ବାଲ୍ୟ ବିବାହ ମୁକ୍ତ ହେଉଛି ଓଡ଼ିଶା: ବାଟ ଦେଖାଉଛି ‘ଠିଆନାଳ’

୧୦ ହଜାର ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା, ଦେବଗଡ଼ରେ ‘ବାଲ୍ୟ ବିବାହକୁ ନା’ ଅଭିଯାନ

ଭୁବନେଶ୍ବର: ବାଲ୍ୟ ବିବାହ ମୁକ୍ତ ହେଉଛି ଓଡ଼ିଶାର ଗାଁ। ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ହେବା ପରେ ଏବେ ଅନ୍ୟ ଜିଲ୍ଲାଗୁଡ଼ିକର ଗୋଟିଏ ପରେ ଗୋଟିଏ ଗାଁ ବାଲ୍ୟ ବିବାହ ମୁକ୍ତ ହେଉଛି। ଗାଁ ଲୋକଙ୍କ ମନବଳ ସାଙ୍ଗକୁ ପ୍ରଶାସନର ସହଯୋଗରେ ଏଭଳି ସଫଳତା ମିଳୁଛି। ଯେଉଁଥିପାଇଁ ରାଜ୍ୟର ୫୧ ହଜାର ଗାଁରୁ ପାଖାପାଖି ୧୦ ହଜାର ଏବେ ବାଲ୍ୟ ବିବାହ ମୁକ୍ତ ହୋଇଥିବା ସରକାରୀ ଭାବେ କୁହାଯାଉଛି। ମାତ୍ର ସଂଖ୍ୟା ଆହୁରି ଅଧିକ ହେବ। କାରଣ ରାଜ୍ୟରେ ଏମିତି ଅନେକ ଗାଁ ରହିଛି ଯେଉଁଠାରେ ବାଲ୍ୟ ବିବାହ ହେଉ ନଥିଲେ ମଧ୍ୟ ପ୍ରଶାସନ ଖାତାରେ ତାହାର ନାଁ ନାହିଁ। ଆଉ କିଛି ଗାଁ ରହିଛି, ଯେଉଁଠି ଲୋକେ ସ‌ଚେତନ ହେବା ସହ କମିଟି ଗଢ଼ି ବାଲ୍ୟ ବିବାହକୁ ରୋକିବାରେ ସକ୍ଷମ ହୋଇଛନ୍ତି। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ବାଲ୍ୟ ବିବାହ ପ୍ରଥା ରୋକିବାକୁ ଶପଥ ନେଇଛନ୍ତି। ଏଭଳି ଏକ ଗାଁ ହେଉଛି ଦେବଗଡ଼ ଜିଲ୍ଲାର ‘ଠିଆନାଳ’। ଏଠାକାର ଲୋକେ ଏକାଠି ହୋଇ ବାଲ୍ୟ ବିବାହ ବିରୋଧରେ ଲଢ଼େଇ କରି ସଫଳତା ପାଇଛନ୍ତି ଏବଂ ଏହା ଜିଲ୍ଲାର ଅନ୍ୟ ଗାଁଗୁଡ଼ିକ ଲାଗି ପ୍ରେରଣା ପାଲଟିଛି।

ଦଶନ୍ଧି ତଳେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଧୀନ ବୁଢ଼ାପାଳ ପଞ୍ଚାୟତର ‘ଠିଆନାଳ’ ଗାଁରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଥିଲା। ଝିଅକୁ ୧୮ ବର୍ଷ ହେବା ପୂର୍ବରୁ ପରିବାର ଲୋକେ ବର ଖୋଜୁଥିଲେ। ଭଲ ବରପାତ୍ର ମିଳିବା ମାତ୍ରେ ବିବାହ ମଧ୍ୟ କରି ଦେଉଥିଲେ। ଝିଅର ବୟସଠାରୁ ପୁଅର ବୟସ ଢ଼େର ଅଧିକ ଥିଲେ ମଧ୍ୟ ପରିବାର ଲୋକେ ତାହା ବୁଝୁ ନ ଥିଲେ। ମାତ୍ର ୨୦୧୨-୧୩ରେ ବାଲ୍ୟ ବିବାହର କୁପରିଣତି ବିଷୟରେ ଗାଁ ଲୋକେ ଅଙ୍ଗେ ଲିଭାଇବା ପରେ ବାଲ୍ୟ ବିବାହ ରୋକିବାକୁ ଶପଥ ନେଇଥିଲେ। ଗାଁରେ ଗ୍ରାମ୍ୟ ବାଲ୍ୟ ବିବାହ ବିରୋଧ ମଞ୍ଚ ଗଠନ ସହ ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବାକୁ ସଂକଳ୍ପ ନେଇଥିଲେ। ପରିଣାମ ସ୍ବରୂପ ୨୦୨୦ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଠିଆନାଳ’କୁ ମିଳିଲା ବାଲ୍ୟ ବିବାହ ମୁକ୍ତ ଗ୍ରାମର ସାର୍ଟିଫିକେଟ୍‌।

ମଞ୍ଚ ସଭାପତି ଗୁରୁ ଚରଣ ପ୍ରଧାନଙ୍କ କହିବାନୁଯାୟୀ ବାଲ୍ୟ ବିବାହ ରୋକିବାକୁ ଆମେ ଶପଥ ନେବା ସହ ମଞ୍ଚ ଗଠନ କରିଥିଲୁ। ଯେଉଁଥିରେ ୧୨ ଜଣ ସଦସ୍ୟ ରହିଛନ୍ତି। ଗାଁର ପ୍ରତି ପରିବାରକୁ ଯାଇ ସଚେତନ କରାଯିବା ସହ ଝିଅର ବୟସ ୧୮ ବର୍ଷରୁ ଅଧିକ ନ ହେଲେ ତାହାକୁ ଗାଁକୁ ବୋହୂ କରି ନ ଆଣିବାକୁ ବି ନିଷ୍ପତ୍ତି ନେଇଥିଲୁ। ପାଖାପାଖି ୮ ବର୍ଷ ଧରି ଗାଁରେ ଗୋଟିଏ ବି ବାଲ୍ୟ ବିବାହ ହୋଇ ନ ଥିବାରୁ ୨୦୨୦ରେ ‘ଠିଆନାଳ’କୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିବାକୁ ଜିଲ୍ଲାପାଳ, ବିଧାୟକ, ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଦାବି କରିଥିଲୁ। ସେମାନେ କମିଟି ପଠାଇ ଗାଁର ବାସ୍ତବ ସ୍ଥିତି ପରଖିବା ସହ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ରାଜ୍ୟର ଦ୍ବିତୀୟ ଓ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ପରିଚୟ ଲାଭ କରିଥିବାରୁ ଏବେ ଆମେ ଖୁସି। ବାଲ୍ୟ ବିବାହ ସମ୍ପର୍କରେ କେବଳ ଯେ ‘ଠିଆନାଳ’ର ବୟସ୍କ କିମ୍ବା ପରିବାର ଲୋକେ ସଚେତନ ହୋଇଛନ୍ତି ତାହା ନୁହେଁ। ବରଂ କିଶୋରୀମାନେ ମଧ୍ୟ ବାଲ୍ୟ ବିବାହ ‌ରୋକିବାକୁ ଇତିମଧ୍ୟରେ ଶପଥ ନେଇଛନ୍ତି। କୌଣସି ବି ପରିସ୍ଥିତିରେ ୧୮ ବର୍ଷ ପୂର୍ବରୁ ବିବାହ କରିବେ ନାହିଁ ବୋଲି ସ୍ଥିର କରିଛନ୍ତି। କଲେଜରେ ପଢ଼ୁଥିବା ଇପ୍ସିତା ପ୍ରଧାନ, ପ୍ରତିମା ଦେହୁରୀ, ବିନତୀ ଦେହୁରୀଙ୍କ ପରି କିଶୋରୀମାନେ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଉଜ୍ଜ୍ବଳ ଭବିଷ୍ୟତର ସ୍ବପ୍ନ ଦେଖିବା ସହ ସାଙ୍ଗ ସାଥୀମାନଙ୍କୁ ଏବିଷୟରେ ସଚେତନ କରାଉଛନ୍ତି।

ଏବେ ସୁଦ୍ଧା ଦେବଗଡ଼ ଜିଲ୍ଲାର ୪୦୦ରୁ ଅଧିକ ଗାଁ ବାଲ୍ୟ ବିବାହ ମୁକ୍ତ ହୋଇଛି। ଏଥିପାଇଁ ପ୍ରଶାସନ ବି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। ୟୁନିସେଫର ବୈଷୟିକ ସହାୟତାରେ ସରକାରୀ ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ସାମାଜିକ କର୍ମୀଙ୍କୁ ନେଇ କର୍ମଶାଳା କରାଯାଇଛି। ବାଲ୍ୟ ବିବାହ ପ୍ରତିରୋଧ ଉପରେ ଜିଲ୍ଲା ଲୋଗୋ ପ୍ରସ୍ତୁତ, ‘ବାଲ୍ୟ ବିବାହକୁ ନା’ ସମ୍ପର୍କିତ ସ୍ବତନ୍ତ୍ର ଅଭିଯାନ, ଜିଲ୍ଲାର ସମସ୍ତ ମନ୍ଦିର, ଧାର୍ମିକ ଅନୁଷ୍ଠାନ, କଲ୍ୟାଣ ମଣ୍ଡପକୁ ‘ବାଲ୍ୟ ବିବାହ ନିଷିଦ୍ଧ ଜୋନ୍’ ଘୋଷଣା, ଶିଶୁ, ଶିକ୍ଷକ ଓ ଅଭିଭାବକଙ୍କୁ ସଚେତନ କରିବା ଲାଗି ପାଇଁ ଜିଲ୍ଲାସ୍ତରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ, ୩ଟି ବ୍ଲକ‌ର ୭୦ଟି ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା‌, ‘ବାଲ୍ୟ ବିବାହ ମୁକ୍ତ ଗାଁ’ ପାଇଁ ଗାଁକୁ ଗାଁ ବାଇକ୍ ଅଭିଯାନ, ୱାଲ୍ ପେଣ୍ଟିଂ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର