ଭୁବନେଶ୍ବର: ଉଚ୍ଚଶିକ୍ଷା ପାଇଁ ବିଦେଶୀ ଛାତ୍ରଛାତ୍ରୀ ଏବେ ଓଡ଼ିଶାକୁ ପସନ୍ଦ କରୁଛନ୍ତି। ପିଏଚ୍ଡି, ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ଅପେକ୍ଷା ସ୍ନାତକ(ୟୁଜି)ରେ ପଢ଼ିବାକୁ ଅଧିକ ସଂଖ୍ୟକ ବିଦେଶୀ ଓଡ଼ିଶାକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରୁଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶରୁ ମୁହଁ ଫେରାଇଲେଣି ବିଦେଶୀ ଛାତ୍ରଛାତ୍ରୀ। ଗୁଣାତ୍ମକ ଶିକ୍ଷା, ଶାନ୍ତ ପରିବେଶ ବାହାର ଦେଶର ପିଲାମାନଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହା କୌଣସି ବେସରକାରୀ ରିପୋର୍ଟ ନୁହେଁ। ବରଂ ୨୦୨୧-୨୨ ଶିକ୍ଷାବର୍ଷ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଅଲ୍ ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ(ଏଆଇଏସ୍ଏଚ୍ଇ) ରିପୋର୍ଟ ଅନୁଶୀଳନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
୨୦୨୧-୨୨ ଶିକ୍ଷାବର୍ଷରେ ଭାରତରେ ୧୭୦ଟି ଦେଶର ୪୬ହଜାର ୮୭୮ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିଲେ। ସେଥିମଧ୍ୟରୁ ୫.୦୩% ଅର୍ଥାତ୍ ୨୩୬୨ଜଣ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶାରେ ପଢ଼ୁଥିଲେ। କରୋନା ପରବର୍ତ୍ତୀ ପରିସ୍ଥିତିରେ ୧୪ଜଣ ପିଏଚ୍ଡି କରୁଥିବା ବେଳେ ପିଜିରେ ୮୫ଜଣ, ସ୍ନାତକରେ ୨୨୨୧ଜଣ ଶିକ୍ଷା ଗ୍ରହଣ କରୁଥିବା ଏହି ରିପୋର୍ଟ କହୁଛି। ଭୁବନେଶ୍ବରରେ ଥିବା ଘରୋଇ ଓ ଡିମଡ୍ ବିଶ୍ବବିଦ୍ୟାଳୟ, ଜାତୀୟ ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ପଛରେ। ଏଠାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ କମ୍ ଥିବା ଜଣାପଡ଼ିଛି। ଏମ୍.ଫିଲ୍, ପିଜି ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍ରେ କେହି ବିଦେଶୀ ଛାତ୍ରଛାତ୍ରୀ ନାହାନ୍ତି। ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମରେ ୪୨ଜଣ ପଢ଼ୁଥିବା ଦର୍ଶାଯାଇଛି। ୫ଟି ଶିକ୍ଷାବର୍ଷର ହିସାବ ଦେଖିଲେ ଓଡ଼ିଶା ଲଗାତାର ଭାବେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ଚାଲିଛି। ୨୦୧୬-୧୭ ଶିକ୍ଷାବର୍ଷରେ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ୧୫ ରହିଥିଲା। ୨୦୧୮-୧୯ରେ ୧୬, ୨୦୧୯-୨୦ରେ ୧୪, ୨୦୨୦-୨୧ରେ ୯ମ ସ୍ଥାନକୁ ଲମ୍ଫ ମାରିଥିଲା।
୨୦୨୧-୨୨ ଶିକ୍ଷାବର୍ଷରେ ମଧ୍ୟ ସମାନ ସ୍ଥିତି ବଜାୟ ରଖିଛି। ଓଡ଼ିଶା ଉପରକୁ ଦିଲ୍ଲୀ ୮ମ ସ୍ଥାନରେ ରହିଛି। କର୍ଣ୍ଣାଟକରେ ସର୍ବାଧିକ ୬ହଜାର ୪ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପଞ୍ଜାବରେ ୫,୯୭୧, ଉତ୍ତରପ୍ରଦେଶରେ ୪,୩୨୩, ତାମିଲନାଡ଼ୁରେ ୩,୮୯୧, ମହାରାଷ୍ଟ୍ରରେ ୪,୮୫୬, ଗୁଜୁରାଟରେ ୩,୫୯୩, ଆନ୍ଧ୍ର ପ୍ରଦେଶରେ ୩,୧୧୫, ଦିଲ୍ଲୀରେ ୨,୭୭୧ ଜଣ ବିଦେଶୀ ପଢ଼ୁଥିଲେ। ତେବେ ଏସବୁ ଅଞ୍ଚଳରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି।
ଓଡ଼ିଶାରେ ୩୭ଟି ବିଶ୍ବବିଦ୍ୟାଳୟ ତଥା ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି। ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ୫ଟି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ, ୧୯ଟି ସରକାରୀ ବିଶ୍ବବିଦ୍ୟାଳୟ, ଗୋଟିଏ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ୮ଟି ଘରୋଇ ବିଶ୍ବବିଦ୍ୟାଳୟ ଓ ତିନିଟି ଡିମଡ୍ ବିଶ୍ବବିଦ୍ୟାଳୟରେ ପିଏଚ୍ଡି, ଏମ୍.ଫିଲ୍, ପିଜି, ୟୁଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଗି ସୁଯୋଗ ରହିଛି। ୨୦୧୯-୨୦ରେ ୩୨ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଥିବା ବେଳେ ୨୦୨୧-୨୨ରେ ନୂଆ ୫ଟି ଯୋଡ଼ି ହୋଇଛି। ଏଥିରେ ୩ଟି ସରକାରୀ ଓ ଦୁଇଟି ଘରୋଇ ବିଶ୍ବବିଦ୍ୟାଳୟ ରହିଛନ୍ତି। କଲେଜ ସଂଖ୍ୟା ବି ବଢ଼ିଛି। ୨୦୧୯-୨୦ରେ ୧୦୮୭ଟି ଥିବା ବେଳେ ୨୦୨୧-୨୨ ଶିକ୍ଷାବର୍ଷରେ ତାହା ୧୩୦୦ ଛୁଇଁଛି। ରାଜ୍ୟରେ ମୋଟ ୧୮୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରୁ ୫୨୧ଟି ଏକକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି। ପ୍ରତି ଲକ୍ଷେ ଜନସଂଖ୍ୟାରେ ୨୭ଟି କଲେଜ ରହିଛି ଏବଂ ପ୍ରତି ଶିକ୍ଷାନୁଷ୍ଠାନରେ ହାରାହାରି ୫୭୬ଜଣ ପଢ଼ୁଛନ୍ତି। ୪୨୧୮ଜଣ ପିଏଚ୍ଡି କରୁଥିବା ବେଳେ ୫୭୨ଜଣ ଏମ୍ଫିଲ୍, ୧ ଲକ୍ଷ ୧୯ ହଜାର ୬୯୮ଜଣ ପିଜି, ୭ଲକ୍ଷ ୮୨ହଜାର ୧୫୫ଜଣ ୟୁଜି ଶ୍ରେଣୀରେ ଶିକ୍ଷା ଗ୍ରହଣ କରୁଥିବା ଏହି ରିପୋର୍ଟରୁ ଜଣାପଡିଛି।