୨ ଯାଏ କାଳବୈଶାଖୀ, ତା ପରେ ତାତି, ଓଡ଼ିଶାକୁ ନାହିଁ ଲଘୁଚାପ ଭୟ

୫ ତାରିଖରେ ମିଆଁମାର ଉପକୂଳ ଅତିକ୍ରମ କରିବ, ଲଘୁଚାପ ବାତ୍ୟା ରୂପ ନେଲେ ନାଁ ହେବ ଆମ୍ଫାନ୍‌

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ଦକ୍ଷିଣ-ପୂର୍ବ ବ‌ଙ୍ଗୋପସାଗରରେ ଏକ ଲଘୁଚାପବଳୟ ସୃଷ୍ଟି ହେବ। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। କିନ୍ତୁ ଆସନ୍ତା ୧ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି ରାତି ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅର୍ଥାତ୍‌ ନିକୋବର ଦ୍ବୀପର ଦକ୍ଷିଣ ପୂର୍ବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୩୦ ତାରିଖରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ୧ ତାରିଖରେ ଲଘୁଚାପରେ ପରିଣତ ହେବ। ପୁଣି ଘନୀଭୂତ ହୋଇ ୩ ତାରିଖ ବେଳକୁ ଅବପାତରେ ପରିଣତ ହେବ। ଆଣ୍ଡାମାନ ଦ୍ବୀପ ଉପର ଦେଇ ଏହା ଗତି କରିବ। ୪ ତାରିଖରେ ତାହା ଉତ୍ତର ଆଣ୍ଡାମାନରେ ପହଞ୍ଚିଯିବ। ଏହାପରେ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାରକୁ ମୁହାଁଇବ। ୫ ତାରିଖ ରାତିରେ ମାଆଁମାର ଉପକୂଳ ଅତିକ୍ରମ କରିବ। ତେବେ ଅବପାତ ପରେ ଏହା କେତେ ଘନୀଭୂତ ହେବ ଓ ବାତ୍ୟାରେ ପରିଣତ ହେବ କି ନାହିଁ, ବର୍ତ୍ତମାନ ତାହା ସଠିକ୍‌ କହି‌ହେବ ନାହିଁ। ଯଦି ହୁଏ, ବାତ୍ୟାର ନାମ ଆମ୍ଫାନ୍‌ ‘amphan’ ରହିବ। ବର୍ତ୍ତମାନ ଓଡ଼ିଶା ଉପରେ ବାୟୁର ଚା‌ପ ୧୧୦ ମିଲିବାର ଥିଲା ବେଳେ ମିଆଁମାର ଉପରେ ଅଧିକା ରହୁଛି। ଏହାସହ ଉପର ବାୟୁମଣ୍ଡଳରେ ପଶ୍ଚିମା ପବନ ପାକିସ୍ତା‌ନ ଆଡ଼ୁ ଓଡ଼ିଶା ଦେଇ ବାଂଲାଦେଶକୁ ପ୍ରବାହିତ ହେଉଛି। ମିଆଁମାରରେ ଦକ୍ଷିଣ ବଙ୍ଗୋପସାଗରରୁ ଆଣ୍ଡାମାନ ଦେଇ ମିଆଁମାର ଆଡ଼କୁ ପ୍ରବାହିତ ହେଉଛି। ଏଥିରୁ ଜଣାପଡ଼ୁଛି ଯେ ଲଘୁଚାପଟି ମିଆଁମାର ଆଡ଼େ ଗତି କରିବ, ଓଡ଼ିଶାକୁ ଆସିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ‌ଢେଙ୍କାନାଳ, ପୁରୀ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଧା, ପୁରୀ ଓ ଗଞ୍ଜାମ ଏବଂ ୧ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବାର ସୂଚନା ରହିଛି। ସେହିପରି ୨ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ କୋରାପୁଟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହିସବୁ ଜିଲ୍ଲାରେ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୨ ତାରିଖଠାରୁ ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିବ। ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା କମ୍‌ ରହିବ। ଭୁବନେଶ୍ବର ତାପମାତ୍ରା ୪ ତାରିଖ ସୁଦ୍ଧା ୩୭ଡିଗ୍ରି ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର