁଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବରେ ଚୟନ କରିଛନ୍ତି। ଏହା ହେଉଛି ପ୍ରକୃତ ମହିଳା ସଶକ୍ତୀକରଣ ଏବଂ ସାମାଜିକ ନ୍ୟାୟ । ମହିଳା ସଶକ୍ତୀକରଣର ଅନ୍ୟ ଏକ ଉଦାହରଣ ହେଉଛନ୍ତି ସରସ୍ୱତୀ ମାଝୀ। ସେ ସୁଦୂର କାଶୀପୁର ଅଞ୍ଚଳର। ମାତ୍ର ୨୩ ବର୍ଷ ବୟସ୍କ ଆଦିବାସୀ ନେତ୍ରୀ ସର୍ବକନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବରେ ମନୋନୀତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମାଲକାନଗିରିର ଜିଲ୍ଲା ପରିଷଦର ସଭାପତି ଭାବରେ ସମାରୀ ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି। ସେ ୨୬ ବର୍ଷ ବୟସର ଏବଂ +୨ କଳା ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ମହିଳା ସଶକ୍ତୀକରଣର ଅନ୍ୟ ଏକ ଉଦାହରଣ ହେଉଛନ୍ତି ସୁନ୍ଦରଗଡ଼ର କୁନ୍ତୀ ପ୍ରଧାନ। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପ୍ରଧାନ ଅଞ୍ଚଳରେ ଜିଲ୍ଲା ପରିଷଦ ସଭାପତି ହେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ସେ ଏକ ସରଳ ଆଦିବାସୀ ପରିବାରରୁ ଆସିଛନ୍ତି ଓ ସୁନ୍ଦରଗଡ଼ର ଟାଙ୍ଗରପାଲି ବ୍ଲକରେ ମହିଳା ଏସ୍ଏଚ୍‌ଜି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସମ୍ବଲପୁର ପାଇଁ ନୂତନ ଭାବେ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି କୁମୁଦିନି ନାୟକ ମଧ୍ୟ ସମ୍ବଲପୁର ଜିଲ୍ଲାର ବାମର ଭଳି ଦୂର ସ୍ଥାନରୁ ଆସିଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ପରିଷଦ ସଭାପତି ଭାବେ ତିରିଶଟି ଜିଲ୍ଲା ପାଇଁ ଯୁବ ତଥା ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ତିରିଶଟି ଜିଲ୍ଲା ମଧ୍ୟରୁ ପନ୍ଦର ଜଣ ନୂଆ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି ଯେଉଁମାନେ କି ୪୦ ବର୍ଷରୁ କମ୍ ବୟସର ଅଟନ୍ତି। ବିଜୁ ଜନତା ଦଳ ଦ୍ୱାରା ଯୁବ ସଶକ୍ତୀକରଣ ଉପରେ ଏହା ଏକ ସ୍ପଷ୍ଟ ଆଭିମୁଖ୍ୟ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ପ୍ରତିବଦ୍ଧତା ସହିତ ବିଜେଡି ଅଧିକରୁ ଅଧିକ ପରିଶ୍ରମ କରିବ ଏବଂ ଅନୁରୂପ ଭାବେ ଓଡ଼ିଶାବାସୀଙ୍କର ଆଶୀର୍ବାଦ ଲାଭ କରି ଚାଲିଥିବ ବୋଲି ବିଜେଡିର ତିନି ମୁଖପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର