ଖୋର୍ଦ୍ଧା: ଦିନଥିଲା, ଇଞ୍ଜିନିୟରିଂ ପଢ଼ିବା ପାଇଁ ଆମ ପିଲାଙ୍କୁ କର୍ଣ୍ଣାଟକ, ତାମିଲନାଡ଼ୁ ଭଳି ରାଜ୍ୟ ଉପରେ ପୂରା ନିର୍ଭର ହେବାକୁ ପଡ଼ୁଥିଲ। ଏବେ କିନ୍ତୁ ରାଜ୍ୟର ବୈଷୟିକ ଶିକ୍ଷାର ଚିତ୍ର ସମ୍ପୂର୍ଣ୍ଣ ବଦଳିଛି। ଦେଶର ଅନ୍ୟତମ ବୈଷୟିକ ହବ୍ ଭାବେ ଓଡ଼ିଶା ନିଜକୁ ପ୍ରତିଷ୍ଠିତ କରିଛି। ଆମ ପିଲାଙ୍କୁ ଏଥର ବାହାର ରାଜ୍ୟକୁ ଯିବାକୁ ପଡ଼ୁନି। ବାହାର ରାଜ୍ୟର ଛାତ୍ରଛାତ୍ରୀ ଏବେ ଓଡ଼ିଶାରେ ପାଠ ପଢ଼ିବାକୁ ପସନ୍ଦ କରୁଛନ୍ତି ବୋଲି ଖୋର୍ଦ୍ଧା ଦଳେଇପୁଟ ସ୍ଥିତ କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ଶିକ୍ଷାନୁଷ୍ଠାନ(କେଏମ୍ବିବି କଲେଜ)ର ନବାଗତ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶିଳ୍ପ, ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି।
କେଏମ୍ବିବି କଲେଜରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ମନ୍ତ୍ରୀ ଶ୍ରୀ ସ୍ବାଇଁ କଲେଜ ଶିକ୍ଷାର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। କଲେଜ ଶିକ୍ଷା ସବୁବେଳେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ଗଢ଼ିବାରେ ସହାୟକ ହୋଇଥାଏ। ଏହି ସମୟ ଜୀବନକୁ ଶୃଙ୍ଖଳିତ ଓ ମାର୍ଜିତ କରିବା ପାଇଁ ବହୁତ ଜରୁରି ବୋଲି କହିବା ସହ ଏହାର ସତ୍ ଉପଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।
ସମ୍ମାନିତ ଅତିଥି ଭାବରେ ଜେଡ୍ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ତପନ ମହାନ୍ତି ଯୋଗ ଦେଇ କହିଥିଲେ, ଓଡ଼ିଶାର ଯୁବକମାନେ ବହୁ କ୍ଷେତ୍ରରେ ସେମାନଙ୍କର ଶ୍ରେଷ୍ଠତା ଦେଖାଇଲେଣି। ଏବେ ଉଦ୍ୟୋଗୀ ହେବାର ବେଳ ଆସିଛି। ଏବେ ଚାକିରି କରିବା ବଦଳରେ ଚାକିରି ଦେବା ସୁଯୋଗ ସୃଷ୍ଟି କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ବୈଠକରେ ନିର୍ଦ୍ଦେଶକ (ଶିକ୍ଷା) ବିଜୁନୀ ଚରଣ ସୂତାର, ନିର୍ଦ୍ଦେଶକ (ପ୍ରଶାସନ) ସରୋଜ ପଣ୍ଡା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କର ମାର୍ଗଦର୍ଶନ କରିଥିଲେ। କେଏମ୍ବିବି କଲେଜ ଅଧ୍ୟକ୍ଷ ଡ ଅମରନାଥ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଡିନ୍ (ଏକାଡେମିକ୍) ଡ ଗଣେଶ ପ୍ରସାଦ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ, ଖୋର୍ଦ୍ଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।