ଓଡ଼ିଶାରେ ଏବେ ‘ଦ୍ୱିତୀୟ ପର୍ଯ୍ୟାୟ’ରେ ରହିଛି କରୋନା ସଂକ୍ରମଣ : ଡିଏମଇଟି ଡା.ସିବିକେ ମହାନ୍ତି

ଭୁବନେଶ୍ବର: ଏବେ ବି ଦେଶ ସମେତ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି କରୋନା ସଂକ୍ରମଣ । ଏହି  ସୂଚନା ଦେଇଛନ୍ତି ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ଡା.ସିବିକେ ମହାନ୍ତି । ସେ କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ଆମେ କିଛି ମାତ୍ରାରେ ସଫଳ ହୋଇଛୁ । ଅନ୍ୟ ଦେଶ ତୁଳନାରେ ଆମ ସ୍ଥିତି ଭଲ ରହିଛି । ସାମାଜିକ ଦୂରତା ବଜାୟ ରଖିବା ସହ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି ଡା. ମହାନ୍ତି । ଓଡିଶାରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ସଂକ୍ରମଣ ତୃତୀୟ ଷ୍ଟେଜକୁ ଚାଲିଯାଇଥିବା ନେଇ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଡିଏମଇଟି।

ଅନ୍ୟପଟେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ୨ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ଏହା ସହ ଭାରତର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ୫୧ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୧ ଶହରୁ ଅଧିକ ଆକ୍ଟିଭ୍ କେସ୍ ଥିବାବେଳେ ପ୍ରାୟ ଶହେ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ତେଙ୍ଗୋନାରେ ଗୋଟିଏ ଦିନରେ ୬ଜଣଙ୍କ ମୃତ୍ୟୁ ସହ ମୃତକଙ୍କ ସଂଖ୍ୟା ୩୨ରେ ପହଁଚିଛି । ତେବେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସ୍ଥିର ରହିଛି । ଏବେ ସୁଦ୍ଧା ପରୀକ୍ଷା କରାଯାଇଥିବା ମୋଟ ୩୭୦ଟି ରକ୍ତ ନମୂନା ମଧ୍ୟରୁ ୩ଜଣଙ୍କର ପଜିଟିଭ୍ ବାହାରିଛି ।

ସମ୍ବନ୍ଧିତ ଖବର