ଭୁବନେଶ୍ବର: ଓଡ଼ିଶା ଏବେ ଅପରାଧପ୍ରବଣ ରାଜ୍ୟ ପାଲଟିଯାଇଛି। ଅପରାଧ ହାର ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଲାଗୁଛି ‌ଯେମିତି ରାଜ୍ୟରେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କ ଶାସନ ଚାଲିଛି। ମହିଳାମାନେ ସବୁଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଆଜି ବିଧାନସଭାରେ ମୁଳତବୀ ପ୍ରସ୍ତାବ ଆଲେଚନା ବେଳେ ଏମିତି ଆରୋପ ଲଗାଇଛନ୍ତି ବିଜେଡି ବିଧାୟକମାନେ। ତେବେ ଶାସକ ଦଳ ସଦସ୍ୟମାନେ ବିଜେଡି ସରକାର ସମୟର କିଛି ଚର୍ଚ୍ଚିତ ନାରୀ ନିର୍ଯାତନା ଘଟଣାକୁ ଦେଖାଇ ପାଲଟା ଆକ୍ରମଣ କରିଛନ୍ତି।

Advertisment

‘ମହିଳା ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା, ଅପରାଧ ରାଜଧାନୀରେ, ଶବ ଜବତ ହେଲା ଘଟଗାଁରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଜି ଆଲୋଚନା ହୋଇଥିଲା। କଂଗ୍ରେସ ସଭ୍ୟମାନେ ଅନୁପସ୍ଥିତ ଥିଲେ। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଲେ, ଓଡ଼ିଶା ଆଜି ଅପରାଧପ୍ରବଣ ରାଜ୍ୟ ପାଲଟିଛି। ମହିଳା ହିଂସା ଘଟଣା ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମର ଶିରୋନାମା ପାଲଟିଛି। ପୁଲିସ କନେଷ୍ଟବଳ ଶୁଭମିତ୍ରା ପୁଲିସ ଭାବେ ଅନ୍ୟକୁ ସୁରକ୍ଷା ଦେବେ କ’ଣ, ନିଜେ ହତ୍ୟାର ଶିକାର ହେଲେ। ଏଠି ଦୃଶ୍ୟମ ଫିଲ୍ମ ଘଟଣା ଘଟିଗଲା। ଜଣେ ମହିଳା କନେଷ୍ଟବଳ ନିଖୋଜ ହେବାର ୧୧ ଦିନ ଯାଏଁ ଖୋଜ ଖବର ମିଳିଲାନି। ଏବିଭିପି ଆଦର୍ଶରେ ବିଶ୍ୱାସ କରୁଥିବା ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ପାଇଁ ସରକାର ଦାୟୀ।

ବିଧାନସଭାରେ ଆରୋପ ଲଗାଇଲା ବିଜେଡି 
ମହିଳା କନେଷ୍ଟବଳ ହତ୍ୟା ମାମଲାରେ ମୁଲତବୀ ଆଲୋଚନା
ଅପରାଧୀଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଉଛି: ଶାସକ ଦଳ

ଏ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଇଜି ସାଇନି ଛୁଟିରେ ଯିବା ପଛର କାରଣ କ’ଣ? ଶ୍ରୀ ଦାସଙ୍କ ଏଭଳି ଅଭିଯୋଗର ପ୍ରତିବାଦ କରିଥିଲେ ବିଜେପି ସଭ୍ୟ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ବିଜେଡି ସଭ୍ୟ ଧ୍ରୁବ ସାହୁ କହିଥିଲେ, ମରମ କଥା କହିଲେ ଶାସକ ଦଳକୁ ବାଧୁଛି। ମୋ ନିର୍ବାଚନମଣ୍ଡଳୀରେ ଜଣେ ଝିଅ ନିର୍ଯାତନାର ଶିକାର ହୋଇ ପୁଲିସଠୁ ନ୍ୟାୟ ପାଇଲେନି। ଶେଷରେ ଆତ୍ମହତ୍ୟା କଲେ। ରାଜ୍ୟରେ ଥାନା ଏବେ ବିଜେପିର ପାର୍ଟି ଅଫିସ ପାଲଟିଛି। ସଭ୍ୟା ସୁବାସିନୀ ଜେନା କହିଲେ, ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢ଼ି ଚାଲିଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ସାଇବର ଅପରାଧରେ ଓଡ଼ିଶାର ମହିଳାମାନେ ଦେଶରେ ସର୍ବାଧିକ ପୀଡ଼ିତା। ଆମେ ଶାସକ-ବିରୋଧୀ ଖାଲି ଗୃହରେ ପରସ୍ପର ଉପରକୁ କାଦୁଅ ଫିଙ୍ଗୁଛେ। ଅସଲରେ ମହିଳା ନିର୍ଯାତିତ ହେଉଛନ୍ତି। ଦୁର୍ଗାବାହିନୀ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ଶାସକ ଦଳ ପକ୍ଷରୁ ବାବୁ ସିଂହ କହିଥିଲେ, ବିଜେଡି ସରକାର ସମୟରେ ଇତିଶ୍ରୀ, ବେବିନା, ମାଧବୀଲତା, ପରୀ, ପିହୁ ଆଦି ଅନେକ ଘଟଣା ଘଟିଥିଲା। ସେତେବେଳେ ବିଜେଡି ବିଧାୟକମାନେ ଧୃତରାଷ୍ଟ୍ର ସାଜିଥିଲେ। କୌଣସି ଘଟଣାରେ ସରକାରଙ୍କ ପକ୍ଷରୁ କେହି ବି ସେମାନଙ୍କ ପରିବାର ସହ ଠିଆ ହୋଇ ନଥିଲେ। କିନ୍ତୁ ଏବେ ଅପରାଧୀଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇ ଉଦାହରଣ ସୃଷ୍ଟି କରାଯାଉଛି। ସରକାର ଏଥିରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଛନ୍ତି। ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ଦୀପକ ତା’ର ପ୍ରଥମ ପତ୍ନୀଙ୍କୁ ପୂର୍ବ ସରକାର ସମୟରେ ହିଁ ହତ୍ୟା କରିଥିଲା। କିନ୍ତୁ ତାହାକୁ ଦୁର୍ଘଟଣାର ରୂପ ଦେଇ ସେତେବେଳେ ସମସ୍ତେ ଚୁପ୍ ରହିଥିଲେ। ସନ୍ତୋଷ ଖଟୁଆ, ଈରାଶିଷ ଆଚାର୍ଯ୍ୟ ଓ ପଦ୍ମଲୋଚନ ପଣ୍ଡା ଆଲୋଚନାରେ ଭାଗ ନେଇଥିଲେ।