ଭୁବନେଶ୍ବର : ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୧୯ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସାରା ଦେଶରେ ଡିଆଇଏଲ୍ଆର୍ଏମ୍ପି ଅନ୍ତର୍ଗତ ୬ଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୭୫ଟି ଜିଲ୍ଲାକୁ ପ୍ଲାଟିନମ୍ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବାବେଳେ ଏଥିରେ ଓଡ଼ିଶାରୁ ସର୍ବାଧିକ ୧୯ଟି ଜିଲ୍ଲା ସ୍ଥାନ ପାଇଥିବାରୁ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ସେଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ,ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର। ଏହି ସବୁ ଜିଲ୍ଲାରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯%ରୁ ଅଧିକ ରହିଥିବାରୁ ଏହି ପୁରସ୍କାର ମିଳିଛି। ଆଗାମୀ ଦିନରେ ଏହି ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ।
ଆଜି ଲୋକସେବା ଭବନର ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେସନ୍ ସୋସାଇଟିର ଗଭର୍ଣ୍ଣିଂ ବଡି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ବର୍ତ୍ତମାନ ୫ଟି ଜିଲ୍ଲା ଦେବଗଡ, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ହାଇଟେକ୍ ସର୍ଭେ କାର୍ଯ୍ୟକାରୀ ହେଉଛି। ଦେବଗଡ଼ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ହାଇଟେକ୍ ସର୍ଭେକୁ ବାକିଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ବାବଦରେ ଓରସାକ୍ ଏକ ସବିଶେଷ ପ୍ରସ୍ତାବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଇବା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ।
ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଲାଇସେନ୍ସପ୍ରାପ୍ତ ସର୍ଭେୟରମାନଙ୍କୁ ସରକାରୀ ଓ ବେସରକାରୀ ପଲିଟେକନିକ କଲେଜ ସହ ଅନୁବନ୍ଧିତ କରାଯିବା ପରେ ଏକ ତିନି ମାସିଆ ତାଲିମ୍ ପ୍ରଦାନ ବ୍ୟବସ୍ଥା କରି ସାର୍ଟିଫିକେଟ ପ୍ରଦାନ କରାଯିବ।
ଆଜିର ବୈଠକରେ ବିଧି ବିଭାଗର ପ୍ରମୁଖ ସଚିବ ଧନେଶ୍ବର ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଶଶଧର ନାୟକ, ଓରସାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଓକାକ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଭୂ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।